‘ତୁମର ଧର୍ମ କଣ?’ ପଚାରି ୧୫ ଥର ଛୁରା ମାଡ, ଆମେରିକାରେ ଭାରତୀୟଙ୍କ ଉପରେ ଭୟଙ୍କର ଆକ୍ରମଣ
ଆମେରିକାର ଏକ ଶପିଂ ମଲ୍ରେ ଜଣେ ମୁସଲିମ୍ କର୍ମଚାରୀଙ୍କୁ ୧୫ ଥର ଛୁରୀ ଭୁସି ଆକ୍ରମଣ କରାଯାଇଛି। ଆକ୍ରମଣକାରୀ ଅଭିଯୁକ୍ତ ପଚାରିଥିଲା, "ତୁମର ଧର୍ମ କ’ଣ?" ଏବଂ ପୀଡ଼ିତଙ୍କୁ ଧର୍ମ ଆଧାରରେ ଟାର୍ଗେଟ କରି ହତ୍ୟା କରିବାର ଉଦ୍ଦେଶ୍ୟ ରଖିଥିଲା।
ୱାଶିଂଟନ: ଆମେରିକାର ୟୁଟା ରାଜ୍ୟର ଏକ ସପିଂ ମଲ୍ରେ ଜଣେ ମୁସଲିମ କର୍ମଚାରୀଙ୍କୁ ଧର୍ମକୁ ନେଇ ଛୁରିରେ ବାରମ୍ବାର ଆକ୍ରମଣ କରିଥିବା ଅଭିଯୋଗରେ ୪୮ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ତଦନ୍ତକାରୀଙ୍କ କହିବା ଅନୁସାରେ, ଅଭିଯୁକ୍ତ ନିଜେ ସ୍ୱୀକାର କରିଛନ୍ତି ଯେ ସେ ପୀଡ଼ିତଙ୍କୁ ତାଙ୍କ ମୁସଲିମ ଧର୍ମ ଯୋଗୁଁ ଟାର୍ଗେଟ୍ କରିଥିଲେ।
ରଏଟର୍ସର ଖବର ଅନୁସାରେ, ସେ ପୋଲିସ ଆଗରେ କହିଛି ଯେ ତା’ର ମୁସଲମାନମାନଙ୍କୁ ହତ୍ୟା କରିବାର ଉଦ୍ଦେଶ୍ୟ ଥିଲା ଏବଂ ତା’ର ଏହି ହିଂସାତ୍ମକ ମାନସିକତା ତଥା ପୂର୍ବରୁ ଯୋଜନାବଦ୍ଧ ଭାବେ ଅଘଟଣ ଘଟାଇବାର ପ୍ରବୃତ୍ତି ଯୋଗୁଁ ସେ ସମାଜ ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି ବିବେଚନା କରାଯାଉଛି।
ଏହି ଘଟଣା ସୋମବାର ଦିନ ୱେଷ୍ଟ ଭ୍ୟାଲି ସିଟିସ୍ଥିତ ଭ୍ୟାଲି ଫେୟାର ମଲ୍ରେ ଘଟିଥିଲା। ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ପୀଡ଼ିତଙ୍କ ଶରୀରର ବିଭିନ୍ନ ସ୍ଥାନରେ ଛୁରି ଆଘାତ ଲାଗିଥିବା ଏବଂ ପ୍ରଚୁର ରକ୍ତସ୍ରାବ ହେଉଥିବା ଦେଖିଥିଲା। ପ୍ରତ୍ୟକ୍ଷଦର୍ଶୀମାନେ ପୋଲିସ ଆସିବା ପୂର୍ବରୁ ଅଭିଯୁକ୍ତଙ୍କୁ କାବୁ କରି ରଖିଥିଲେ।
ଅଭିଯୁକ୍ତଙ୍କ ପରିଚୟ ୪୮ ବର୍ଷୀୟ ପିଟର ମାଇକେଲ ଲାର୍ସେନ୍ ବୋଲି ଜଣାପଡ଼ିଛି। ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ନିଷିଦ୍ଧ ବିପଜ୍ଜନକ ଅସ୍ତ୍ର ରଖିବା ଅଭିଯୋଗରେ ମାମଲା ରୁଜୁ କରାଯାଇ ସଲ୍ଟ ଲେକ୍ କାଉଣ୍ଟି ଜେଲ୍କୁ ପଠାଯାଇଛି।
ତଦନ୍ତକାରୀଙ୍କ କହିବା ଅନୁସାରେ, ଲାର୍ସେନ୍ ସ୍ୱୀକାର କରିଛନ୍ତି ଯେ ସେ ପୀଡ଼ିତଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ କେବଳ ତାଙ୍କ ମୁସଲିମ ଧର୍ମ ପାଇଁ ଟାର୍ଗେଟ୍ କରିଥିଲେ।
Uttarakhand Govt.
