ନଡ଼ିଆ ଭିତରେ ଏତେ ପାଣି କେଉଁଠୁ ଆସେ? ଗଛରେ ନାହିଁ ନଳ କି ପାଇପ୍‌, ତଥାପି କେମିତି ଭରିଯାଏ ପାଣି

ପ୍ରତିବର୍ଷ ସେପ୍ଟେମ୍ବର ୨ ତାରିଖରେ ବିଶ୍ୱ ନଡ଼ିଆ ଦିବସ ପାଳନ କରାଯାଏ।

ନୂଆଦିଲ୍ଲୀ: ନଡ଼ିଆ ପାଣିର ସ୍ୱାଦ ତ ଆପଣ ନିଶ୍ଚୟ ନେଇଥିବେ। କିନ୍ତୁ କେବେ ଭାବିଛନ୍ତି କି, ନଡ଼ିଆ ଭିତରେ ଏତେ ପାଣି ଆସେ କେଉଁଠୁ? ନଡ଼ିଆ ଗଛକୁ ଦେଖିଲେ ନା କୌଣସି ନଳ ଅଛି, ନା ପାଇପ୍‌। ତଥାପି ୬୦ରୁ ୮୦ ଫୁଟ୍‌ ଉଚ୍ଚ ଗଛର ଫଳ ଭିତରେ ଏତେ ସ୍ୱଚ୍ଛ ଓ ମିଠା ପାଣି କେମିତି ଜମା ହୁଏ? ଏହା ପଛରେ ରହିଛି ଏକ ରୋଚକ ବୈଜ୍ଞାନିକ ପ୍ରକ୍ରିୟା।

ପ୍ରତିବର୍ଷ ୨ ସେପ୍ଟେମ୍ବରରେ ବିଶ୍ୱ ନଡ଼ିଆ ଦିବସ ପାଳନ କରାଯାଏ। ଏହି ଅବସରରେ ଆସନ୍ତୁ ଜାଣିବା, ନଡ଼ିଆ ଭିତରେ ପାଣି କେମିତି ତିଆରି ହୁଏ ଏବଂ କେମିତି ସେଠାରେ ଜମା ହୋଇ ରହେ।

ନଡ଼ିଆ ଭିତରକୁ ପାଣି ଯାଏ କେମିତି: ନଡ଼ିଆ ଗଛର ମୂଳ ମାଟି ଭିତରୁ ପାଣି ସହ ଏଥିରେ ମିଶିଥିବା ବିଭିନ୍ନ ଖଣିଜ ପଦାର୍ଥ ବା ମିନେରାଲ୍ସ ଶୋଷଣ କରେ। ଏହି ପାଣି ଗଛର ତଣ୍ଟ ଭିତରେ ଥିବା ଏକ ବିଶେଷ ଟିସୁ ସିଷ୍ଟମ୍‌ ଦେଇ ଉପରକୁ ଯାଏ।

ଏହି ବ୍ୟବସ୍ଥାକୁ ବିଜ୍ଞାନ ଭାଷାରେ ଜାଇଲମ୍‌ କୁହାଯାଏ। ଜାଇଲମ୍‌ ଗଛ ଭିତରେ ଥିବା ଅତି ସୂକ୍ଷ୍ମ ନଳୀ ଭଳି କାମ କରେ। ଏହା ମାଟିରୁ ଶୋଷିତ ପାଣିକୁ ମୂଳରୁ ଗଛର ଉପର ଅଂଶ ଏବଂ ଫଳ ପର୍ଯ୍ୟନ୍ତ ପହଞ୍ଚାଇଥାଏ। ସେଥିପାଇଁ ଏତେ ଉଚ୍ଚ ନଡ଼ିଆ ଗଛର ଚୂଡ଼ାରେ ଥିବା ଫଳ ଭିତରକୁ ମଧ୍ୟ ପାଣି ପହଞ୍ଚିପାରେ।

ଫଳ ଭିତରେ ପାଣି ଜମା ହୁଏ କେମିତି: ଏବେ ପ୍ରଶ୍ନ ହେଉଛି, ଗଛରୁ ପାଣି ଫଳ ପର୍ଯ୍ୟନ୍ତ ଆସିଲା ପରେ ଏହା ନଡ଼ିଆ ଭିତରେ ଜମା ହୁଏ କେମିତି?

ନଡ଼ିଆ ଫଳ ତିଆରି ହେବାର ପ୍ରାରମ୍ଭିକ ସମୟରେ ଏହା ଏକ ଛୋଟ ବୀଜ ଭଳି ଥାଏ। ଏହି ସମୟରେ ଫଳ ଭିତରେ ଏକ ପ୍ରକାର ତରଳ ପଦାର୍ଥ ତିଆରି ହୁଏ, ଯାହାକୁ ବୈଜ୍ଞାନିକ ଭାଷାରେ ଲିକ୍ୱିଡ୍ ଏଣ୍ଡୋସ୍ପର୍ମ କୁହାଯାଏ। ଏହି ତରଳ ପଦାର୍ଥ ହିଁ ଆମେ ପିଉଥିବା ନଡ଼ିଆ ପାଣି।

