fbpx

ଦିନ ଥିଲା ଥାନେ ସଡକରେ ଅଟୋ ଚଳାଉଥିଲେ ଏକନାଥ ସିନ୍ଦେ, ଏବେ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଏକନାଥ ସିନ୍ଦେ। ସେ ଆଜି ସନ୍ଧ୍ୟା ୭ଟା୩୦ରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ। ବିଜେପି ନେତା ଦେବେନ୍ଦ୍ର ଫଡଣଭିସ ଗୁରୁବାର ଏହାର ଘୋଷଣା କରି ସଭିଙ୍କୁ ଚକିତ କରିଛନ୍ତି। ଏହା ପୂର୍ବରୁ କୁହାଯାଉଥିଲା ଯେ, ଦେବେନ୍ଦ୍ର ଫଡଣବିସ ତୃତୀୟ ଥର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ହେଲେ ଫଡଣବିସ ଘୋଷଣା କରିଛନ୍ତି ଯେ, ସେ ବିଜେପି ସରକାରରେ ସାମିଲ୍ ହେବେ ନାହିଁ ଏବଂ ସିନ୍ଦେଙ୍କୁ ବାହାରୁ ସମର୍ଥନ ଦେବେ। ତେବେ କିଏ ଏହି ଏକନାଥ ସିନ୍ଦେ, କେମିତି ସେ ରାଜନୀତିର ଶୀର୍ଷକୁ ଉଠିଲେ ଆସନ୍ତୁ ଜାଣିବା।

ଚାରି ଥରର ବିଧାୟକ ଏକନାଥ ସିନ୍ଦେ

୧୯୬୪ ଫେବୃଆରୀ ୯ରେ ମହାରାଷ୍ଟ୍ରର ସତାରାରେ ଜନ୍ମଗ୍ରହଣ କରିଥିବା ସିନ୍ଦେ ବର୍ତ୍ତମାନ ଦେଶର ସବୁଠୁ ଚର୍ଚ୍ଚିତ ନାମ। ଶିବସେନାରେ ବିଦ୍ରୋହ ପରେ ସେ ବିଜେପି ସମର୍ଥନରେ ସରକାର ଗଢିବାକୁ ଯାଉଛନ୍ତି। ଏକନାଥ ସମ୍ଭାଜୀ ସିନ୍ଦେ ଉଦ୍ଧବ ସରକାରରେ ପିଡବ୍ଲ୍ୟୁଡି କ୍ୟାବିନେଟ୍ ମନ୍ତ୍ରୀ ଥିଲେ। ସେ କୋପରି-ପଚପାଖଡି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଅଛନ୍ତି। ସିନ୍ଦେ ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ରେ ଲଗାତାର ଚାରି ଥର ବିଜୟୀ ହୋଇ ମହାରାଷ୍ଟ୍ର ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି। ସେ ଅଳ୍ପ ବୟସରେ ଠାଣେ ଆସିଥିଲେ ଏବଂ ଏକାଦଶ ପର‌୍ୟ୍ୟନ୍ତ ପାଠପଢା ଶିକ୍ଷା ମଙ୍ଗଲା ହାଇସ୍କୁଲ ଏବଂ ଜୁନିୟର କଲେଜରେ ପୂରା କରିଥିଲେ। ପରିବାରର ଆର୍ଥିକ ସ୍ଥିତି କାରଣରୁ ତାଙ୍କୁ ପାଠପଢା ଛାଡିବାକୁ ପଡିଥିଲା। ପରିବାର ପାଇଁ କାମ କରିବା ଆରମ୍ଭ କରି ଦେଇଥିଲେ।

ବାଲା ସାହବେ ଠାକରେଙ୍କ ପ୍ରତି ପ୍ରଭାବିତ ଥିଲେ

୧୯୮୦ରୁ ସେ ଶିବସେନା ସୁପ୍ରିମୋ ବାଲାସାହେବ ଠାକରେଙ୍କ ପ୍ରତି ପ୍ରଭାବିତ ଥିଲେ ଏବଂ ଜଣେ ଶିବସୈନିକ ଭାବେ କାମ କରି ପାର୍ଟିରେ ସାମିଲ୍ ହୋଇଥିଲେ। ସେହି ସମୟରେ ସେ ଅନେକ ଆନ୍ଦୋଳନରେ ଭାଗ ନେଇଥିଲେ। ସେ ବେଲଗୋବିର ସ୍ଥିତିକୁ ନେଇ ମହାରାଷ୍ଟ୍ର-କର୍ଣ୍ଣାଟକ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ। ଏହା ପରେ ତାଙ୍କୁ ୪୦ ଦିନ ପାଇଁ ଜେଲରେ ଭର୍ତ୍ତି କରାଯାଇଥିଲା।

