fbpx

ପାରାଦୀପରେ ଇଣ୍ଡିଆନ ଅଏଲ୍‌ର PADC ଉଦଘାଟନ ସମୟରେ କଣ କହିଲେ ମୁଖ୍ୟମନ୍ତ୍ରୀ ?

ପାରାଦୀପ, ୨୫।୬(ଓଡ଼ିଶା ଭାସ୍କର): ପାରାଦୀପରେ ଇଣ୍ଡିଆନ ଅଏଲ୍‌ର ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ରକୁ ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭର୍ଚୁଆଲ ଉତ୍ସବରେ ଉଦ୍‌ଘାଟିତ ହୋଇଛି ୪୩ କୋଟିର ପ୍ରକଳ୍ପ । ଏହି କେନ୍ଦ୍ର ଦେଶରେ ଷଷ୍ଠ ଓ ପୂର୍ବ ଭାରତର ଦ୍ବିତୀୟ ପ୍ରକଳ୍ପ ବୋଲି କୁହାଯାଉଛି । ତେବେ ଉଦଘାଟନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଉଦ୍‌ବୋଧନ ଦେଇ କହିଛନ୍ତି ଯେ, ‘PADC ଓଡ଼ିଶାର ଅଭିବୃଦ୍ଧିରେ ସହାୟକ ହେବ । ପ୍ଲାଷ୍ଟିକ ଓ ପଲିମର କ୍ଷେତ୍ରରେ ନିର୍ମାଣ ପାଇଁ ନିବେଶକାରୀଙ୍କୁ ଏହା ସହାୟକ ହେବ । ଓଡ଼ିଶାରେ ପ୍ଲାଷ୍ଟିକ ଉଦ୍ୟୋଗ ପାଇଁ IOCLର ଗୁରୁତ୍ବପୂର୍ଣ୍ଣ ଭୂମିକା । ଭିତ୍ତିଭୂମି, କଞ୍ଚାମାଲ ପାଇଁ ଉଦ୍ୟୋଗୀଙ୍କୁ ଏହା ସହଯୋଗ କରିବ । ପଲିମର ଆଧାରିତ ଉଦ୍ୟୋଗ ପାଇଁ PADC ମୁଖ୍ୟ ଭୂମିକା ନେବ ।’

ସେହିପରି ଉଦ୍‌ଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ‘ଓଡ଼ିଶାର ବିକାଶ ପାଇଁ PADC କାର୍ଯ୍ୟ କରିବ । ଓଡ଼ିଶାରେ ରୋଜଗାର ଓ ରାଜସ୍ବ ବଢ଼ାଇବା ଉଦ୍ୟମକୁ କେନ୍ଦ୍ର ସହଯୋଗ କରୁଛି । ପାରାଦୀପରେ ବିଶ୍ବସ୍ତରର ପ୍ଲାଷ୍ଟିକ ପାର୍କ ନିର୍ମାଣ ହୋଇଛି । ପ୍ଲାଷ୍ଟିକ ଆଧାରିତ ଆଧୁନିକ ଉପକରଣ ନିର୍ମାଣ କରାଯିବ । ସିପେଟର ଉଚ୍ଚସ୍ତରର ଟ୍ରେନିଂ ସେଣ୍ଟର ନିର୍ମାଣ ହୋଇଛି । ପ୍ଲାଷ୍ଟିକ ଉଦ୍ୟୋଗୀଙ୍କୁ ନିରନ୍ତର ଓ କମ ମୂଲ୍ୟରେ କଞ୍ଚା ମାଲ୍‌ ମିଳୁ । ଏହା ଓଡ଼ିଆ ଯୁବକଙ୍କୁ ଆତ୍ମନିର୍ଭର ହେବାରେ ବଡ଼ ପଦକ୍ଷେପ ହେବ ।’ ଏହା କହିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Get real time updates directly on you device, subscribe now.