ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଥାନାରେ ଅଭିଯୋଗ

ପରିବାରର ଲୋକଙ୍କ କହିବା ଅନୁସାରେ ସ୍କୁଲ କର୍ତ୍ତୃପକ୍ଷ ଟ୍ରାନ୍ସଫର ସାର୍ଟିଫିକେଟ (ଟିସି) ନେବା ପାଇଁ ଚାପ ପକାଇଥିଲେ। ଯେତେବେଳେ ଟିସି ନେବା ପାଇଁ ପରିବାର ଲୋକ ମନା କରିଥିଲେ, ସେତେବେଳେ ସ୍କୁଲ କର୍ତ୍ତୃପକ୍ଷରେ ହ୍ୱାଟ୍ସଆପ୍ ମାଧ୍ୟମରେ ପଠାଇ ଦେଇଥିଲେ

କୋଲକାତା: ବେକରେ ତୁଳସୀ ମାଳା ଓ କପାଳରେ ତିଳକ ପିନ୍ଧିବାରୁ ଛାତ୍ରୀଙ୍କୁ ସ୍କୁଲରେ ବିରୋଧ କରାଯାଇଛି। ଏପରିକି ତାଙ୍କୁ ସ୍କୁଲରୁ ବାହାର କରିଦିଆଯାଇଛି। ଏପରି ଅଭିଯୋଗ ପଶ୍ଚିମବଙ୍ଗ ପୁରୁଳିଆ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ପାରା ଗର୍ଲସ ହାଇସ୍କୁଲରେ ଏକାଦଶ ଶ୍ରେଣୀରେ ପଢ଼ନ୍ତି ସୁମନା ମାଝୀ। ସେ ବେକରେ ଚୁଳସୀ ମାଳା ଓ କପାଳରେ ତିଳକ ମାରି ସ୍କୁଲ ଯାଇଥିଲେ। ହେଲେ ତାଙ୍କୁ ଶିକ୍ଷକମାନେ ବିରୋଧ କରିଥିଲେ। ତାଙ୍କୁ ନାନା ହଇରାଣ କରାଯାଇଥିଲା। ଏପରିକି ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି। ଏପରିକି ସ୍କୁଲରୁ ବାହାରି ଯିବା ପାଇଁ କୁହାଯାଇଥିଲା। ଏନେଇ ଜି ନ୍ୟୁଜରେ ଖବର ପ୍ରକାଶ ପାଇଛି।

ପରିବାରର ଲୋକଙ୍କ କହିବା ଅନୁସାରେ ସ୍କୁଲ କର୍ତ୍ତୃପକ୍ଷ ଟ୍ରାନ୍ସଫର ସାର୍ଟିଫିକେଟ (ଟିସି) ନେବା ପାଇଁ ଚାପ ପକାଇଥିଲେ। ଯେତେବେଳେ ଟିସି ନେବା ପାଇଁ ପରିବାର ଲୋକ ମନା କରିଥିଲେ, ସେତେବେଳେ ସ୍କୁଲ କର୍ତ୍ତୃପକ୍ଷରେ ହ୍ୱାଟ୍ସଆପ୍ ମାଧ୍ୟମରେ ପଠାଇ ଦେଇଥିଲେ। ଏଥିପାଇଁ ଛାତ୍ରୀ ଜଣକ ମାନସିକ ଆଘାତ ପାଇଥିଲେ। ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା।

ଘଟଣାକୁ ନେଇ ସୁମନଙ୍କ ମାଆ ପାରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଛାତ୍ରୀଙ୍କ ମାଆଙ୍କ ଅଭିଯୋଗ ଅନୁସାରେ, ସୁମନ ଆରମ୍ଭରୁ ଏହି ସମଗ୍ର ଘଟଣା ବିଷୟରେ କିଛି କହିବାକୁ ଡରୁଥିଲା। ତାଙ୍କର ଆଶଙ୍କା ଥିଲା, ଯଦି ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବେ, ତାହାହେଲେ ପରିସ୍ଥିତି ଆହୁରି ଖରାପ ହୋଇପାରେ। ତେବେ ସ୍ଥିତି ଭୟଙ୍କର ହେବାରୁ ଜୁନ ୧୮ ତାରିଖରେ ଝିଅ କାନ୍ଦି କାନ୍ଦି ଘରକୁ ଆସିଥିଲା। ସ୍କୁଲରେ ହୋଇଥିବା ସମଗ୍ର ଘଟଣା ସମ୍ପର୍କରେ କହିଥିଲା ବୋଲି ଛାତ୍ରୀଙ୍କ ମାଆ କହିଛନ୍ତି।

ଛାତ୍ରୀ ସୁମନା ମାଝୀ କହିଛନ୍ତି; ମୋ ମା’ ମୋତେ ତିଲକ ଲଗାଇ ସ୍କୁଲ ଯିବାକୁ କହିଥିଲେ। ସେଥିପାଇଁ ମୁଁ ତିଳକ ଲଗାଇ ସ୍କୁଲ ଯାଇଥିଲି। ସ୍କୁଲ ପହଞ୍ଚିବା ପରେ ଶିକ୍ଷକମାନେ ବିରୋଧ କରିଥିଲେ। ଏହା ଏକ ଶିକ୍ଷାନୁଷ୍ଠାନ, ତୁମ ବାପାଙ୍କ ମନ୍ଦିର ନୁହେଁ ବୋଲି କହିଥିଲେ।

ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଲୋକେ ବିରୋଧ ପ୍ରଦର୍ଶନ କରିଥିଲେ। ସେମାନଙ୍କ କହିବା ଅନୁସାରେ ତିଲକ କିମ୍ବା ତୁଳସୀ ମାଳା ପିନ୍ଧିବାକୁ ରୋକାଯିବା ଏକ ଧାର୍ମିକ ସ୍ୱାଧୀନତା ସହ ଜଡ଼ିତ ଗମ୍ଭୀର ମାମଲା। ଏହାର ତଦନ୍ତ ହେବା ଆବଶ୍ୟକ।

ସେପଟେ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସୁସ୍ମିତା ଘୋଷ ଅଭିଯୋଗକୁ ଅଲଗା ଦୃଷ୍ଟିକୋଣରୁ ଦେଖିଛନ୍ତି। ତାଙ୍କ କହିବା ଅନୁସାରେ ସମଗ୍ର ମାମଲାକୁ ଗୋଟିଏ ପଟୁ ବୁଝାଯିବା ଉଚିତ ନୁହେଁ। ତାଙ୍କ କହିବା ଅନୁସାରେ ବିବାଦ କେବଳ ତୁଳସୀ ମାଳା ସହ ଜଡ଼ିତ ନୁହେଁ, ବରଂ ସ୍କୁଲରେ ଅନୁଶାସନ ବଜାୟ ରଖିବା ପାଇଁ କିଛି ନିର୍ଦ୍ଦେଶ ଦିଆଯାଇଥିଲା।

ସେ କହିଛନ୍ତି; ସମ୍ପୂର୍ଣ୍ଣ ତଦନ୍ତ ବିନା କୌଣସି ନିଷ୍କର୍ଷରେ ପହଞ୍ଚିବା ଉଚିତ ନୁହେଁ। ବର୍ତ୍ତମାନ ଏହି ମାମଲାରେ ଛାତ୍ରୀଙ୍କ ପରିବାରର ଅଭିଯୋଗ ପୋଲିସ ପାଖରେ ଅଛି। ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ନିଜର ପକ୍ଷ ରଖି ସାରିଛନ୍ତି। ତେଣୁ ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିବ ବୋଲି କହିଛନ୍ତି।