ଆପଣ କେଉଁ ରୋଲ୍ ଖାଉଥିଲେ? ଚିକେନ୍ ନା ଗଞ୍ଜେଇ! ରାଜଧାନୀରେ ଚାଞ୍ଚଲ୍ୟ
ଡୁମୁଡୁମା ପଞ୍ଚଶଖାନଗରରେ ରହୁଥିଲେ ଗଞ୍ଜାମ ଭଞ୍ଜନଗର ବଡ଼କୋଦଣ୍ଡାର ହରେକୃଷ୍ଣ ବଡ଼ତିଆ(୩୦)। ସେ ଖଣ୍ଡଗିରିରେ ଏକ ଫାଷ୍ଟ୍ଫୁଡ୍ ଦୋକାନ କରିଛନ୍ତି
ଭୁବନେଶ୍ୱର: ଦୋକାନରେ ଖଚାଖଚ୍ ଭିଡ଼। ଚିକେନ ରୋଲ ପାଇଁ ଲାଇନ୍ ଦେଉଥିଲେ ଗ୍ରାହକ। ଭିଡ଼କୁ ଦେଖି ଭାବୁଥିବେ ଟେଷ୍ଟ ନିଶ୍ଚିତ ଭଲ ଥିବ। ହେଲେ ସେପରି ଭାବିବା ସମ୍ପୂର୍ଣ୍ଣ ଭୁଲ। କାରଣ ଚିକେନ ରୋଲ୍ ଭିତରେ ଚାଲିଥିଲା ନିଶାର ଖେଳ! ଅର୍ଥାତ ଚିକେନ ରେଲ ଭିତରେ ଗ୍ରାହକଙ୍କୁ ଦିଆଯାଉଥିଲା ଗଞ୍ଜେଇ! ଯେଉଁଥିପାଇଁ ଲାଗୁଥିଲା ଚିକେନ୍ ରୋଲ୍ ନାଁରେ ନିଶାଡ଼ିଙ୍କ ଭିଡ଼। ଭୁବନେଶ୍ୱର କମିଶନରେଟ ପୋଲିସ ନାକ ତଳେ ଏପରି ସାମ୍ରଜ୍ୟ ମେଲାଇଥିଲେ ଗଞ୍ଜାମର ହରେକୃଷ୍ଣ ବଡ଼ତିଆ। ଧରାପଡ଼ିବା ପରେ ଖୋଲିଛି ପୋଲ।
ଡୁମୁଡୁମା ପଞ୍ଚଶଖାନଗରରେ ରହୁଥିଲେ ଗଞ୍ଜାମ ଭଞ୍ଜନଗର ବଡ଼କୋଦଣ୍ଡାର ହରେକୃଷ୍ଣ ବଡ଼ତିଆ(୩୦)। ସେ ଖଣ୍ଡଗିରିରେ ଏକ ଫାଷ୍ଟ୍ଫୁଡ୍ ଦୋକାନ କରିଛନ୍ତି। ନିଜ ଫାଷ୍ଟ୍ଫୁଡ୍ ଦୋକାନରେ ବିଭିନ୍ନ ଖାଦ୍ୟର ପସରା ମେଲାଇଛନ୍ତି। କିନ୍ତୁ ତାଙ୍କର ବେଶୀ ଡିମାଣ୍ଡରେ ରହିଛି ଚିକେନ୍ ରୋଲ! ତାହା ପୁଣି ଗଞ୍ଜେଇ ଚିକେନ୍ ରୋଲ୍! ତେଣୁ ନିଶାଡ଼ିମାନେ ସଞ୍ଜ ନଇଁଲେ ଧାଇଁ ଆସୁଥିଲେ ତାଙ୍କ ଦୋକାନକୁ। ଆଉ ମାଗିବା ମାତ୍ରେ ଗଞ୍ଜେଇ ଚିକେନ୍ ରୋଲ ବଢ଼ାଇ ଦେଉଥିଲେ ହରେକୃଷ୍ଣ।
ହରେକୃଷ୍ଣ ବହୁ ଚତୁର ଥିଲା। ଗଞ୍ଜେଇ ବେପାରକୁ ନିଆରା ଢ଼ଙ୍ଗରେ କରୁଥିଲେ। ଗ୍ରାହକ ଚିକେନ୍ ରୋଲ ମାଗିଲେ, ସେ ରୋଲ ଭିତରେ ଗଞ୍ଜେଇ ପ୍ୟାକେଟ୍ ଭର୍ତ୍ତି କରି ବଢ଼ାଇ ଦେଉଥିଲେ। ଆଉ ନିଶାଡ଼ି ଗାଞ୍ଜେଇ ଟାଣିବା ସହିତ ଚିକେନ୍ ରୋଲ୍୍ର ମଜା ନେଉଥିଲେ। ଦିନକୁ ଦିନ ହରେକୃଷ୍ଣଙ୍କ ଦୋକାନରେ ଭିଡ଼ ବଢ଼ିଲା। ହେଲେ କମିଶନରେଟ୍ ପୋଲିସ ନିଶା କାରବାରର ଏହି ଚାଲ ବିଷୟରେ ଟେର ପାଉନଥିଲା।