ଥାନେରେ ଚଳାଉଥିଲେ ଅଟୋ

ସମୟ ଥିଲା ଏକନାଥ ସିନ୍ଦେ ପରିବାର ଭରଣପୋଷଣ ପାଇଁ ଥାନେ ସହରରେ ଅଟୋ ଚଳାଉଥିଲେ। ୫୮ ବର୍ଷୀୟ ସିନ୍ଦେ ରାଜନୀତିରେ ପ୍ରବେଶ କରିବା ପରେ ଥାନେ-ପାଲଘର ଅଞ୍ଚଳରେ ଜଣେ ପ୍ରମୁଖ ଶିବସେନା ନେତା ଭାବେ ସାମ୍ନାକୁ ଆସିଥିଲେ। ଜନହିତ ପ୍ରସଙ୍ଗରେ ତାଙ୍କର ଆକ୍ରମଣାତ୍ମକ ଦୃଷ୍ଟିକୋଣ ପାଇଁ ବେଶ ପରିଚିତ ଥିଲେ।

ଶିବସେନା ତାଙ୍କୁ ୧୯୯୭ରେ ଠାଣେ ନଗର ନିଗମ ନିର୍ବାଚନରେ ଜଣେ କର୍ପୋରେଟର ଭାବେ ଲଢିବାକୁ ସୁଯୋଗ ଦେଇଥିଲା। ନିର୍ବାଚନରେ ସେ ବିପୁଳ ବହୁମତ ସହ ବିଜୟ ହାସଲ କରିଥିଲେ। ୨୦୦୧ରେ ଥାନେ ନଗର ନିଗମରେ ନେତା ଭାବେ ନିର୍ବାଚିତ ହୋଇଥିଲେ। ସେ ୨୦୦୪ ଯାଏଁ ଏହି ପଦରେ ରହିଥିଲେ। ସେ ତାଙ୍କର କାମକୁ କେବଳ ଥାନେ ନଗର ନିଗମ ପର‌୍ୟ୍ୟନ୍ତ ସୀମିତ ରଖିନଥିଲେ। ସେ ସମଗ୍ର ବିକାଶ ଏବଂ ପୂରା ଜିଲ୍ଲାରେ କଲ୍ୟାଣକାରୀ କାମରେ ନିଜକୁ ନିୟୋଜିତ କରିଥିଲେ।

ଏହି କ୍ରମରେ ୨୦୦୪ରେ ସିନ୍ଦେଙ୍କୁ ବାଲାସାହେବ ଠାକରେ ଥାନେ ବିଧାନସଭା ମଣ୍ଡଳୀରୁ ନିର୍ବାଚନ ଲଢିବାକୁ ସୁଯୋଗ ଦେଇଥିଲେ। ସେ ବିପୁଳ ବିଜୟ ହାସଲ କରିଥିଲେ। ୨୦୦୫ରେ ତାଙ୍କୁ ଶିବସେନା ଠାଣେ ଜିଲ୍ଲା ପ୍ରମୁଖ ପ୍ରତିଷ୍ଠିତ ପଦରେ ନିଯୁକ୍ତ କରାଯାଇଥିଲା।

ସେ ୨୦୦୯, ୨୦୧୪ ଏବଂ ୨୦୧୯ ନିର୍ବାଚନରେ ବିଜୟ ହାସଲ କରିଥିଲେ। ୨୦୧୪ ନିର୍ବାଚନ ପରେ ତାଙ୍କୁ ଶିବସେନାର ବିଧାୟକ ଦଳ ନେତା ଏବଦଂ ପରେ ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଚୟନ କରାଯାଇଥିଲା। ୨୦୧୪ରେ ବିଜେପି ଏବଂ ଶିବସେନା ମେଣ୍ଟ ସରକାରରେ ତାଙ୍କୁ ଲୋକ ନିର୍ମାଣ ବିଭାଗ ମନ୍ତ୍ରୀ ଦାୟିତ୍ଵ ମିଳିଥିଲା। ୨୦୧୯ରେ ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣର ଅତିରିକ୍ତ ଦାୟିତ୍ଵ ସମ୍ଭାଳିଥିଲେ। ଏକନାଥ ସିନ୍ଦେଙ୍କ ବିବାହ ଲତା ସିନ୍ଦେଙ୍କ ସହ ହୋଇଛି। ତାଙ୍କ ପୁଅ ଡ. ଶ୍ରୀକାନ୍ତ ସିନ୍ଦେ ଜଣେ ଅର୍ଥୋପେଡିକ୍ ସର୍ଜନ। ଶ୍ରୀକାନ୍ତ କଲ୍ୟାଣ ନିର୍ବାଚନ କ୍ଷେତ୍ରରୁ ଲୋକସଭା ସାଂସଦ ଅଛନ୍ତି।

 

Get real time updates directly on you device, subscribe now.