fbpx

ରାଜନେତାଙ୍କୁ ଅଣ୍ଡାମାଡ଼ କରିଦେଲେ ନ୍ୟାୟ ମିଳୁଛି କି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ରାଜ୍ୟରେ ଅଣ୍ଡାମାଡ଼ ଏକ ସାଧାରଣ କଥା ହୋଇଗଲାଣି । ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀଙ୍କ ଗସ୍ତ ବେଳେ ଅଣ୍ଡା ମାଡ଼ କରିବା ବିରୋଧୀଙ୍କ ପାଇଁ ସତେ ଯେମିତି ଏକ ଅଭ୍ୟାସରେ ପରିଣତ ହୋଇଗଲାଣି । ବିଶେଷ କରି କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ରାଜନେତାଙ୍କୁ ବେଶି ଅଣ୍ଡାମାଡ଼ ହେଉଥିବା ଦେଖାଯାଉଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଅଣ୍ଡାମାଡ଼ ହେଉଛି କାହିଁକି? କେବଳ ଅଣ୍ଡାମାଡ଼ କରିଦେଲେ ଯଦି ନ୍ୟାୟ ମିଳିପାରୁ ଥାନ୍ତା, ତେବେ ଅଣ୍ଡା, କୁକୁଡ଼ା ବ୍ୟବସାୟୀଙ୍କର କୌଣସି ସମସ୍ୟା ରୁହନ୍ତା ନାହିଁ ।

କାହିଁ କେଉଁ କାଳରୁ ଅଣ୍ଡାମାଡ଼, ଟମାଟୋ ମାଡ଼, କାଳିମାଡ଼, କଳାପତାକା ପ୍ରଦର୍ଶନ ଆଦି ରହିଆସିଛି । ଗଣତନ୍ତ୍ରରେ ବିରୋଧ କରିବାର ଅଧିକାର ସମସ୍ତଙ୍କର ରହିଛି । ମାତ୍ର ଏପରି ନ ବୁଝି ନ ସୁଝି ଖାଲି ଅଣ୍ଡାମାଡ଼ କରିଦେବା ଏକ ଅଭଦ୍ରାମି ଛଡ଼ା ଆଉ କିଛି ନୁହେଁ । ଏହାଦ୍ୱାରା ଅଯଥାରେ ପରିବେଶ ପ୍ରଦୂଷଣ, ଅର୍ଥହାନୀ, ସମୟ ନଷ୍ଟ, ପ୍ରାଣୀ ହତ୍ୟା ଆଦି ପରୋକ୍ଷରେ ବୃଦ୍ଧି ପାଉଛି । ନିଜ ପକେଟ ଅର୍ଥରୁ ଅଣ୍ଡା କିଣି ମାଡ଼ କରିବା ପରେ ସେ ପରିତ୍ୟକ୍ତ ସ୍ଥାନ ସଫା କରୁଛି କିଏ? ଯେଉଁମାନଙ୍କର ଅଧିକ ପଇସା ଅଛି, ସେମାନେ ଅଣ୍ଡାକୁ ଛାଡ଼ି, କାଜୁ, ଖିସମିସ୍, ପିସ୍ତା, ସେଓ, ଅଙ୍ଗୁର, କଦଳୀ ଆଦି ମାଡ଼ କରିପାରିବେ । ନଚେତ୍ ସୁନା, ରୁପା, ହୀରା ପରି ମୂଲ୍ୟବାନ ଗହଣା କିଣି ମାଡ଼ କରନ୍ତୁ, ସହଜରେ ନ୍ୟାୟ ମିଳିଯିବ! ଯେଉଁଠି ବି ଅଣ୍ଡାମାଡ଼ ହେଉଛି, ସେଥିରେ କାହାକୁ କ’ଣ ମିଳୁଛି ତାହା ବି ପ୍ରଶ୍ନ ଘେରରେ । ଯାହାର ଅଣ୍ଡାମାଡ଼ କରିବାକୁ ଏତେ ଇଚ୍ଛା, ସେମାନେ ନିଜର ଜମିବାଡ଼ି ବିକ୍ରି କରି ଅଳ୍ପ ପରିମାଣର ହୀରା କିଣି ମାଡ଼ କରନ୍ତୁ । ପ୍ରତିବାଦ କରିବା ପାଇଁ ଅନେକ ବାଟ ଅଛି । ନିଜର ବୁଦ୍ଧିମତାକୁ ପ୍ରୟୋଗ କରି ବିଭିନ୍ନ ଉପାୟରେ କାହାର କୌଣସି ଅନିଷ୍ଟ ନକରି ପ୍ରତିବାଦ କରିହେବ । ଅଣ୍ଡାମାଡ଼ କରୁଥିବା ବ୍ୟକ୍ତିମାନେ ବୁଝିବା ଦରକାର ଏହି ଏଭଳି ପଦକ୍ଷେପ ଦ୍ୱାରା ପ୍ରକୃତ ଦୋଷୀ ଖସି ଯାଉଛି, ଅସଲ ମୁଦ୍ଦା ଲୁଚି ଯାଉଛି । କହିବାକୁ ଗଲେ ନିଜର ହିଁ ବେଶୀ କ୍ଷତି ଘଟୁଛି ।

ଅଣ୍ଡାମାଡ଼କୁ ନେଇ କିଛିଦିନ ତଳେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଦୃଢ଼ ନିନ୍ଦା କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତ ବେଳେ ତାଙ୍କ ଉପରେ ଅଣ୍ଡାମାଡ଼କୁ ନେଇ ପିସିସି ସଭାପତି ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ । ଏପରି ପିଲାଳିଆମି ଷ୍ଟାଇଲରେ ଗଳି କନ୍ଦିରେ ଲୁଚି ଅଣ୍ଡା ମାଡ଼ କରିବା କ’ଣ ସୂଚାଉଛି, ତାହା ଅଣ୍ଡାମାଡ଼କାରୀମାନେ ଭଲ ଭାବରେ ଜାଣିଥିବେ । ଯେ କୌଣସି ବ୍ୟକ୍ତିବିଶେଷ ବା ରାଜନୈତିକ ଦଳ ହୁଅନ୍ତୁ, ଯଥାଶୀଘ୍ର ଅଣ୍ଡାମାଡ଼କୁ ବାଦ୍ ଦେଇ ପ୍ରତିବାଦର ବିକଳ୍ପ ବାଟ ଆପଣାଇଲେ ଭଲ ହୁଅନ୍ତା ।

Get real time updates directly on you device, subscribe now.