ଆମେରିକା-ଇରାନ ମଧ୍ୟରେ ମହାଚୁକ୍ତି! ଜାଣନ୍ତୁ କ’ଣ ରହିଛି ୧୪ଟି ପ୍ରମୁଖ ସର୍ତ୍ତ
ରିପୋର୍ଟ ଅନୁସାରେ ୧୪-ଦଫା ସମ୍ମତି ପତ୍ରରେ ହର୍ମୁଜ ପ୍ରଣାଳୀ, କଟକଣା ଏବଂ ୩୦୦ ବିଲିୟନ ଡଲାର (୩୦,୦୦୦ କୋଟି ଡଲାର) ର ପୁନରୁଦ୍ଧାର ଯୋଜନା ସାମିଲ ରହିଛି।
ଶୁକ୍ରବାର ଦିନ ହେବାକୁ ଥିବା ଚୁକ୍ତି ସ୍ଵାକ୍ଷର ସମାରୋହ ପୂର୍ବରୁ, ଇରାନର ସରକାରୀ ମାନ୍ୟତା ପ୍ରାପ୍ତ ‘ମେହେର’ (Mehr) ନ୍ୟୁଜ୍ ଏଜେନ୍ସି ୱାଶିଂଟନ ଏବଂ ତେହେରାନ ମଧ୍ୟରେ ହେବାକୁ ଥିବା ଏକ ୧୪-ଦଫା ସମ୍ମତି ପତ୍ରର ଚିଠା (draft) ବିବରଣୀ ପ୍ରକାଶ କରିଛି। ତେବେ ଦୁଇ ଦେଶର ସରକାରଙ୍କ ମଧ୍ୟରୁ କେହି ବି ଆନୁଷ୍ଠାନିକ ଭାବେ ଏହି ବିବରଣୀକୁ ସ୍ପଷ୍ଟ କରିନାହାନ୍ତି। ତେଣୁ ସତ୍ୟାସତ୍ୟ ଜଣାପଡ଼ିବା ପର୍ଯ୍ୟନ୍ତ ଏହାକୁ କେବଳ ଇରାନ ସରକାରୀ ଗଣମାଧ୍ୟମର ଏକ ବୟାନ ଭାବେ ଧରାଯିବା ଉଚିତ।
୧୪-ଦଫା ସମ୍ମତି ପତ୍ରରେ କଣ ଅଛି: ଇରାନ ସରକାରୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହା ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଏକ ୧୪-ଦଫା ସମ୍ମତି ପତ୍ରର ଚିଠା ବିବରଣୀ ଅଟେ।
ଏହି ନିର୍ଦ୍ଦିଷ୍ଟ ଦଫାଗୁଡ଼ିକୁ ଦୁଇ ଦେଶ ମଧ୍ୟରୁ କେହି ବି ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରିନାହାନ୍ତି। ଏହି ପ୍ରସ୍ତାବିତ ବିବରଣୀରେ ରହିଛି:
୧. ଲେବାନନ୍ ସମେତ ସମସ୍ତ ସୀମାରେ ଏକ ସ୍ଥାୟୀ ଯୁଦ୍ଧବିରତି
୨. ଇରାନର ଆଭ୍ୟନ୍ତରୀଣ ବ୍ୟାପାରରେ ଆମେରିକା ହସ୍ତକ୍ଷେପ ନ କରିବା ପାଇଁ ପ୍ରତିଶ୍ରୁତି
୩. ୩୦ ଦିନ ମଧ୍ୟରେ ଆମେରିକାର ନୌସେନା ଅବରୋଧ ହଟାଇବା।
୪. ଆମେରିକା ଇରାନରୁ ନିଜ ସେନା ପ୍ରତ୍ୟାହାର କରିବ
୫. ୩୦ ଦିନ ମଧ୍ୟରେ “ଇରାନର ବ୍ୟବସ୍ଥା ଅଧୀନରେ” ହର୍ମୁଜ ପ୍ରଣାଳୀ (Strait of Hormuz) କୁ ପୁଣିଥରେ ଖୋଲାଯିବ।
୬. ଆମେରିକା ଏବଂ ତାର ସହଯୋଗୀ ଦେଶଗୁଡ଼ିକ ଇରାନର ପୁନରୁଦ୍ଧାର ପାଇଁ ଅତିକମରେ ୩୦,୦୦୦ କୋଟି ଡଲାର ($300bn) ର ଯୋଜନା ପ୍ରଦାନ କରିବେ ।
