ବିଶ୍ୱରେ କେଉଁ ଦେଶରେ ସବୁଠୁ ଅଧିକ ଖାଦ୍ୟ ନଷ୍ଟ ହୁଏ? ଜାଣନ୍ତୁ ଭାରତର ସ୍ଥାନ କେତେ ନଂ

ବିଶ୍ୱରେ ପ୍ରତିବର୍ଷ ନଷ୍ଟ ହେଉଛି ବିପୁଳ ପରିମାଣର ଖାଦ୍ୟ। UNEPର ରିପୋର୍ଟ ଅନୁସାରେ, ୨୦୨୨ରେ ପ୍ରାୟ ୧୦୫ କୋଟି ଟନ୍‌ ଖାଦ୍ୟ ନଷ୍ଟ ହୋଇଥିଲା। ଏହାର ସବୁଠୁ ବଡ଼ ଅଂଶ ଘରୋଇ ସ୍ତରରୁ ଆସିଥିଲା।

ଭୁବନେଶ୍ୱର: ଗୋଟିଏ ପଟେ ଭୋକରେ ଦିନ କାଟୁଛନ୍ତି ଲକ୍ଷ ଲକ୍ଷ ଲୋକ, ଅନ୍ୟପଟେ ପ୍ରତିଦିନ ଟନ୍‌ ଟନ୍‌ ଖାଦ୍ୟ ଫିଙ୍ଗା ହେଉଛି ଅଳିଆଗଦାକୁ। ଘରେ ବଳକା ଖାଦ୍ୟ ହେଉ କି ବାହାଘର ଭୋଜିରେ ଥାଳିରେ ରହିଯାଉଥିବା ଖାଦ୍ୟ- ଏହାର ଅପଚୟ ଏବେ ସାରା ବିଶ୍ୱ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି।

ଏହା କେବଳ ଖାଦ୍ୟର ଅପଚୟ ନୁହେଁ, ବରଂ ଅର୍ଥନୀତି ଓ ପରିବେଶ ପାଇଁ ମଧ୍ୟ ଚିନ୍ତାର ବିଷୟ। ତେବେ ବିଶ୍ୱରେ କେଉଁ ଦେଶରେ ସବୁଠୁ ଅଧିକ ଖାଦ୍ୟ ନଷ୍ଟ ହୁଏ? ଏହି ତାଲିକାରେ ଭାରତର ସ୍ଥାନ କେଉଁଠି?

ଖାଦ୍ୟ ନଷ୍ଟରେ ଚୀନ୍ ଆଗରେ: ଉପଲବ୍ଧ ଆକଳନ ଅନୁସାରେ, ମୋଟ ଖାଦ୍ୟ ନଷ୍ଟର ପରିମାଣ ଦୃଷ୍ଟିରୁ ଚୀନ୍‌, ଭାରତ ଓ ଆମେରିକା ବିଶ୍ୱର ପ୍ରମୁଖ ଦେଶ ମଧ୍ୟରେ ରହିଛନ୍ତି। ଚୀନ୍‌ରେ ବର୍ଷକୁ ୧୦୮ ନିୟୁତ ଟନ୍‌ରୁ ଅଧିକ ଖାଦ୍ୟ ନଷ୍ଟ ହେଉଥିବା ଆକଳନ କରାଯାଇଛି। ସେହିପରି ଭାରତରେ ପ୍ରାୟ ୭୮ ନିୟୁତ ଟନ୍‌ ଏବଂ ଆମେରିକାରେ ପ୍ରାୟ ୨୪ ନିୟୁତ ଟନ୍‌ ଖାଦ୍ୟ ନଷ୍ଟ ହେଉଥିବା କୁହାଯାଉଛି।

ଚୀନ୍‌ ଓ ଭାରତର ବିଶାଳ ଜନସଂଖ୍ୟା ଯୋଗୁଁ ଏଠାରେ ଖାଦ୍ୟ ନଷ୍ଟର ମୋଟ ପରିମାଣ ଅଧିକ ହୋଇପାରେ। ତେବେ ମୋଟ ଖାଦ୍ୟ ନଷ୍ଟର ପରିମାଣ ଓ ପ୍ରତି ବ୍ୟକ୍ତି ପିଛା ଖାଦ୍ୟ ନଷ୍ଟର ପରିମାଣ ଭିନ୍ନ।

