fbpx

ମାସିକ ୨ ଶହ ୟୁନିଟ୍ ମାଗଣା ବିଦ୍ୟୁତ ପ୍ରସଙ୍ଗ: ଲାଭରେ ବିତରକ, ଓଡ଼ିଶାର ବଳକା ବିଦ୍ୟୁତ ଯାଉଛି କୁଆଡ଼େ?

ଭୁବନେଶ୍ୱର, ୧୬ା୪ (ଓଡିଶା ଭାସ୍କର): ଓଡ଼ିଶାବାସୀଙ୍କୁ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଯୋଗାଇଦେବା ଦାବି ନେଇ ଆପ ସଂଯୋଜକ ନିଶିକାନ୍ତ ମହାପାତ୍ର ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଠାରେ ଗତ ୭ ତାରିଖଠାରୁ ଧାରଣାରେ ବସିଛନ୍ତି । ସେ ଦାବି କରିଛନ୍ତି ଯେ, ରାଜ୍ୟ ସରକାର ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କରୁଥିବା ପରିବାରକୁ ମାଗଣାରେ ବିଜୁଳି ଯୋଗାଇ ଦିଅନ୍ତୁ । ଦିଲ୍ଲୀରେ ସରକାର ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣା ଏବଂ ୪୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ ଅଧା କରିଥିବାବେଳେ ଓଡ଼ିଶା ସରକାର କାହିଁକି ଏଭଳି କରିପାରିବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଦିଲ୍ଳୀରେ ଆପ୍ ସରକାର ଆସିବା ପରଠାରୁ କେବେ ବି ଦରବୃଦ୍ଧି କରାଯାଇନାହିଁ ।

ଅନ୍ୟପକ୍ଷରେ ଗତ ଏପ୍ରିଲ ୪ ତାରିଖରୁ ଓଡ଼ିଶାରେ ଲାଗୁ ହୋଇଥିବା ବିଦ୍ୟୁତ ଦରବୃଦ୍ଧିକୁ ପ୍ରତ୍ୟାହାର କରାଯିବାକୁ ସେ ଦାବି କରିଛନ୍ତି । ଏହି ବିଜୁଳି ଦରବୃଦ୍ଧିକୁ ନେଇ ବିରୋଧୀ ବିଧାନସଭାରେ ପ୍ରତିବାଦ ସହ ଦିଲ୍ଲୀ ମଡେଲର ଉଦାହରଣ ଦେଇଥିଲେ । ମାତ୍ର ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣା ଯୋଗାଇଦେବାକୁ ଏବଂ ସିଏଜି ଅଡିଟ କରିବା ପାଇଁ ଦାବି କରିନଥିଲେ । ଓଡ଼ିଶା ସରକାର ବିଜୁଳି ବିଲରେ ସବସିଡି ଦେଉନାନ୍ତି କି ବିଜୁଳି ବିଲ କମ କରୁନାହାଁନ୍ତି । ହେଲେ ଅବସ୍ଥାରେ ଉନ୍ନତି ଆଣିବା ପ୍ରତିଶ୍ରୁତି ବଦଳରେ ବିତରକ କମ୍ପାନୀଗୁଡିକୁ ପରୋକ୍ଷରେ ବିଭିନ୍ନ ସମୟରେ ବିଦ୍ୟୁତ ଦର ବୃଦ୍ଧି କରିବାକୁ ପ୍ରୋତ୍ସାହନ ଦିଆଯାଉଛି । ଗତ ସେପ୍ଟେମ୍ବରରେ ବିଜୁଳି ବିଲ ୟୁନିଟ ପିଛା ୨୦ ପଇସା ବଢିଥିବାବେଳେ ଏପ୍ରିଲ ୪ ତାରିଖରୁ ଘରୋଇ ଗ୍ରାହକମାନଙ୍କଠାରୁ ୟୁନିଟ ପିଛା ୩୦ ପଇସା ନେବା ପାଇଁ କୁହାଯାଇଛି । ସେ କହିଛନ୍ତି, ଓଡ଼ିଶା ଏକ ବିଦ୍ୟୁତ ଉତ୍ପାଦନକାରୀ ରାଜ୍ୟ । ଏଠାରୁ ବିଜୁଳି ଅନ୍ୟ ରାଜ୍ୟକୁ ବିକ୍ରି କରାଯାଇଥାଏ । ଓଡ଼ିଶାରେ ବିଜୁଳି ଉତ୍ପାଦନ କ୍ଷମତା ଥାଇ ମଧ୍ୟ ବିଜୁଳି ବିଲ ବଢି ବଢି ଚାଲିଛି ।

