ନିତିନ ନବୀନଙ୍କ ନୂଆ ଟିମ୍‌ରେ କାହାର ଶିକ୍ଷାଗତ ଯୋଗ୍ୟତା ସବୁଠାରୁ କମ୍, ସବୁଠାରୁ ବଡ଼ ଡିଗ୍ରୀ କାହା ପାଖରେ ଅଛି

ବିଜେପି ଅଧ୍ୟକ୍ଷ ନିତିନ ନବୀନ ନିଜ ନୂଆ ଟିମ୍‌ ଘୋଷଣା କରିଛନ୍ତି।

ଓଡିଶାଭାସ୍କର: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଘୋଷଣା କରିଥିବା କେନ୍ଦ୍ରୀୟ ପଦାଧିକାରୀଙ୍କ ନୂଆ ଟିମ୍‌ରେ ଅଭିଜ୍ଞ ବରିଷ୍ଠ ନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଯୁବ ଚେହେରାଙ୍କ ମଧ୍ୟରେ ଏକ ଭଲ ସନ୍ତୁଳନ ଦେଖିବାକୁ ମିଳିଛି।

ନୂଆ ଟିମ୍‌ରେ ବିଭିନ୍ନ କ୍ଷେତ୍ରରେ ଉଚ୍ଚଶିକ୍ଷା ହାସଲ କରିଥିବା ନେତାମାନେ ମଧ୍ୟ ସାମିଲ ହୋଇଛନ୍ତି। ନିତିନ ନବୀନଙ୍କ ନୂଆ ଟିମ୍‌ରେ ୧୩ ଜଣ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ୮ ଜଣ ରାଷ୍ଟ୍ରୀୟ ମହାସଚିବଙ୍କୁ ସାମିଲ କରାଯାଇଛି।

ଏହି ଟିମ୍‌ରେ ପୀୟୁଷ ଗୋୟଲ, ଡା. ତାରିକ ମନସୁର ଏବଂ ଡା. ସତୀଶ ପୁନିଆଙ୍କ ଭଳି ଉଚ୍ଚଶିକ୍ଷିତ ନେତା ରହିଛନ୍ତି। ଅନ୍ୟପଟେ ସ୍ମୃତି ଇରାନୀ ଓ ବିନୋଦ ତାୱଡେଙ୍କ ଭଳି ନେତାଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ଦାୟିତ୍ୱ ଦିଆଯାଇଛି।

ଏବେ ଆସନ୍ତୁ ଜାଣିବା, ନିତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ନେତାଙ୍କର ଶିକ୍ଷାଗତ ଯୋଗ୍ୟତା କେତେ ଏବଂ କିଏ ସବୁଠାରୁ ଅଧିକ ପଢ଼ିଛନ୍ତି।

ସବୁଠାରୁ ବଡ଼ ଡିଗ୍ରୀ କାହା ପାଖରେ: ନିତିନ ନବୀନଙ୍କ ନୂଆ ରାଷ୍ଟ୍ରୀୟ ଟିମ୍‌ରେ ଅନେକ ଉଚ୍ଚଶିକ୍ଷିତ ନେତା ସାମିଲ ହୋଇଛନ୍ତି। ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ପୀୟୁଷ ଗୋୟଲ ଚାର୍ଟାର୍ଡ ଆକାଉଣ୍ଟାନ୍ସି ପରୀକ୍ଷାରେ ସାରା ଦେଶରେ ଦ୍ୱିତୀୟ ରାଙ୍କ ହାସଲ କରିଥିବା ସହ ଏଲ୍‌ଏଲ୍‌ବିରେ ମଧ୍ୟ ମୁମ୍ବାଇ ୟୁନିଭର୍ସିଟିରେ ଦ୍ୱିତୀୟ ସ୍ଥାନରେ ରହିଥିଲେ।

ସେହିପରି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଡା. ତାରିକ ମନସୁର ଏମ୍‌ବିବିଏସ୍‌ ସହ ସର୍ଜରୀରେ ମାଷ୍ଟର ଅଫ୍ ସର୍ଜରୀ (M.S.) ଡିଗ୍ରୀ ହାସଲ କରିଛନ୍ତି। ସେ ଇଣ୍ଟରନ୍ୟାସନାଲ୍ କଲେଜ୍ ଅଫ୍ ସର୍ଜନ୍ସର ଫେଲୋ ମଧ୍ୟ ରହିଛନ୍ତି।

ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରୋ. ରୂପ ରେଖା ବର୍ମା ଅକ୍ସଫୋର୍ଡ ୟୁନିଭର୍ସିଟିର ଫେଲୋ ରହିବା ସହ ଦର୍ଶନଶାସ୍ତ୍ରରେ ଉଚ୍ଚ ଡିଗ୍ରୀ ହାସଲ କରିଛନ୍ତି। ଅନ୍ୟପଟେ ରାଷ୍ଟ୍ରୀୟ ସଚିବ ଡା. ସନ୍ଦୀପ ପାଠକ ବିଶ୍ୱପ୍ରସିଦ୍ଧ କେମ୍ବ୍ରିଜ୍ ୟୁନିଭର୍ସିଟିରୁ କେମିକାଲ୍ ସାଇନ୍ସରେ ପିଏଚ୍‌ଡି କରିଛନ୍ତି।