ଉପଲବ୍ଧ ଆକଳନ ଅନୁସାରେ, ଭାରତରେ ପ୍ରତି ବ୍ୟକ୍ତି ବର୍ଷକୁ ପ୍ରାୟ ୫୪ କିଲୋଗ୍ରାମ୍‌ ଖାଦ୍ୟ ନଷ୍ଟ କରୁଛନ୍ତି। ତେଣୁ କେବଳ ମୋଟ ପରିମାଣକୁ ଆଧାର କରି ଦେଶଗୁଡ଼ିକର ତୁଳନା କରିବା ଠିକ୍‌ ନୁହେଁ।

ଘରୁ ନଷ୍ଟ ହେଉଛି ସବୁଠୁ ଅଧିକ ଖାଦ୍ୟ: ଖାଦ୍ୟ ଅପଚୟ କଥା ଆସିଲେ ଅନେକେ ହୋଟେଲ୍‌, ରେଷ୍ଟୁରାଣ୍ଟ କିମ୍ବା ବଡ଼ ବଡ଼ ଭୋଜିକୁ ଦାୟୀ କରନ୍ତି। କିନ୍ତୁ ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (UNEP)ର ତଥ୍ୟ ଅନୁସାରେ, ଘରୋଇ ସ୍ତରରେ ହିଁ ସବୁଠୁ ଅଧିକ ଖାଦ୍ୟ ନଷ୍ଟ ହେଉଛି।

ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମର ‘ଖାଦ୍ୟ ଅପଚୟ ସୂଚକାଙ୍କ ରିପୋର୍ଟ ୨୦୨୪’ ଅନୁସାରେ, ୨୦୨୨ରେ ସାରା ବିଶ୍ୱରେ ପ୍ରାୟ ୧.୦୫ ବିଲିୟନ୍‌ ଟନ୍‌ ବା ୧୦୫ କୋଟି ଟନ୍‌ ଖାଦ୍ୟ ନଷ୍ଟ ହୋଇଥିଲା।

ଏଥିରୁ ପ୍ରାୟ ୬୦ ପ୍ରତିଶତ, ଅର୍ଥାତ୍‌ ୬୩୧ ନିୟୁତ ଟନ୍‌ ଖାଦ୍ୟ ଘରୋଇ ସ୍ତରରେ ନଷ୍ଟ ହୋଇଥିଲା। ଫୁଡ୍‌ ସର୍ଭିସ୍‌ କ୍ଷେତ୍ରରୁ ୨୮ ପ୍ରତିଶତ ଏବଂ ଖୁଚୁରା ବିକ୍ରି କ୍ଷେତ୍ରରୁ ପ୍ରାୟ ୧୨ ପ୍ରତିଶତ ଖାଦ୍ୟ ନଷ୍ଟ ହୋଇଥିଲା।

ଏହି ରିପୋର୍ଟ ଅନୁସାରେ, ବିଶ୍ୱରେ ପ୍ରତି ବ୍ୟକ୍ତି ବର୍ଷକୁ ହାରାହାରି ପ୍ରାୟ ୭୯ କିଲୋଗ୍ରାମ୍‌ ଖାଦ୍ୟ ନଷ୍ଟ କରୁଛନ୍ତି। ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ରାନ୍ଧିବା, କିଣି ଆଣିଥିବା ସାମଗ୍ରୀ ଠିକ୍‌ ସମୟରେ ବ୍ୟବହାର ନକରିବା ଏବଂ ବଳକା ଖାଦ୍ୟକୁ ସଂରକ୍ଷଣ ନକରିବା ଏହାର ପ୍ରମୁଖ କାରଣ।