୭. ଇରାନର ତେଲ ଓ ଶକ୍ତି ଉତ୍ପାଦ ଉପରୁ କଟକଣା ହଟାଇ ଦିଆଯିବ।
୮. ଅପରପକ୍ଷରେ, ପରମାଣୁ ଅସ୍ତ୍ର ତିଆରି ନ କରିବା ପାଇଁ ଇରାନ ତାର ପ୍ରତିଶ୍ରୁତିକୁ ଦୋହରାଇଛି।
୯. ଆମେରିକା ଏହି ଅଞ୍ଚଳରେ ନିଜର ସେନା ସଂଖ୍ୟା ନ ବଢ଼ାଇବା ଏବଂ କୌଣସି ନୂଆ କଟକଣା ନ ଲଗାଇବା ପାଇଁ ପ୍ରତିଶ୍ରୁତି ଦେଇଛି।
‘ମେହେର’ ନ୍ୟୁଜ୍ ଏଜେନ୍ସି ଏହା ମଧ୍ୟ ରିପୋର୍ଟ କରିଛି ଯେ, “ଇରାନର ଅଟକ ରହିଥିବା ଅଧା ପାଣ୍ଠି ମୁକ୍ତ ନ ହେବା, ତେଲ କଟକଣା ସ୍ଥଗିତ ନ ହେବା ଏବଂ ନୌସେନା ଅବରୋଧ ନ ହଟିବା ପର୍ୟ୍ୟନ୍ତ ଚୂଡ଼ାନ୍ତ ଆଲୋଚନା ଆରମ୍ଭ ହେବ ନାହିଁ।”
ଏଥିରେ ଏହା ମଧ୍ୟ କୁହାଯାଇଛି ଯେ ଏହି ଚୂଡ଼ାନ୍ତ ଚୁକ୍ତିନାମାକୁ ଜାତିସଂଘ ସୁରକ୍ଷା ପରିଷଦ (UN Security Council) ର ଏକ ସଂକଳ୍ପ ଦ୍ୱାରା ମଞ୍ଜୁରୀ ଦିଆଯିବ। ‘ମେହେର’ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଏହି ଚିଠା ପ୍ରସ୍ତାବରେ ଲେବାନନ୍ ସମେତ ସମସ୍ତ ସୀମାରେ ଏକ ସ୍ଥାୟୀ ଯୁଦ୍ଧବିରତି ସାମିଲ ଅଛି। ଏହା ସହିତ ଇରାନର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବା ପାଇଁ ଆମେରିକା ପ୍ରତିଶ୍ରୁତି ଦେଇଛି।
ରିପୋର୍ଟ ଅନୁସାରେ, ଏହି ସର୍ତ୍ତଗୁଡ଼ିକରେ ୱାଶିଂଟନକୁ ୩୦ ଦିନ ମଧ୍ୟରେ ନିଜର ନୌସେନା ଅବରୋଧ ହଟାଇବାକୁ ପଡ଼ିବ ଏବଂ ହରମୁଜ୍ ପ୍ରଣାଳୀ (Strait of Hormuz) କୁ ପୁଣିଥରେ ଖୋଲିବାକୁ ଅନୁମତି ଦେବାକୁ ହେବ। ଏହି ପ୍ରଣାଳୀକୁ ପୁଣିଥରେ ଖୋଲିବା କାର୍ଯ୍ୟ “ଇରାନର ବ୍ୟବସ୍ଥା ଅଧୀନରେ” କରାଯିବ। ଏହି ଦସ୍ତାବିଜରେ ଆମେରିକା ସେନାକୁ ଇରାନରୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ କୁହାଯାଇଛି। ଏହା ସହ ସେହି ଅଞ୍ଚଳରେ ନିଜର ସାମରିକ ସ୍ଥିତି ନ ବଢ଼ାଇବା କିମ୍ବା କୌଣସି ନୂଆ କଟକଣା ନ ଲଗାଇବା ପାଇଁ ଆମେରିକା ପ୍ରତିଶ୍ରୁତି ଦେଇଛି ଏବଂ ଇରାନର ତେଲ ତଥା ଶକ୍ତି ରପ୍ତାନି ଉପରୁ ସମସ୍ତ କଟକଣା ହଟାଇବାକୁ ମଧ୍ୟ ପ୍ରସ୍ତାବ ରହିଛି।