କାହାର ଶିକ୍ଷାଗତ ଯୋଗ୍ୟତା ସବୁଠାରୁ କମ୍: କାର୍ଯ୍ୟକାରିଣୀରେ ସବୁଠାରୁ କମ୍‌ ଔପଚାରିକ ଶିକ୍ଷାଗତ ଯୋଗ୍ୟତା ପ୍ରସଙ୍ଗରେ ଦୁଇଟି ନାମ ଚର୍ଚ୍ଚାରେ ରହିଛି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ନୂଆ ରାଷ୍ଟ୍ରୀୟ ମହାସଚିବ ସ୍ମୃତି ଇରାନୀ ନିର୍ବାଚନୀ ସତ୍ୟପାଠ ଅନୁସାରେ ଦିଲ୍ଲୀ ୟୁନିଭର୍ସିଟିର ଓପନ୍ ଲର୍ଣ୍ଣିଂ ସ୍କୁଲ୍‌ରୁ ବି.କମ୍ ପାର୍ଟ-୧ ପର୍ଯ୍ୟନ୍ତ ପଢ଼ିଥିଲେ। ତେବେ ସେ ତିନି ବର୍ଷର ସମ୍ପୂର୍ଣ୍ଣ ଡିଗ୍ରୀ କୋର୍ସ ଶେଷ କରିନଥିଲେ।

ଅନ୍ୟପଟେ, ରାଷ୍ଟ୍ରୀୟ ମହାସଚିବ ବିନୋଦ ତାୱଡେ ପୁଣେର ସନ୍ତ ଜ୍ଞାନେଶ୍ୱର ବିଦ୍ୟାପୀଠରୁ ଇଲେକ୍ଟ୍ରୋନିକ୍ସରେ ବି.ଇ. ଡିଗ୍ରୀ ହାସଲ କରିଥିବା ଉଲ୍ଲେଖ ରହିଛି। ତେବେ ଉକ୍ତ ବିଶ୍ୱବିଦ୍ୟାଳୟକୁ କୌଣସି ରାଜ୍ୟ ସରକାର କିମ୍ବା UGC ପକ୍ଷରୁ ଔପଚାରିକ ମାନ୍ୟତା ମିଳିନଥିବା ଦାବି କରାଯାଇଛି।

ଟିମ୍‌ରେ ଡକ୍ଟରେଟ୍‌ ଓ ଇଞ୍ଜିନିୟରଙ୍କ ବଡ଼ ଉପସ୍ଥିତି: ନିତିନ ନବୀନଙ୍କ ଏହି ନୂଆ ଟିମ୍‌ରେ ବୈଷୟିକ ଓ ଉଚ୍ଚଶିକ୍ଷା ହାସଲ କରିଥିବା ନେତାଙ୍କ ପ୍ରଭାବ ସ୍ପଷ୍ଟ ଭାବେ ଦେଖାଯାଉଛି। ରାଷ୍ଟ୍ରୀୟ ମହାସଚିବ (ସଂଗଠନ) ବି.ଏଲ୍. ସନ୍ତୋଷ ଇନ୍ଷ୍ଟ୍ରୁମେଣ୍ଟେସନ୍ ଟେକ୍ନୋଲୋଜିରେ ବି.ଇ. ଇଞ୍ଜିନିୟର।

ଏହାଛଡ଼ା ଆମେରିକାର ମିଚିଗାନ୍ ୟୁନିଭର୍ସିଟିରୁ ପଢ଼ିଥିବା ବୈଜୟନ୍ତ ଜୟ ପଣ୍ଡା ଏବଂ ଷ୍ଟାନଫୋର୍ଡ ୟୁନିଭର୍ସିଟିରୁ ଶିକ୍ଷା ହାସଲ କରିଥିବା ଅନିଲ ଆଣ୍ଟୋନୀଙ୍କ ଭଳି ଉଚ୍ଚଶିକ୍ଷିତ ପ୍ରଫେସନାଲ୍‌ମାନେ ମଧ୍ୟ ଏହି ଟିମ୍‌ର ଅଂଶ ହୋଇଛନ୍ତି।

ସେହିପରି ପାର୍ଟିର ଯୁବ ମୋର୍ଚ୍ଚା ଅଧ୍ୟକ୍ଷ ଡା. ହେମାଙ୍ଗ ଯୋଶୀ, ଏସ୍‌ଟି ମୋର୍ଚ୍ଚା ଅଧ୍ୟକ୍ଷ ଡା. ମନ୍ନାଲାଲ ରାୱତ ଏବଂ ରାଷ୍ଟ୍ରୀୟ ମହାସଚିବ ଡା. ସତୀଶ ପୁନିଆଙ୍କ ପାଖରେ ପିଏଚ୍‌ଡି (Ph.D.) ଡିଗ୍ରୀ ରହିଛି।