ଖାଦ୍ୟ ଅପଚୟ କମାଇବାରେ ଜାପାନ ଓ ବ୍ରିଟେନ୍: ଖାଦ୍ୟ ନଷ୍ଟ କମାଇବା କ୍ଷେତ୍ରରେ କେତେକ ଦେଶ ଉଲ୍ଲେଖନୀୟ ଅଗ୍ରଗତି କରିଛନ୍ତି। UNEP ଅନୁସାରେ, ଜାପାନ ୨୦୦୦ ମସିହା ତୁଳନାରେ ୨୦୨୨ ସୁଦ୍ଧା ଖାଦ୍ୟ କ୍ଷତି ଓ ଅପଚୟକୁ ପ୍ରାୟ ୫୩ ପ୍ରତିଶତ କମାଇଥିଲା। ସେହିପରି ବ୍ରିଟେନ୍‌ରେ ୨୦୦୭ ମସିହା ତୁଳନାରେ ଖାଦ୍ୟ ଅପଚୟ ପ୍ରାୟ ୨୨ ପ୍ରତିଶତ ହ୍ରାସ ପାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ୟୁରୋପୀୟ ସଂଘରେ ମଧ୍ୟ ଖାଦ୍ୟ ଅପଚୟ ଏକ ବଡ଼ ସମସ୍ୟା ହୋଇ ରହିଛି। ଦିଆଯାଇଥିବା ଆକଳନ ଅନୁସାରେ, ସେଠାରେ ବର୍ଷକୁ ପ୍ରାୟ ୫୮ ନିୟୁତ ଟନ୍‌ ଖାଦ୍ୟ ନଷ୍ଟ ହେଉଛି। ଏହା ପ୍ରତି ବ୍ୟକ୍ତି ପିଛା ବର୍ଷକୁ ପ୍ରାୟ ୧୨୯ କିଲୋଗ୍ରାମ୍‌ ହେବ।

ତେବେ କେଉଁ ଦେଶରେ ସବୁଠୁ କମ୍‌ ଖାଦ୍ୟ ନଷ୍ଟ ହୁଏ, ତାହା ନିର୍ଦ୍ଦିଷ୍ଟ ଭାବେ କହିବା ପାଇଁ ସମସ୍ତ ଦେଶର ତଥ୍ୟକୁ ସମାନ ମାପଦଣ୍ଡରେ ତୁଳନା କରିବା ଆବଶ୍ୟକ। ଖାଦ୍ୟ ନଷ୍ଟ କମାଇବାରେ ଜାପାନ ଓ ବ୍ରିଟେନ୍‌ର ଅଗ୍ରଗତି ଏହି ଦିଗରେ ଗୁରୁତ୍ୱପୂର୍ଣ୍ଣ ଉଦାହରଣ।

ଖାଦ୍ୟ ଅପଚୟ ରୋକିବା ଦାୟିତ୍ୱ ଆମର: ଖାଦ୍ୟ ନଷ୍ଟ ରୋକିବା ପାଇଁ ଆମକୁ ଦୈନନ୍ଦିନ ଜୀବନରେ କିଛି ଛୋଟ ଛୋଟ ଅଭ୍ୟାସ ଆପଣାଇବାକୁ ପଡ଼ିବ। ଆବଶ୍ୟକ ଅନୁସାରେ ଖାଦ୍ୟ ରାନ୍ଧିବା, ଯୋଜନା କରି ସାମଗ୍ରୀ କିଣିବା, ବଳକା ଖାଦ୍ୟକୁ ଠିକ୍‌ ଭାବେ ସଂରକ୍ଷଣ କରିବା ଏବଂ ଖାଇବା ଯୋଗ୍ୟ ଖାଦ୍ୟକୁ ନଷ୍ଟ ନକରିବା ଦ୍ୱାରା ଏହି ସମସ୍ୟାକୁ କମାଇହେବ।

ଯେଉଁଠି ଅନେକ ଲୋକ ଦୁଇ ଓଳି ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି, ସେଠାରେ ଖାଦ୍ୟର ଅପଚୟ ରୋକିବା କେବଳ ଆର୍ଥିକ ଆବଶ୍ୟକତା ନୁହେଁ, ଏହା ଏକ ସାମାଜିକ ଦାୟିତ୍ୱ ମଧ୍ୟ।