ଗିଳିଦେଇଥିଲା ବିଶାଳ ତିମି, କିନ୍ତୁ ବଞ୍ଚିଗଲେ ମଣିଷ !
ସମୁଦ୍ରରେ ଜୀବନ୍ତ ବଞ୍ଚିଯିବାର ସବୁଠାରୁ ଆଶ୍ଚର୍ଯ୍ୟଜନକ ସତ୍ୟ ଘଟଣାଗୁଡ଼ିକ ମଧ୍ୟରୁ ଏକ ଘଟଣାରେ, ଆମେରିକାର ମାସାଚୁସେଟ୍ସର ଜଣେ ମତ୍ସ୍ୟଜୀବୀ ଦାବି କରିଛନ୍ତି ଯେ ସେ କିଛି ସମୟ ପାଇଁ ଏକ ‘ହମ୍ପବ୍ୟାକ୍ ହ୍ୱେଲ୍’ (Whale) ମାଛର ପାଟି ଭିତରେ ଫସି ଯାଇଥିଲେ।
ଓଡ଼ିଶା ଭାସ୍କର : ଭାବନ୍ତୁ ତ, ଆପଣ ସମୁଦ୍ରର ଗଭୀରତାରେ ଅଛନ୍ତି ଏବଂ ହଠାତ୍ ଚାରିଆଡ଼େ ଘନ ଅନ୍ଧକାର ମାଡ଼ି ଆସିଲା। ଆପଣଙ୍କୁ ଲାଗିଲା ଯେ ଆପଣଙ୍କ ଜୀବନ ଯାତ୍ରା ଏଇଠି ଶେଷ ହୋଇଗଲା, କିନ୍ତୁ ମାତ୍ର କିଛି ସେକେଣ୍ଡ ପରେ ଆପଣ ମୃତ୍ୟୁ ମୁଖରୁ ସହିସଲାମତ ଫେରିଆସିଲେ। ଏହା କୌଣସି ଫିଲ୍ମର କାହାଣୀ ନୁହେଁ, ବରଂ ଆମେରିକାର ମାସାଚୁସେଟ୍ସର ଜଣେ ମତ୍ସ୍ୟଜୀବୀ ମାଇକେଲ୍ ପ୍ୟାକର୍ଡ (Michael Packard)ଙ୍କ ସହ ଘଟିଥିବା ଏକ ସତ୍ୟ ଘଟଣା, ଯାହା ସାରା ବିଶ୍ୱକୁ ଚକିତ କରିଦେଇଥିଲା।
ଘଟଣାଟି ଥିଲା ୨୦୨୧ ମସିହା ଜୁନ୍ ମାସର। ସେଦିନ ସକାଳେ କେପ୍ କଡ୍ର କୋଲ୍ଡ ସମୁଦ୍ରରେ ୫୬ ବର୍ଷୀୟ ପେଶାଦାର ମତ୍ସ୍ୟଜୀବୀ ମାଇକେଲ୍ ପ୍ରତିଦିନ ଭଳି ଲବ୍ଷ୍ଟର (ଗଲୁଡ଼ି ଚିଙ୍ଗୁଡ଼ି) ଧରିବା ପାଇଁ ପାଣିକୁ ଓହ୍ଲାଇଥିଲେ। ସେ ସମୁଦ୍ର ପତ୍ତନରୁ ପ୍ରାୟ ୪୫ ଫୁଟ ଗଭୀରରେ ଥିବା ସମୟରେ ହଠାତ୍ ପାଣି ଭିତରେ ଏକ ଜୋରଦାର ହଲଚଲ ହେଲା। ପ୍ୟାକର୍ଡଙ୍କ ପିଠିରେ ଏକ ଶକ୍ତ ଧକ୍କା ବାଜିଲା ଏବଂ ପର ମୁହୂର୍ତ୍ତରେ ଚାରିଆଡ଼େ ଅନ୍ଧାର ହୋଇଗଲା। ସେହି ଭୟାନକ ମୁହୂର୍ତ୍ତକୁ ମନେ ପକାଇ ପ୍ୟାକର୍ଡ କହିଛନ୍ତି, “ମତେ ଲାଗିଲା କୌଣସି ଏକ ବିଶାଳକାୟ ଶାର୍କ ମାଛ ମୋ ଉପରେ ଆକ୍ରମଣ କରି ମତେ ଜାବୁଡ଼ି ଧରିଛି। ମୁଁ ବସି କେବଳ ମୋର ମୃତ୍ୟୁକୁ ଅପେକ୍ଷା କରୁଥିଲି।”
କିନ୍ତୁ ପର ମୁହୂର୍ତ୍ତରେ ପ୍ୟାକର୍ଡ ଅନୁଭବ କଲେ ଯେ ଘଟଣାଟି କିଛି ଅଲଗା। ତାଙ୍କୁ ନିଜ ଚାରିପାଖରେ କୌଣସି ଦାନ୍ତ ଥିବା ଭଳି ଲାଗିଲାନି, ବରଂ ଏକ ଅଜବ ପ୍ରକାରର ହଲଚଲ ଏବଂ ପ୍ରବଳ ଚାପ ଅନୁଭବ ହେଲା। ସେ ବୁଝିଗଲେ ଯେ ତାଙ୍କୁ କୌଣସି ଶାର୍କ ନୁହେଁ, ବରଂ ଏକ ବିଶାଳକାୟ ‘ହମ୍ପବ୍ୟାକ୍ ହ୍ୱେଲ୍’ (Humpback Whale) ମାଛ ନିଜ ପାଟି ଭିତରେ ପୂରାଇ ଦେଇଛି। ସେ ପ୍ରାୟ ୩୦ ରୁ ୪୦ ସେକେଣ୍ଡ ପର୍ଯ୍ୟନ୍ତ ସେହି ହ୍ୱେଲ୍ ମାଛର ପାଟି ଭିତରେ ଫସି ରହିଥିଲେ। ନିଶ୍ୱାସ ନେବା ପାଇଁ ତାଙ୍କ ପାଖରେ ସ୍କୁବା ଗିୟର (ଅକ୍ସିଜେନ୍ ସିଲିଣ୍ଡର) ତ ଥିଲା, କିନ୍ତୁ ସେହି ସମୟରେ ତାଙ୍କ ମନରେ ଯେଉଁ ଭୟ ଥିଲା, ତାହା କଳ୍ପନା ବାହାରେ।
ତା’ପରେ ହଠାତ୍ ହ୍ୱେଲ୍ ମାଛଟି ମଧ୍ୟ ଅନୁଭବ କଲା ଯେ ସେ ଏମିତି କିଛି ଜିନିଷ ପାଟିରେ ପୂରାଇ ଦେଇଛି, ଯାହା ତାର ଖାଦ୍ୟ ନୁହେଁ। ହ୍ୱେଲ୍ଟି ତୁରନ୍ତ ସମୁଦ୍ର ପତ୍ତନ ଉପରକୁ ଚାଲିଆସିଲା ଏବଂ ନିଜ ମୁଣ୍ଡକୁ ଜୋରରେ ହଲାଇ ପ୍ୟାକର୍ଡଙ୍କୁ ପବନକୁ ଫିଙ୍ଗିଦେଲା, ଯେଉଁଥିପାଇଁ ସେ ପୁଣିଥରେ ପାଣିରେ ଆସି ପଡ଼ିଲେ। ପ୍ୟାକର୍ଡଙ୍କ ସହଯୋଗୀ ମତ୍ସ୍ୟଜୀବୀ ସହସା ତାଙ୍କୁ ଉଦ୍ଧାର କରି ପାଣିରୁ ବାହାରକୁ ଆଣିଲେ ଏବଂ ତୁରନ୍ତ ମେଡିକାଲ୍ ନେଇଗଲେ। ଏହା କୌଣସି ଚମତ୍କାରଠାରୁ କମ୍ ନଥିଲା ଯେ ଏତେ ବଡ଼ ଦୁର୍ଘଟଣା ପରେ ବି ପ୍ୟାକର୍ଡଙ୍କର ଗୋଟିଏ ହେଲେ ବି ହାଡ଼ ଭାଙ୍ଗି ନଥିଲା। ତାଙ୍କ ଶରୀରରେ କେବଳ କିଛି ସାମାନ୍ୟ ସ୍କ୍ରାଚ୍ ଓ ଆଘାତ ଲାଗିଥିଲା ଏବଂ ଡାକ୍ତରମାନେ ସେହି ଦିନ ହିଁ ତାଙ୍କୁ ହସ୍ପିଟାଲ୍ରୁ ଡିସଚାର୍ଜ କରିଦେଇଥିଲେ।
ଯେତେବେଳେ ଏହି ଖବର ଚାରିଆଡ଼େ ବ୍ୟାପିଗଲା, ସେତେବେଳେ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଥିଲା, ‘କ’ଣ ସତରେ ଗୋଟିଏ ହ୍ୱେଲ୍ ମାଛ ମଣିଷକୁ ଗିଳି ଦେଇପାରେ?’ ଏହି ରହସ୍ୟ ଉପରୁ ପରଦା ହଟାଇ ସମୁଦ୍ର ବିଜ୍ଞାନୀମାନେ କହିଛନ୍ତି ଯେ ‘ହମ୍ପବ୍ୟାକ୍ ହ୍ୱେଲ୍’ର ଆକାର ଦେଖିବାକୁ ବହୁତ ବଡ଼ ହୋଇଥାଏ ସତ, କିନ୍ତୁ ସେମାନଙ୍କ ଗଳା ବହୁତ ସରୁ। ତେଣୁ ସେମାନେ କୌଣସି ମଣିଷକୁ ପେଟ ଭିତରକୁ ଗିଳି ପାରିବେ ନାହିଁ। ଏହି ହ୍ୱେଲ୍ ମାଛଗୁଡ଼ିକ ପାଣି ଭିତରେ ବଡ଼ ପାଟି କରି ଛୋଟ ଛୋଟ ମାଛମାନଙ୍କୁ ଶିକାର କରିଥାନ୍ତି। ଦୁର୍ଭାଗ୍ୟବଶତଃ, ପ୍ୟାକର୍ଡ ସେହି ସମୟରେ ସେଠାରେ ଉପସ୍ଥିତ ଥିଲେ ଏବଂ ଛୋଟ ମାଛମାନଙ୍କ ସହିତ ସେ ମଧ୍ୟ ଭୁଲ୍ବଶତଃ ହ୍ୱେଲ୍ ମାଛର ପାଟି ଭିତରକୁ ଚାଲିଯାଇଥିଲେ।