ତେବେ, ଏହିସବୁ ନିର୍ଦ୍ଦିଷ୍ଟ ବିବରଣୀ ମଧ୍ୟରୁ କୌଣସିଟିକୁ ଆମେରିକା କିମ୍ବା ଇରାନର ସରକାରୀ ଅଧିକାରୀଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରାଯାଇନାହିଁ କିମ୍ବା କୌଣସି ସ୍ୱାଧୀନ ସୂତ୍ରରୁ ଏହାର ସତ୍ୟାସତ୍ୟ ଜଣାପଡ଼ିନାହିଁ।
ସରକାରୀ ଗଣମାଧ୍ୟମର ରିପୋର୍ଟ ବ୍ୟତୀତ, ଏହି ଚୁକ୍ତି ସମ୍ପର୍କରେ ସବୁଠାରୁ ସ୍ପଷ୍ଟ ସୂଚନା ସିଧାସଳଖ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ମିଳିଛି।
ଉଭୟ ନେତା ସ୍ପଷ୍ଟ କରିଛନ୍ତି ଯେ ସମସ୍ତ ସୀମାରେ ଯୁଦ୍ଧ ବନ୍ଦ ରହିବ, ବିଶେଷ କରି ଲେବାନନ୍ରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲାଗିବ। ଏହି ପ୍ରସଙ୍ଗଟି ଏକ ବଡ଼ ବିବାଦୀୟ ବିଷୟ ଥିଲା, କାରଣ ଇସ୍ରାଏଲ୍ ଚାହୁଁଥିଲା ଯେ ଆମେରିକା-ଇରାନ ମଧ୍ୟରେ ହେବାକୁ ଥିବା ଯେକୌଣସି ଚୁକ୍ତିରୁ ଲେବାନନ୍କୁ ବାହାରେ ରଖାଯାଉ।
ପ୍ରଧାନମନ୍ତ୍ରୀ ସରିଫ ସ୍ପଷ୍ଟ କରିଛନ୍ତି ଯେ ଆସନ୍ତା ଜୁନ୍ ୧୯ ତାରିଖରେ ସୁଇଜରଲ୍ୟାଣ୍ଡରେ ଏହି ଚୁକ୍ତି ସ୍ଵାକ୍ଷର ସମାରୋହ ଅନୁଷ୍ଠିତ ହେବ, ଯାହା ପୂର୍ବରୁ ଚଳିତ ସପ୍ତାହରେ ବୈଷୟିକ ସ୍ତରୀୟ (technical) ଆଲୋଚନା ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଏହି ଚୁକ୍ତି ମଧ୍ୟସ୍ଥତା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ସେ କତାର, ସାଉଦି ଆରବ ଏବଂ ତୁର୍କୀକୁ ଧନ୍ୟବାଦ ଜଣାଇଛନ୍ତି।
ଅପରପକ୍ଷରେ, ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ହରମୁଜ୍ ପ୍ରଣାଳୀ (Strait of Hormuz) ଦେଇ ଯାତାୟାତ କରୁଥିବା ଜାହାଜଗୁଡ଼ିକ ଉପରେ କୌଣସି ପ୍ରକାରର ଶୁଳ୍କ ବା ଟିକସ ନ ଲଗାଇ ପୁଣିଥରେ ଚଳାଚଳ ଆରମ୍ଭ କରାଯିବା ଉଚିତ। ଏଥିସହିତ ଆମେରିକା ଇରାନର ବନ୍ଦରଗୁଡ଼ିକ ଉପରୁ ନିଜର ନୌସେନା ଅବରୋଧ ହଟାଇବାକୁ ସହମତି ପ୍ରକାଶ କରିଛି ବୋଲି ସେ ସ୍ପଷ୍ଟ କରିଛନ୍ତି।


