fbpx

ଲଗାଣ ବର୍ଷାକୁ ନେଇ କ’ଣ କହୁଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର, ଜାଣନ୍ତୁ

ଭୁବନେଶ୍ୱର,(ଓଡିଶା ଭାସ୍କର): ଆଗାମୀ ୨୪ ଘଣ୍ଟା ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସନ୍ଧ୍ୟାରୁ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ କମିବ ବୋଲି କୁହାଯାଇଛି । ଏହା ସହ ଆଭ୍ୟନ୍ତରୀଣ ଓଡ଼ିଶା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି ।

ଏହା ବ୍ୟତୀତ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ୫ ବର୍ଷ ଭିତରେ ଲଘୁଚାପରେ ଏତେ ବର୍ଷା ହୋଇନି । ଚଳିତଥର ଲଘୁଚାପରେ ୫୩୦ ମିମି ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଉପକୂଳ ଓଡ଼ିଶାର ୯ଟି ସ୍ଥାନରେ ୩୦୦ ମିମି ବର୍ଷା ହୋଇଛି । ଏହା ସହ ୫୭ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।

ପାଣିପାଗ କେନ୍ଦ୍ର ପକ୍ଷରୁ ୫ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି । ସେହି ୫ଟି ଜିଲ୍ଲାରେ ରହିଛି ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର ଓ ବରଗଡ଼ । ରେଡ ୱାର୍ଣ୍ଣିଂ ଜାରି ହୋଇଥିବା ୫ଟି ଜିଲ୍ଲାରେ ୨୦ ସେମି ବର୍ଷା ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ ୧୦ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହି ୧୦ଟି ଜିଲ୍ଲା ହେଉଛି- ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, କେନ୍ଦୁଝର, ଢ଼େଙ୍କାନାଳ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ ଓ କଟକ ।

Get real time updates directly on you device, subscribe now.