fbpx

Blue Aadhaar ଓ Baal Aadhaar କ’ଣ: ଏହା ସାଧାରଣ କାର୍ଡ ଠାରୁ କିପରି ଅଲଗା, ଜାଣନ୍ତୁ UIDAIର ନିୟମ

ନୂଆଦିଲ୍ଲୀ: ଭାରତରେ ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ଏଥିରେ ଅନେକ ପ୍ରକାରର ପରିଚୟ ପ୍ରଣାଳୀ ସାମିଲ ରହିଛି । ସେଥିମଧ୍ୟରେ ଫିଙ୍ଗରପ୍ରିଣ୍ଟ ବିବରଣୀ, ଠିକଣା, ସମ୍ପର୍କ ବିବରଣୀ ଓ ଅନ୍ୟ ବ୍ୟକ୍ତିଗତ ତଥ୍ୟ ରହିଛି । ଆଧାର କାର୍ଡରେ ୧୨ଟି ଅଙ୍କ ରହିଥିବା ବେଳେ ଏହାକୁ ୟୁନିଭରସାଲ ଅନନ୍ୟ ପରିଚାୟକ (ୟୁଆଇଡି) ଭାବେ ସମସ୍ତେ ଜାଣିଥାନ୍ତି ।

ସମସ୍ତ ପ୍ରଶାସନିକ ଓ ସରକାରୀ ଉଦ୍ଦେଶ୍ୟରେ ଏହାକୁ ଏକ ଜରୁରୀ ଡକୁମେଣ୍ଟ ଭାବେ ବ୍ୟବହାର କରାଯାଇଥାଏ । ଏଥିସହିତ ନୂଆ ବ୍ୟାଙ୍କ ଖାତା ଖୋଲିବା, ପାସପୋର୍ଟ, ପ୍ୟାନ କାର୍ଡ ଓ ଅନ୍ୟ ସେବା ଆରମ୍ଭ କରିବା କ୍ଷେତ୍ରରେ ଏହାକୁ ଠିକଣା ପ୍ରମାଣପତ୍ର ଭାବେ ବ୍ୟବହାର କରାଯାଇଥାଏ । ତେବେ ଆପଣମାନେ କେବେ ବ୍ଲୁ ଆଧାର କାର୍ଡ ନାମ ଶୁଣିଛନ୍ତି । ଏହା ସାଧାରଣ କାର୍ଡ ଠାରୁ ଟିକିଏ ଅଲଗା । ଏହି ଆଧାର କାର୍ଡରେ ଶିଶୁଙ୍କ ଆଇରିସ ଓ ଫିଙ୍ଗରପ୍ରିଣ୍ଟ ସ୍କାନ କରିବାକୁ ଆବଶ୍ୟକ ପଡ଼େ ନାହିଁ । ବାଲ ଆଧାର କାର୍ଡକୁ ସତ୍ୟାପିତ କରିବା ପାଇଁ ପିତାମାତାଙ୍କ ମଧ୍ୟରୁ ଜଣଙ୍କୁ ନିଜର ମୂଳ ଆଧାର କାର୍ଡ ଓ ଶିଶୁଙ୍କ ପ୍ରମାଣିକ ଜନ୍ମ ପ୍ରମାଣପତ୍ର ପ୍ରସ୍ତୁତ କରିବାକୁ ପଡ଼ିଥାଏ ।

ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ)ଙ୍କ ଦ୍ୱାରା ବାଲ ଆଧାର କାର୍ଡ ଜାରି କରାଯାଇଥାଏ । ଜନ୍ମରୁ ୫ ବର୍ଷର ପିଲାଙ୍କ ପାଇଁ ଏହା ମାଗଣାରେ ତିଆରି କରାଯାଇଥାଏ । ଏହି କାର୍ଡର ବୈଧତା ୫ ବର୍ଷ ରହିଥିବା ବେଳେ ପିତାମାତା ନିର୍ଦ୍ଧାରିତ ନିର୍ଦ୍ଦେଶନାମାକୁ ପାଳନ କରି ଏହାର ବୈଧତାକୁ ବଢ଼ାଇ ପାରିବେ । ଏହି କାର୍ଡର ରଙ୍ଗ ବ୍ଲୁ ହୋଇଥିବାରୁ ଏହି ଆଧାର କାର୍ଡକୁ ବ୍ଲୁ ଆଧାର କାର୍ଡ କୁହାଯାଇଥାଏ ।

ବାଲ ଆଧାର କାର୍ଡ ଆବେଦନ କରିବା ପାଇଁ ପିତାମାତାଙ୍କୁ ନାମାଙ୍କନ କେନ୍ଦ୍ରରେ କିଛି କାଗଜପତ୍ରର ଆବଶ୍ୟକତା ପଡ଼ିବ । ତେବେ ପ୍ରମାଣିକରଣ ଉଦ୍ଦେଶ୍ୟରେ ଡକ୍ୟୁମେଣ୍ଟକୁ ମୂଳ ଫର୍ମରେ ରଖିବା ନେଇ ଉପଭୋକ୍ତାଙ୍କୁ ଧ୍ୟାନ ଦେବା ଜରୁରୀ । ସେଥିପାଇଁ ଆବଶ୍ୟକ ହେଉଥିବା ସମସ୍ତ ଡକ୍ୟୁମେଣ୍ଟର ଏକ ଫଟୋକପି ପାଖରେ ରଖିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଥାଏ । ଯେଉଁ ଶିଶୁର ଆଧାର କାର୍ଡ ତିଆରି ହେଉଥାଏ, ତା’ର ପିତାମାତା ସାଙ୍ଗରେ ଯିବା ଜରୁରୀ ହୋଇଥାଏ । ତେବେ ଆବଶ୍ୟକ ପଡ଼ୁଥିବା ଡକ୍ୟୁମେଣ୍ଟଗୁଡ଼ିକ ମଧ୍ୟରେ ଜନ୍ମ ପ୍ରମାଣପତ୍ର, ପିତାମାତାଙ୍କ ଆଧାର କାର୍ଡ, ଠିକଣା ପ୍ରମାଣ ପତ୍ର ଓ ସ୍କୁଲ ଆଇଡି (ଯଦି ଶିଶୁ ସ୍କୁଲରେ ପଢ଼ୁଥାଏ) ଆଦି ସାମିଲ ରହିଛି ।

Get real time updates directly on you device, subscribe now.