ହରେକୃଷ୍ଣଙ୍କ ଦୋକାନରେ ଭିଡ଼ ଦେଖି ପାଖ ପଡ଼ୋଶୀ ଦୋକାନୀଙ୍କ ମନରେ ଈର୍ଷା ହେଉଥିଲା। ହେଲେ ସେମାନେ ଅସହାୟ ଥିଲେ। ନିଜ ଦୋକାନକୁ ଯେତେ ପ୍ରକାଶ ସଜାଇଲେ ମଧ୍ୟ ଗ୍ରାହକ ଆସୁନଥିଲେ। କିନ୍ତୁ ଭିଡ଼ ହେଉଥିଲା ହରେକୃଷ୍ଣଙ୍କ ଷ୍ଟଲ ପାଖରେ। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ। ଏହି ସନ୍ଦେହର ଗୁଞ୍ଜରଣ ପହଞ୍ଚିଥିଲା କମିଶନରେଟ ପୋଲିସ ପାଖରେ। ତା’ପରେ ଆକ୍ସନ୍ ମୋଡ଼୍କୁ ଆସିଥିଲା ମୈତ୍ରୀବିହାର ଥାନା ପୋଲିସ।
ଯୋଜନା ବଦ୍ଧ ଭାବେ ହରେକୃଷ୍ଣ ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରିଥିଲା ପୋଲିସ। ସେହି ସମୟରେ ଜଣାପଡ଼ିଥିଲା ଭିଡ଼ର ରହସ୍ୟ ଓ ମିଳିଥିଲା ଚିକେନ୍ ରୋଲ୍ର ଟେଷ୍ଟ! ଧରାପଡ଼ିଥିଲା ଗଞ୍ଜେଇ ବେପାର ଟ୍ରିକ୍। ସୋମବାର ଅପରାହ୍ନରେ ହରେକୃଷ୍ଣ ବାଇକ୍ରେ ଗଞ୍ଜେଇ ଧରି ଆସୁଥିଲେ। ପୋଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ହେଲେ ପୋଲିସକୁ ଦେଖି ବାଇକ୍ ଛାଡ଼ି ଦୌଡ଼ି ପଳାଇ ଯାଇଥିଲା ହରେକୃଷ୍ଣ। ପୋଲିସ ତାକୁ ଗୋଡ଼ାଇ ଗୋଡ଼ାଇ ମାଡ଼ି ବସିଥିଲା। ଏଥିସହ ତା’ ବାଇକ୍ରୁ ୨୧ କିଲୋ ଗଞ୍ଜେଇ ଜବତ କରିଥିଲା। ପରେ ପୋଲିସ ଗଞ୍ଜେଇ ଓ ବାଇକ୍କୁ ଜବତ କରିଥିଲା।
ଥାନାରେ ଜେରା ବେଳେ ହରେକୃଷ୍ଟ ଗଞ୍ଜେଇ କାରବାର ସମ୍ପର୍କରେ କହିଥିଲା। ଚିକେନ୍ ରୋଲ ଭିତରେ ଗଞ୍ଜେଇ ପୁଡ଼ିଆ ଭର୍ତ୍ତି କରି ଗ୍ରାହକଙ୍କୁ ଯୋଗାଉଥିଲା ବୋଲି ସ୍ୱୀକାର କରିଥିଲା। ଗଞ୍ଜେଇ କାରବାରର ଏଭଳି ଅଭିନବ ଉପାୟ ଜାଣି ପୋଲିସର ଅକଲ ଗୁଡ଼ୁମ ହୋଇଯାଇଥିଲା। କମିଶନରେଟ ପୋଲିସ ହରେକୃଷ୍ଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।


