fbpx

ପେଗାସସ ବିବାଦ: ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ବିଜେପିର କାଉଣ୍ଟର, ସମ୍ବିତ କହିଲେ ରାହୁଲଙ୍କ ଜାସୁସିର କ’ଣ ମିଳିବ

ନୂଆଦିଲ୍ଳୀ: ପେଗାସସ୍ ଗୁପ୍ତଚର ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏହି ପ୍ରସଙ୍ଗରେ ବୁଧବାର କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଅନେକ ବିରୋଧୀ ଦଳର ନେତାଙ୍କ ସହ ମିଶି ରଣନୀତି ପ୍ରସ୍ତୁତ କରିଛନ୍ତି । ବୁଧବାର ରାହୁଲ ଗାନ୍ଧୀ ପେଗାସସକୁ ନେଇ ସରକାରଙ୍କୁ ଘେରିଥିଲେ । ଯାହାକୁ ବିଜେପି ବିରୋଧୀଙ୍କ ଡ୍ରାମା ବୋଲି କହିଛିି । ରାହୁଲ ଗାନ୍ଧୀଙ୍କ ଜାସୁସି କରି କ’ଣ ମିଳିବ ବୋଲି ପ୍ରଶ୍ନ କରିଛି ବିଜେପି । ଏହା ସହ ବିଜେପି କହିଛି ଯଦି ରାହୁଲ ଗାନ୍ଧୀଙ୍କ ଜାସୁସି ହୋଇଛି ତେବେ ସେ କାହିଁକି ମାମଲା ରୁଜୁ କରୁନାହିଁନ୍ତି?

ବିଜେପି ମୁଖପାତ୍ର ସମ୍ବିତ୍ ପାତ୍ର କହିଛନ୍ତି ଯେ ଯଦି ରାହୁଲ ଗାନ୍ଧୀଙ୍କ ଫୋନ୍କୁ ପେଗାସସ ଭାଇରସ ଦ୍ୱାରା ଜାସୁସି କରାଯାଇଛି ତେବେ ସେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ କରିନାହିଁନ୍ତି କାହିଁକି, କାହଁକି ସେ କେବଳ ସାମ୍ବାଦିକ ସମ୍ମଳନୀ କରୁଛନ୍ତି? କାହିଁକି କେହି ରାହୁଲ ଗାନ୍ଧୀଙ୍କ ଉପରେ ଜାସୁସି କରିବେ? ସେ କଂଗ୍ରେସ ଦଳ ଚଳାଇବାରେ ବିଫଳ ହୋଇଛନ୍ତି । ତାଙ୍କ ଜାସୁସିରୁ କ’ଣ ମିଳିବ? ରାହୁଲ ତାଙ୍କ ଫୋନ ଚେକ୍ କରାନ୍ତୁ ।

ବିଜେପି ମୁଖପାତ୍ର ଆହୁରି କହିଛନ୍ତି, ବିରୋଧୀ ଦଳ କ’ଣ ଚାହୁଁଛନ୍ତି? ସେମାନଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ସେମାନଙ୍କ ପରିବାରକୁ ବଞ୍ଚାଇବା। ରାହୁଲ ଏବଂ ପ୍ରିୟଙ୍କା କେବଳ ରାଜନୈତିକ ସ୍ତରରେ ପ୍ରତିଷ୍ଠିତ ହେବାକୁ ଚାହାଁନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚିନ୍ତା କେବଳ ଭାରତକୁ ବିକାଶ ପଥରେ ରଖିବା । ଜନତା ଏହି ଡ୍ରାମାକୁ ବୁଝି ପାରୁଛନ୍ତି । ସେ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବୈଠକ ଡକାନ୍ତି କିନ୍ତୁ କଂଗ୍ରେସ ଏହାକୁ ପ୍ରତ୍ୟାଖ୍ୟାନ କରିଥାଏ ।

Get real time updates directly on you device, subscribe now.