ଗଛର ପତ୍ରରେ ଫଟୋସିନ୍ଥେସିସ୍‌ ବା ପ୍ରକାଶ ସଂଶ୍ଳେଷଣ ମାଧ୍ୟମରେ ଶର୍କରା ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ତିଆରି ହୁଏ। ଏହି ପୋଷକ ତତ୍ତ୍ୱ ଫ୍ଲୋଏମ୍‌ ନାମକ ଅନ୍ୟ ଏକ ନଳୀ ମାଧ୍ୟମରେ ଫଳ ପର୍ଯ୍ୟନ୍ତ ପହଞ୍ଚେ। ଅନ୍ୟପଟେ ଜାଇଲମ୍‌ ମାଧ୍ୟମରେ ପାଣି ଫଳକୁ ଯାଏ।

ଫଳ ଭିତରେ ପାଣି ଓ ପୋଷକ ତତ୍ତ୍ୱ ମିଶି ଯେଉଁ ତରଳ ତିଆରି ହୁଏ, ତାହାକୁ ଆମେ ନଡ଼ିଆ ପାଣି ବୋଲି କହୁ। ଏଥିରେ କେବଳ ପାଣି ନୁହେଁ, ଶର୍କରା, ଭିଟାମିନ୍‌, ମିନେରାଲ୍ସ ଏବଂ ଆମିନୋ ଏସିଡ୍‌ ମଧ୍ୟ ରହିଥାଏ।

କାହିଁକି କଞ୍ଚା ନଡ଼ିଆରେ ପାଣି ଅଧିକ ଥାଏ: ପ୍ରକୃତିରେ ପ୍ରତ୍ୟେକ ଜିନିଷର କିଛି ନା କିଛି ଉଦ୍ଦେଶ୍ୟ ରହିଛି। ନଡ଼ିଆ ଭିତରେ ଥିବା ଏହି ତରଳ ପଦାର୍ଥ ମୂଳତଃ ଭବିଷ୍ୟତରେ ବିକଶିତ ହେବାକୁ ଥିବା ବୀଜ ପାଇଁ ପୋଷଣର ଏକ ଭଣ୍ଡାର ଭଳି କାମ କରେ।

ନଡ଼ିଆ ଧୀରେ ଧୀରେ ପାଚିବା ସହିତ ଏହି ତରଳ ଏଣ୍ଡୋସ୍ପର୍ମ ଧୀରେ ଧୀରେ ଗାଢ଼ ହୋଇ ଧଳା ନଡ଼ିଆ ଗରା ବା ଶସରେ ପରିଣତ ହୁଏ। ସେଥିପାଇଁ କଞ୍ଚା ନଡ଼ିଆରେ ପାଣି ଅଧିକ ଥାଏ, କିନ୍ତୁ ପାଚିଲା ନଡ଼ିଆରେ ପାଣି କମି ଗରା ଅଧିକ ହୋଇଯାଏ।

ନଡ଼ିଆ ଭିତରର ପାଣି ସୁରକ୍ଷିତ ରହେ କେମିତି: ନଡ଼ିଆର ବାହ୍ୟ ଗଠନ ମଧ୍ୟ ଏଥିରେ ବଡ଼ ଭୂମିକା ନିଏ। ନଡ଼ିଆର ବାହାରେ ଥିବା ରେଶାଯୁକ୍ତ ପରସ୍ତ ଏବଂ ତା’ ଭିତରେ ଥିବା ଶକ୍ତ ଖୋଳ ଫଳକୁ ବାହାରର ତାପ, କୀଟପତଙ୍ଗ ଏବଂ ଅତ୍ୟଧିକ ଆର୍ଦ୍ରତା ହ୍ରାସରୁ ସୁରକ୍ଷା ଦେଇଥାଏ।

ଏହି କାରଣରୁ ନଡ଼ିଆ ଭିତରେ ଥିବା ପାଣି ବାହାର ପରିବେଶର ପ୍ରଭାବରୁ ଅନେକ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ରହିପାରେ।

ଗୋଟିଏ ନଡ଼ିଆରେ କେତେ ପାଣି ଥାଏ: ସାଧାରଣତଃ ଗୋଟିଏ କଞ୍ଚା ନଡ଼ିଆରେ ପ୍ରାୟ ୨୦୦ରୁ ୮୦୦ ମିଲିଲିଟର ପର୍ଯ୍ୟନ୍ତ ପାଣି ଥାଇପାରେ। ତେବେ ଏହା ନଡ଼ିଆର ପ୍ରଜାତି, ମାଟିର ଗୁଣ ଏବଂ ଫଳର ବୟସ ଉପରେ ନିର୍ଭର କରେ।

ତେଣୁ ନଡ଼ିଆ ଭିତରେ ଥିବା ପାଣି କୌଣସି ରହସ୍ୟମୟ ଘଟଣା ନୁହେଁ। ମାଟିରୁ ମୂଳ ପାଣି ଶୋଷେ, ଜାଇଲମ୍‌ ଏହାକୁ ଉପରକୁ ନେଇଯାଏ ଏବଂ ଫଳ ଭିତରେ ଏହା ପୋଷକ ତତ୍ତ୍ୱ ସହ ମିଶି ନଡ଼ିଆ ପାଣିର ରୂପ ନିଏ। ପ୍ରକୃତିର ଏହି ସରଳ କିନ୍ତୁ ଚମତ୍କାର ପ୍ରକ୍ରିୟା ହିଁ ଆମକୁ ନଡ଼ିଆ ଭିତରେ ଏତେ ସ୍ୱଚ୍ଛ ପାଣି ଦେଇଥାଏ।