fbpx

ଏଥର ମେୟର ଆସନ ପାଇଁ ଜୋରଦାର ଫାଇଟ୍: ବିଜେଡି, ବିଜେପି ଓ କଂଗ୍ରେସ ଶିବିରରେ ମାଳ ମାଳ ଆଶାୟୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ମେୟର ପଦବୀକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ତେଣୁ କିଏ ହେବ ପରବର୍ତ୍ତୀ ମେୟର ତାହାକୁ ନେଇ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଜୋରଦାର ଲଢ଼େଇ । ତେବେ ଚଳିତ ଥର ପ୍ରଥମ ଥର ପାଇଁ ଭୁବନେଶ୍ୱରକୁ ଜଣେ ମହିଳା ମେୟର ମିଳିବା ସହ ଜନସାଧାରଣ ସିଧାସଳଖ ଭୋଟ ଦେଇ ମେୟରଙ୍କୁ ବାଛିବେ ।

ବିଜେଡିରେ ଓଡିଟିଡି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବିଜେଡି ମୁଖପାତ୍ର ସୁଲତା ଦେଓ, ବିଜେଡି ସାଧାରଣ ସମ୍ପାଦକ ଲୋପାମୁଦ୍ରା ବକ୍ସିପାତ୍ରଙ୍କ ଛଡ଼ା ଅନେକଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି । ତେବେ ଏଥର ସିଧାସଳଖ ନିର୍ବାଚନ ହେଉଥିବାରୁ ଶାସକ ବିଜେଡି ନିଜର ଗଡ଼ ସୁରକ୍ଷିତ ରଖିବାକୁ ହେଲେ ଜଣେ ଟାଣୁଆ ନେତ୍ରୀଙ୍କୁ ମଇଦାନକୁ ଓହ୍ଲାଇବାକୁ ଯୋଜନା କରୁଛି । ତେବେ ଆଗାମୀ ଦିନରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ରାଜଧାନୀରେ ଟକ୍କର ଦେବା ଭଳି ଜଣେ ଟାଣୁଆ ନେତ୍ରୀଙ୍କୁ ବିଜେଡି ଉପସ୍ଥାପିତ କରିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି । ବିଜେପି ପକ୍ଷରୁ ଲେଖାଶ୍ରୀ ସାମନ୍ତରାୟଙ୍କୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଦଳ ଗେମ୍ ଚେଞ୍ଜର ପ୍ରାର୍ଥୀଙ୍କୁ ବ୍ୟାଟିଂ କରିବାକୁ ଉତାରି ପାରେ । ତେବେ କଂଗ୍ରେସର ସ୍ଥିତି ଦୁର୍ବଳ ରହିଥିବା ବେଳେ ରଶ୍ମୀ ମହାପାତ୍ରଙ୍କ ପ୍ରାର୍ଥୀତ୍ୱ ନେଇ ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ, ଯେ ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନ ପୂର୍ବରୁ ପଞ୍ଚାୟତ ନିର୍ବାଚନ ସମସ୍ତ ରାଜନୈତିକ ଦଳ ପାଇଁ ସେମିଫାଇନାଲ ସଦୃଶ । ତେଣୁ ତୃଣମୂଳ ସ୍ତରରୁ ସମସ୍ତ ନେତାମାନେ ରଣନୀତି ଆରମ୍ଭ କରିସାରିଲେଣି । ଅନ୍ୟପଟେ ରାଜ୍ୟରେ କୋଭିଡର ସ୍ଥିତିକୁ ଦୃଷ୍ଟିରେ ନିର୍ବାଚନ କମିଶନ କଟକଣା ଲାଗୁ କରିଥିବାରୁ ନିର୍ବାଚନୀ ପ୍ରଚାର କ୍ଷେତ୍ରରେ ସୋସିଆଲ ମିଡ଼ିଆ ପ୍ରମୁଖ ମାଧ୍ୟମ ସାଜିବ ।

Get real time updates directly on you device, subscribe now.