ବଙ୍ଗଳାରେ ଦଙ୍ଗାକାରୀଙ୍କୁ ନିସ୍ତାର ନାହିଁ: ହିଂସା ଘଟାଇଲେ ଆଦାୟ ହେବ ତିନି ଗୁଣା କ୍ଷତିପୂରଣ
ସାଧାରଣ ଶୃଙ୍ଖଳା ଓ ଶାନ୍ତି ବଜାୟ ରଖିବା ପାଇଁ ବଙ୍ଗଳାର ବିଜେପି ସରକାର ଆଇନକୁ ଆହୁରି କଡ଼ା କରୁଛନ୍ତି। ଏହି କ୍ରମରେ ଶୁଭେନ୍ଦୁ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ଯଦି କେହି ହିଂସା କାଣ୍ଡ ଘଟାନ୍ତି, ତେବେ ହୋଇଥିବା କ୍ଷୟକ୍ଷତିର ଭରଣା ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପତ୍ତିର ମୂଲ୍ୟଠାରୁ ତିନି ଗୁଣ ଅଧିକ ଟଙ୍କା ଜରିମାନା ବାବଦକୁ ଆଦାୟ କରାଯିବ।
ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କରିବା ପରେ ଦଙ୍ଗାକାରୀ ଏବଂ ଦାଗୀଙ୍କ ଖରାପ ସମୟ ଆରମ୍ଭ ହୋଇଯାଇଛି । ଯୋଗୀ ଆଦିତ୍ୟନାଥଙ୍କ ଭଳି ଶୁଭେନ୍ଦୁ ମଧ୍ୟ ଦଙ୍ଗାକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଶୁଭେନ୍ଦୁ ଚେତାବୀନ ଦେଇଛନ୍ତି ଯେ, ଯଦି କୌଣସି ଦଙ୍ଗାକାରୀ ପୋଡାଜଳା କରନ୍ତି କିମ୍ବା ସାର୍ବଜନୀକ ସଂପତ୍ତି ହାନୀ ପହଞ୍ଚାଇବା ପାଇଁ ଚେଷ୍ଟା କରନ୍ତି ତେବେ ତାଙ୍କ କ୍ଷୟକ୍ଷତି ବାବଦରେ ୩ ଗୁଣା ଅର୍ଥ ଆଦାୟ କରାଯିବ । ଯଦି କ୍ଷତି ପୂରଣ ବାବଦରେ ଅର୍ଥ ରାଶି ପୈଠ ନ କରିବେ ତେବେ ତାଙ୍କ ନିଜସ୍ୱ ସଂପତ୍ତିକୁ ନିଲାମ କରାଯାଇ ଏହି ଆଦାୟ କରାଯିବ ।
ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇ କହିଛନ୍ତି ଯେ, ଶିଳ୍ପାନୁଷ୍ଠାନଗୁଡ଼ିକୁ ଟାର୍ଗେଟ୍ କଲେ କିମ୍ବା ସେଗୁଡ଼ିକ ଉପରେ ଆକ୍ରମଣ କଲେ ମୋଟା ଅଙ୍କର ଆର୍ଥିକ ଜରିମାନା କରାଯିବ। ଶନିବାର ସନ୍ଧ୍ୟାରେ ଭବାନୀପୁରଠାରେ ସାଧାରଣ ଜନତା ଏବଂ ବ୍ୟବସାୟୀ ସଂଘର ସଦସ୍ୟମାନଙ୍କ ସହ ହୋଇଥିବା ଏକ ବୈଠକରେ ସେ କହିଛନ୍ତି ଯେ, ବିରୋଧ କରିବାର ଅଧିକାର ସମସ୍ତଙ୍କର ଅଛି; କିନ୍ତୁ ଏହି ଆନ୍ଦୋଳନ କିମ୍ବା ବିରୋଧ ଯେପରି ହିଂସାତ୍ମକ ରୂପ ନନିଏ କିମ୍ବା କୌଣସି କାରଖାନା ଓ ଶିଳ୍ପ ପ୍ରତିଷ୍ଠାନର କ୍ଷତି ନଘଟାଏ। ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଯଦି ଅଭିଯୁକ୍ତମାନେ ହୋଇଥିବା କ୍ଷୟକ୍ଷତିର ଭରଣା ନକରନ୍ତି, ତେବେ ସେମାନଙ୍କ ସମ୍ପତ୍ତିକୁ ନିଲାମ କରି ସେହି ଟଙ୍କା ଆଦାୟ କରାଯିବ।
