fbpx

କେବେ ସୁଧୁରିବ କୁଶଭଦ୍ରାର ଦୁଃଖ: ବିଲୁପ୍ତ ହୋଇଯିବ ଇତିହାସ, ହଜିଯିବ ସବୁ ଗୌରବ, ପ୍ରଶାସନର ଦୃଷ୍ଟି ପଡ଼ୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଅବହେଳିତ, ନିଷ୍ପେସିତ, ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ପୁରୀ ଜିଲ୍ଲା ନିମାପଡ଼ା ନିକଟରେ ପ୍ରବାହିତ କୁଶଭଦ୍ରା । ବହୁ ପୂରାତନ କାଳରୁ ଏହି ନଦୀ ତଟ ଥିଲା ବହୁ ମୁନୀ ଋଷିଙ୍କର ବାସସ୍ଥାନ । ମାତ୍ର ଆଜି କେହି ତାକୁ ପଚାରୁ ନାହାନ୍ତି । ସତେ ଯେମିତି ଗୁମୁରୁ ଗୁମୁରି କାନ୍ଦୁଛି ଏହି ପୁରାଣ ପୃଷ୍ଠା ମଣ୍ଡନକାରୀ କୁଶଭଦ୍ରା । ନଦୀରେ ଆବର୍ଜନା ପରିପୂର୍ଣ୍ଣ ହୋଇ ରହିଛି । କେବେ ପ୍ରଶାସନର ନିଦ ଭାଙ୍ଗିବ ଆଉ କୁଶଭଦ୍ରା ତା’ର ଗୌରମବୟ ଇତିହାସ ଫେରି ପାଇବ, ତାହାକୁ ହିଁ କେବଳ ଅପେକ୍ଷା ।

କୁଶଭଦ୍ରା ନଦୀ ତଟରେ ପିଙ୍ଗଳାକ୍ଷୀ ଠାକୁରାଣୀ, ସିଦେ୍ଧଶ୍ୱର ଦେବ, ମା’ ଅଡ଼ଙ୍ଗେଇ ଠାକୁରାଣୀ, ବୁଢ଼ୀ ନାହାକିଆଣି, ଦଶମଲ୍ଲ ପରି ବହୁ ଶକ୍ତିପୀଠ ରହିଛି । ପ୍ରତ୍ୟେକ ବର୍ଷ ଛାଡ଼ଖାଇ ଅବସରରେ ନଦୀ ତଟରେ ଲୋକମାନେ ଡଙ୍ଗା ଭସାଇ ନିଜର ପରିବାର ପାଇଁ ମାନସିକ କରିଥାନ୍ତି । ମାତ୍ର ଆଜି ସମୟ ବଦଳି ଯାଇଛି, କୁଶଭଦ୍ରା ନଦୀ ଏବେ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଆସିଛି । ଚାରିଆଡ଼େ ଖାଲି ଆବର୍ଜନାମୟ ପରିବେଶ ଦେଖିବାକୁ ମିଳୁଛି ।

ମହାନଦୀ, କାଠଯୋଡ଼ି, କୁଆଖାଇ ନଦୀ ସହ ସଂଯୋଗ ହୋଇଥିବା କୁଶଭଦ୍ରା ନଦୀର ମୁହାଣ ସମୁଦ୍ରକୁ ସ୍ପର୍ଶ କରିଛି । ନଦୀର ଅପରିଷ୍କାର ପରିବେଶର ଫାଇଦା ନେଉଛନ୍ତି ବହୁ ଅସାଧୁ ବ୍ୟକ୍ତି । ବାଲି, ମାଟି ମାଫିଆମାନେ ନଦୀକୁ ଖନନ କରି ବେଧଡ଼କ ଭାବେ ବିକ୍ରି କରୁଥିଲେ ବି ପ୍ରଶାସନର ଏଥିପ୍ରତି ନଜର ନାହିଁ । ରାତିରେ ନଦୀ ପୀଠର ମୁନୀ, ଋଷୀଙ୍କ ଆଶ୍ରମରୁ ଶଙ୍ଖନାଦ ଓ ହରିନାମ ଶୁଭୁଥିବା ବେଳେ ନିଜେ କୁଶଭଦ୍ରା ଆଜି ସର୍ବସ୍ୱ ହରାଇବାକୁ ବସିଛି ।

ତେବେ କୁଶଭଦ୍ରା ନଦୀବନ୍ଧର ମରାମତି ନେଇ ବ୍ୟାପକ ଅର୍ଥ ବିନିଯୋଗ କରାଯାଉଥିଲେ ହେଁ ନଦୀରେ ଅନେକ ସମସ୍ୟା ରହିଛି । ବେଳକୁ ବେଳ ପୁରାଣ ବର୍ଣ୍ଣିତ କିମ୍ବଦନ୍ତୀ ନଦୀ ଆଜି ବିଲୁପ୍ତ ଅବସ୍ଥାକୁ ଚାଲିଆସିଛି । ସମୟକ୍ରମେ ନଦୀ କୂଳରୁ ବହୁ ଔଷଧୀୟ ବୃକ୍ଷ ଲୋପ ପାଇସାରିଛି । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସଂସ୍କୃତି ବିଭାଗ ଏଥିନେଇ ଦୃଷ୍ଟି ଦେଲେ ଏକ ପୂରାତନ କୀର୍ତ୍ତିରାଜି ପୁନରୁଦ୍ଧାର ହୋଇପାରନ୍ତା ବୋଲି ସ୍ଥାନୀୟ ଅଞ୍ଚଳର ଆଧ୍ୟାତ୍ମିକ ବ୍ୟକ୍ତିମାନେ ଆଶାପୋଷଣ କରିଛନ୍ତି ।

Get real time updates directly on you device, subscribe now.