fbpx

ମରିବା ସମୟରେ ରାବଣ ଲକ୍ଷ୍ମଣଙ୍କୁ ଜଣାଇଥିଲେ ଜୀବନର ତିନି ବଡ ରହସ୍ୟ, ଆପଣ ଜାଣିବା ନିହାତି ଜରୁରୀ

ଭୁବନେଶ୍ଵର: ବୁଧବାର ଦେଶବ୍ୟାପୀ ଆନନ୍ଦ ଉଲ୍ଲାସର ସହ ଦଶହରା ପାଳନ କରାଯାଉଛି। ଆଜିର ଦିନକୁ ଅନ୍ଧକାର ଉପରେ ଆଲୋକର ବିଜୟ, ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ କୁହାଯାଏ। ଆଜିର ଦିନରେ ଭଗବାନ ଶ୍ରୀରାମ ଲଙ୍କାପତି ରାବଣଙ୍କ ବଧ କରି ମାତା ସୀତାଙ୍କୁ ଉଦ୍ଧାର କରିଥିଲେ। ରାବଣ ଜଣେ ଶକ୍ତିଶାଳୀ ଯୋଦ୍ଧା ସହିତ ବହୁତ ଜ୍ଞାନୀ ଏବଂ ବିଦ୍ଵାନ ଥିଲେ।
ରାମାୟଣର କାହାଣୀ ଅନୁସାରେ ରାବଣ ଦୁନିଆର ମହାନ ବିଦ୍ଵାନ ଥିଲା। ରାବଣର ମୃତ୍ୟୁ ସମୟରେ ରାମ ଲକ୍ଷ୍ମଣଙ୍କୁ କହିଥିଲେ ଯେ, ରାବଣ ନୀତି ଏବଂ ଶକ୍ତିର ମହାନ ଜ୍ଞାତା। ତେଣୁ ଏମିତି ସମୟରେ ତୁମେ ମହାଜ୍ଞାନୀ ରାବଣଙ୍କଠୁ ସକଳ ଜୀବନର ଜ୍ଞାନ ପ୍ରାପ୍ତ କରି ନେବା ଉଚିତ୍। ଏହା ଶୁଣି ଲକ୍ଷ୍ମଣ ଦଶାନନଙ୍କ ପାଦ ତଳେ ଯାଇ ବସି ପଡିଥିଲେ। ତେବେ ଯାଇ ରାବଣ ଲକ୍ଷ୍ମଣଙ୍କୁ ଜୀବନ ଅମୂଲ୍ୟ ତିନି ନୀତି ଜଣାଇଥିଲେ। ଆସନ୍ତୁ ଜାଣିବା ସେହି ତିନି ନୀତି କଣ ଥିଲା।

ପ୍ରଥମ ଉପଦେଶ:ରାବଣ ଲକ୍ଷ୍ମଣଙ୍କୁ କହିଥିଲେ ଯେ, ଶୁଭ କାର୍ଯ୍ୟ ଯେତେ ଶୀଘ୍ର ସମ୍ଭବ କରିଦେବା ଉଚିତ୍। ଏହାକୁ ନେଇ ଅଧିକ ସମୟ ଅପେକ୍ଷା କରିବା ଉଚିତ୍ ନୁହେଁ। ନଚେତ୍ ଜୀବନ କେବେ ସମାପ୍ତ ହୋଇଯିବ, କାହାକୁ ଜଣା ନାହିଁ। ଅଶୁଭ କାର୍ଯ୍ୟକୁ ଯେତେ ଟାଳି ପାରିବ, ଜୀବନ ପାଇଁ ସେତେ ଭଲ।

ଦ୍ଵିତୀୟ ଉପଦେଶ:ରାବଣ ଲକ୍ଷ୍ମଣଙ୍କୁ ଦ୍ଵିତୀୟ ସବୁଠୁ ବଡ ମହତ୍ଵପୂର୍ଣ୍ଣ କଥା କହିଛନ୍ତି ଯେ, ଶତ୍ରୁ ଏବଂ ରୋଗକୁ କେବେ ବି ଛୋଟ ଭାବିବ ନାହିଁ। ଛୋଟରୁ ଛୋଟ ରୋଗ ବି ପ୍ରାଣଘାତୀ ହୋଇପାରେ। ରାବଣ ରାମ, ଲକ୍ଷ୍ମଣ ଏବଂ ତାଙ୍କର ବାନର ସେନାଙ୍କୁ ତୁଚ୍ଛ ମଣିଥିଲା ଏବଂ ସେହି ବାନର ସେନା ହିଁ ରାବଣର ମୃତ୍ୟୁର କାରଣ ପାଲଟିଥିଲା।

ତୃତୀୟ ଉପଦେଶ:ତୃତୀୟ ବହୁମୂଲ୍ୟ ଉପଦେଶରେ ରାବଣ କହିଛନ୍ତି, ଜୀବନ ସହ ଜଡିତ ନିଜର ବ୍ୟକ୍ତିଗତ କଥାକୁ ଯଥା ସମ୍ଭବ ଗୁପ୍ତ ରଖିବା ଉଚିତ୍। ଏହାକୁ କୌଣସି ବ୍ୟକ୍ତିଙ୍କ ଆଗରେ ପ୍ରକାଶ କରିବା ଉଚିତ୍ ନୁହେଁ। ନିଜର ଯେତେ ସବୁଠୁ ବଡ ପ୍ରିୟ ହୋଇଥାଉ ନା କାହିଁକି। ଯଦି ସେହି ରହସ୍ୟ କାହାରି ସାମ୍ନାକୁ ଚାଲିଆସେ ତେବେ ଜୀବନରେ କୁପ୍ରଭାବ ପଡିଥାଏ। ରାବଣର ନାଭିରେ ଅମୃତ କୁଣ୍ଡ ଥିବା ରହସ୍ୟ ବିଭୀଷଣଙ୍କୁ ଜଣାଥିଲା। ଆଉ ଏହା ହିଁ ରାବଣର ଅନ୍ତର କାରଣ ପାଲଟିଥିଲା।

Get real time updates directly on you device, subscribe now.