ପ୍ରକୃତରେ, ପଶ୍ଚିମବଙ୍ଗ ବିଧାନସଭା ଜୁନ୍ ୨୮ ତାରିଖରେ ଆଇନ-ଶୃଙ୍ଖଳା ପରିସ୍ଥିତିକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ୍ (ବିଧେୟକ) ପାରିତ କରିଛି। ଏଥିମଧ୍ୟରେ ‘ପଶ୍ଚିମବଙ୍ଗ ଜନସୁରକ୍ଷା ଏବଂ ଅସାମାଜିକ କାର୍ଯ୍ୟକଳାପ ନିୟନ୍ତ୍ରଣ ଅଧିନିୟମ, ୨୦୨୬’ ଏବଂ ‘ପଶ୍ଚିମବଙ୍ଗ ଜନଶୃଙ୍ଖଳା ରକ୍ଷଣାବେକ୍ଷଣ (ସଂଶୋଧନ) ଅଧିନିୟମ, ୨୦୨୬’ ସାମିଲ ରହିଛି। ସରକାରଙ୍କ କହିବା ଅନୁସାରେ, ଏହି ନୂଆ ଆଇନ ଜରିଆରେ ସଂଗଠିତ ଅପରାଧ, ହିଂସାତ୍ମକ କାର୍ଯ୍ୟକଳାପ ଏବଂ ସାଧାରଣ ଜନଜୀବନରେ ସୃଷ୍ଟି ହେଉଥିବା ଅଶାନ୍ତିକୁ ଉଚିତ୍ ଭାବେ ମୁକାବିଲା କରାଯାଇପାରିବ।
ଏହି ନୂଆ ଆଇନ ବଳରେ ସମାଜରେ ଅଶାନ୍ତି ସୃଷ୍ଟି କରୁଥିବା, ସରକାରୀ ଓ ବେସରକାରୀ ଜିନିଷପତ୍ର ଭଙ୍ଗାରୁଜା କରୁଥିବା ଏବଂ କଳକାରଖାନା କାମରେ ବାଧା ଦେଉଥିବା ଲୋକଙ୍କ ବିରୋଧରେ ଏବେ ବହୁତ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ସରକାରଙ୍କ କହିବା କଥା ହେଲା, ଏହି ନୂଆ ନିୟମ ଦ୍ୱାରା ହିଂସାତ୍ମକ ଆନ୍ଦୋଳନ ଓ ଗଣ୍ଡଗୋଳ ଉପରେ ରୋକ୍ ଲଗାଯାଇପାରିବ ଏବଂ ରାଜ୍ୟରେ ବ୍ୟବସାୟ ଓ ପୁଞ୍ଜିନିବେଶ କରୁଥିବା ଲୋକଙ୍କ ମନରେ ଏକ ସୁରକ୍ଷିତ ଭାବନା ସୃଷ୍ଟି ହେବ।
ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସରକାର ଶାନ୍ତିପୂର୍ଣ୍ଣ ଭାବେ ନିଜର ଦାବି ଉପସ୍ଥାପନ କରିବା ବା ଆନ୍ଦୋଳନ କରିବାର ଅଧିକାରକୁ ସମ୍ମାନ ଦିଅନ୍ତି। କିନ୍ତୁ ଏହାର ଆଢୁଆଳରେ ଯଦି କେହି ଆଇନ କାନୁନ୍କୁ ନିଜ ହାତକୁ ନିଅନ୍ତି, ତେବେ ସେମାନଙ୍କୁ ଆଦୌ ଛଡ଼ାଯିବ ନାହିଁ। ପଶ୍ଚିମବଙ୍ଗର ବିକାଶ କରିବା, ନୂଆ କାରଖାନା ପ୍ରତିଷ୍ଠା କରିବା ଏବଂ ଲୋକଙ୍କୁ ରୋଜଗାର ଦେବା ପାଇଁ ଏକ ଶାନ୍ତିପୂର୍ଣ୍ଣ ପରିବେଶ ତିଆରି କରିବା ସରକାରଙ୍କର ସବୁଠାରୁ ବଡ଼ କାମ। ତେଣୁ କୌଣସି ବି ପରିସ୍ଥିତିରେ ରାଜ୍ୟରେ ହିଂସା କିମ୍ବା ଗଣ୍ଡଗୋଳକୁ ପ୍ରଶ୍ରୟ ଦିଆଯିବ ନାହିଁ।