ନିଶିକାନ୍ତ ଦାବି କରିଛନ୍ତି ଯେ, ସରକାର ବିଜୁଳିକୁ ଏକ ମୌଳିକ ସୁବିଧା ଭାବରେ ଲୋକମାନଙ୍କୁ ଯୋଗାଇ ଦିଅନ୍ତୁ । ଓଡ଼ିଶାରେ ୩୦% ବିଜୁଳି ନଷ୍ଟ ହେଉଛି । ଏହାଛଡା ବିଦ୍ୟୁତ ସରବରାହରେ ମଧ୍ୟ ବିଜୁଳି ନଷ୍ଟ ହେଉଛି । ବିଜୁଳି ଚୋରି ହେଉଛି, ଯାହା ଉପରେ ସରକାର ଧ୍ୟାନ ଦେଉନାହାନ୍ତି । ଆଧୁନିକ ଇନଫ୍ରାଷ୍ଟ୍ରକଚର ଏବଂ ଶକ୍ତି ବୃଦ୍ଧି ଦ୍ୱାରା ଏହି କ୍ଷତି କମାଇ ହେବ ବୋଲି ସେ କହିଥିଲେ । ମାତ୍ର ଦିଲ୍ଲୀ ସରକାରଙ୍କ ପାଖରେ ବିଦ୍ୟୁତ ଉତ୍ପାଦନ କରିବାର କ୍ଷମତା ନାହିଁ । ଦିଲ୍ଲୀ ସରକାର ବିଦ୍ୟୁତ କମ୍ପାନୀମାନଙ୍କଠାରୁ ଖୋଲା ବଜାରରୁ ବିଜୁଳି କିଣିଥାନ୍ତି, ତଥାପି ଗତ ୬ ବର୍ଷ ମଧ୍ୟରେ ବିଜୁଳି ଦର ବୃଦ୍ଧି କରାଯାଇନାହିଁ । ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି କ୍ଷମତାକୁ ଆସିବା ପରେ ୨୦୦ ୟୁନିଟ ପର୍ୟ୍ୟନ୍ତ ବିଜୁଳି ବିଲ ମାଗଣା କରିଥିଲା ଏବଂ ୪୦୦ ୟୁନିଟ ପର୍ଯ୍ୟନ୍ତ ବିଲ ଅଧା ମାଗଣାରେ ଯୋଗାଇ ଦେଇଥିଲା । ଦିଲ୍ଲୀ ସରକାର ଟ୍ରାନ୍ସଫର୍ମର କ୍ଷମତାରେ ବୃଦ୍ଧି, ସରବରାହ କ୍ଷତିକୁ କମ୍ କରିଛନ୍ତି, ଫଳରେ ଗ୍ରାହକଙ୍କୁ ଏହାର ଫାଇଦା ମିଳୁଛି । ଏହା ଦିଲ୍ଲୀରେ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣା କରିବାରେ ସହାୟକ ହୋଇଛି । ଏହାଦ୍ୱାରା ୭୫% ଦିଲ୍ଲୀବାସୀ ଉପକୃତ ହୋଇଛନ୍ତି । ବିଦ୍ୟୁତ କଂପାନୀମାନେ ମଧ୍ୟ ଲାଭରେ ରହିଛନ୍ତି ।

ଦିଲ୍ଲୀରେ ଆପ ସରକାର ଆସିବା ପରେ ଦୁର୍ନୀତି ରୋକାଯାଇଛି । ଫଳରେ ବଜେଟ ମଧ୍ୟ ଡବଲ ହୋଇଛି ଏବଂ ସେହି ବଜେଟରେ ଦିଲ୍ଲୀ ସରକାର ଶିକ୍ଷାର ମଡେଲକୁ ବିକଶିତ କରିଛନ୍ତି । ଏହାଛଡ଼ା ପ୍ରତି ମାସରେ ୨୦ ହଜାର ଲିଟର ପାଣି ମାଗଣା ଦିଆଯାଉଛି । ବହୁ ଦିନ ଧରି ଓଡ଼ିଶାର ବିଦ୍ୟୁତ ଗ୍ରାହକମାନେ ସରକାର, ଗ୍ରୀଡକୋ ଓ ବିତରକ କଂପାନୀ ମାନଙ୍କର ଅପାରଗତାର ବୋଝ ବୋହିଚାଲିଛନ୍ତି । ଯେତେ ଥର ଦର ବୃଦ୍ଧି ହୋଇଛି ସମସ୍ତେ ଅସହାୟ ଭାବରେ ତାହା ଦେଇଆସୁଛନ୍ତି । ସରକାରଙ୍କୁ ଏହି ଦାବି ମାନିବାକୁ ପଡିବ । ଏମିତି ନୁହେଁ କି କେବଳ ଆପ ଏହି ଦାବି କରିଛି, ଅନ୍ୟ ଦଳମାନେ ଆମକୁ ସମର୍ଥନ କରୁଛନ୍ତି । ପଶ୍ଚିମ ବଙ୍ଗରେ ଅମିତ ଶାହା ପ୍ରତିଶ୍ରୁତି ଦେଇଛନ୍ତି ତାଙ୍କ ଦଳ କ୍ଷମତାକୁ ଆସିଲେ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ ମାଗଣା କରିବ । ଆସାମ ପାଇଁ ମଧ୍ୟ କଂଗ୍ରେସର ଏହି କଥା କହିଛି । ଆମ ଆଦମୀ ପାର୍ଟିର ମୁଖ୍ୟ ଲକ୍ଷ୍ୟ ରହିଛି ଶିକ୍ଷା, ସ୍ୱାସ୍ଥ୍ୟ, ପାଣି, ବିଜୁଳିର ସାମଗ୍ରିକ ବିକାଶ। ଲୋକମାନଙ୍କ ହିତ ପାଇଁ ଏହି ଆନ୍ଦୋଳନର ବାର୍ତ୍ତାକୁ ଗ୍ରହଣ କରିବା ଦରକାର ବୋଲି ନିଶିକାନ୍ତ କହିଥିଲେ ।

Get real time updates directly on you device, subscribe now.