ସଲ୍ଟ ଲେକ୍ ଟ୍ରିବ୍ୟୁନ୍ର ଖବର ଅନୁସାରେ, ପୀଡ଼ିତ ଜଣକ ମଲ୍ ଭିତରେ ଥିବା ଏକ କିଓସ୍କରେ କାମ କରୁଥିଲେ। ଅଭିଯୁକ୍ତ ପ୍ରଥମେ ତାଙ୍କ ନାମ ପଚାରିଥିଲେ, ପରେ ତାଙ୍କ ଧର୍ମ ବିଷୟରେ ଜାଣିବାକୁ ଚାହିଁଥିଲେ ଏବଂ ଏକ ବୋତଲ ପାଣି ମାଗିଥିଲେ। ୟୁଟା ଇସ୍ଲାମିକ ସେଣ୍ଟରର ଇମାମ ଶୁଆଇବ ଦିନ୍, ଯିଏ ପୀଡ଼ିତଙ୍କ ପରିବାର ସହ ଯୋଗାଯୋଗରେ ଅଛନ୍ତି, କହିଛନ୍ତି ଯେ ପୀଡ଼ିତ ପାଣି ଆଣିବାକୁ ବୁଲିବା ମାତ୍ରେ ଅଭିଯୁକ୍ତ ତାଙ୍କ ଉପରେ ଛୁରିରେ ଆକ୍ରମଣ କରିଥିଲେ।
ଗୁରୁତର ଆହତ ପୀଡ଼ିତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେ ଏବେ ମଧ୍ୟ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ପୀଡ଼ିତଙ୍କ ଜଣେ ବନ୍ଧୁ ଖୋଲିଥିବା ଏକ GoFundMe ପୃଷ୍ଠାରେ ଦାବି କରାଯାଇଛି ଯେ ତାଙ୍କୁ ୧୫ ଥର ଛୁରି ମାରାଯାଇଥିଲା ଏବଂ ତାଙ୍କର ଅନେକ ଅସ୍ତ୍ରୋପଚାର କରିବାକୁ ପଡ଼ିଛି।
ଘଟଣା ସମୟରେ ଉପସ୍ଥିତ ଲୋକମାନେ ଅଭିଯୁକ୍ତଙ୍କୁ କାବୁ କରିବା ବେଳେ ସେ ମଧ୍ୟ ଆହତ ହୋଇଥିଲେ। ପରେ ତାଙ୍କୁ ଚିକିତ୍ସା ପରେ ପୋଲିସ ହେପାଜତକୁ ନିଆଯାଇଥିଲା।
ଆମେରିକାର ମୁସଲିମ ନାଗରିକ ଅଧିକାର ସଂଗଠନ, ବିଶେଷକରି କାଉନ୍ସିଲ୍ ଅନ୍ ଆମେରିକାନ୍-ଇସ୍ଲାମିକ୍ ରିଲେସନ୍ସ (CAIR), ଏହି ଆକ୍ରମଣକୁ କଡ଼ା ନିନ୍ଦା କରିଛି।
ଆମେରିକାର ବିଭିନ୍ନ ସଂଗଠନ ଦୀର୍ଘ ଦିନ ଧରି ସତର୍କ କରିଆସୁଛନ୍ତି ଯେ ୨୦୦୧ ମସିହା ସେପ୍ଟେମ୍ବର ୧୧ ଆକ୍ରମଣ ପରଠାରୁ ଦେଶରେ ଇସ୍ଲାମ ବିରୋଧୀ ମନୋଭାବ ବଢ଼ିଛି। ଏହା ସହ ଆଭିବାସନ ବିରୋଧୀ ନୀତି, ଶ୍ୱେତ ଆଧିପତ୍ୟବାଦ ଏବଂ ଗାଜା ଯୁଦ୍ଧକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ତିକ୍ତତା ମଧ୍ୟ ମୁସଲିମଙ୍କ ପ୍ରତି ଶତ୍ରୁତା ବୃଦ୍ଧିର କାରଣ ବୋଲି ସେମାନେ କହିଛନ୍ତି।
ନିକଟ ଅତୀତରେ ଆମେରିକାରେ ମୁସଲିମଙ୍କ ଉପରେ ଅନେକ ମାରାତ୍ମକ ଆକ୍ରମଣ ଘଟିଛି। ୨୦୨୩ରେ ଇଲିନୋଇସ୍ରେ ଜଣେ ୬ ବର୍ଷର ମୁସଲିମ ଶିଶୁଙ୍କୁ ଛୁରି ମାରି ହତ୍ୟା କରାଯାଇଥିଲା। ଏହି ମାମଲାରେ ଦୋଷୀଙ୍କୁ ୫୩ ବର୍ଷ କାରାଦଣ୍ଡ ହୋଇଥିଲା ଏବଂ ପରେ ଜେଲ୍ରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ୨୦୨୬ରେ ସାନ୍ ଡିଏଗୋର ଏକ ମସଜିଦରେ ହୋଇଥିବା ଗୁଳିକାଣ୍ଡରେ ଦୁଇଜଣ କିଶୋର ସନ୍ଦିଗ୍ଧଙ୍କ ସମେତ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିଲା।

