fbpx

ମିଶନ୍ UP: କିଏ ଗଢ଼ିବ ରାଜ୍ୟରେ ସରକାର, କ’ଣ ରହିଛି ରାଜନୈତିକ ଗଣିତ

ନୂଆଦିଲ୍ଲୀ: ଆଗକୁ ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ରାତିଦିନ ଏକ କରି ଦେଇଛନ୍ତି । ତେବେ ସବୁଠାରୁ ଫୋକରେ ରହିଛି ଦେଶର ସର୍ବବୃହତ ନିର୍ବାଚନୀ କ୍ଷେତ୍ର ଉତ୍ତରପ୍ରଦେଶ । ଏହି ରାଜ୍ୟର ଫଳାଫଳ ହିଁ ୨୦୨୪ର ଚାମ୍ପିୟନ ନିର୍ଦ୍ଧାରଣ କରିବ ବୋଲି କୁହାଯାଉଛି । ବିଜେପି ସମେତ ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି, ରାଷ୍ଟୀୟ ଲୋକ ଦଳ ଓ କଂଗ୍ରେସ କ୍ଷମତା ଦଖଲ ପାଇଁ ନୂଆ ନୂଆ ରଣନୀତି ଆପଣାଇଛନ୍ତି । ତେବେ ପଲିଟିକାଲ ଅଙ୍କ କିଛି ଅଲଗା ତଥ୍ୟ ପ୍ରଦାନ କରୁଛି । ଅର୍ଥାତ ୟୁପିରେ ବିଜେତା କିଏ ହେବ ତାହା ସ୍ଥିର କରିବ ଜାତି । ତେଣୁ ପାର୍ଟିମାନେ ପ୍ରାର୍ଥୀ ଚୟନ ସମୟରେ ଜାତିକୁ ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଗତକାଲି ବିଜେପି କିଛି ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବହୁ ପୁରୁଣା ବିଧାୟକଙ୍କ ଟିକେଟ କାଟିବାକୁ ମଧ୍ୟ ପଛାଇନାହିଁ । ବିଜେପି ଓବିସିର ୪୪, ଏସସିର ୧୯ ଓ ମହିଳାଙ୍କୁ ୧୦ଟି ସିଟ୍ ପ୍ରଦାନ କରିଛି ।

ସେହିପରି ସପା-ଆରଏଲଡି ବର୍ତ୍ତମାନ ସୁଦ୍ଧା ୩୬ଟି ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଜାଠ ଓ ମୁସଲିମଙ୍କୁ ଗୁରୁତ୍ୱ ଦେଇଛି । ବିଏସପି ମୁସଲିମଙ୍କୁ ୧୪ଟି, ଅନୁସୂଚିତ ଜାତିଙ୍କୁ ୯ଟି ସ୍ଥାନ ଦେଇଥିବା ବେଳେ ୪୦ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ସୁଯୋଗ ଦେଇଛି । ତେବେ ୟୁପି ଭଳି ନିର୍ବାଚନ କ୍ଷେତ୍ରରେ ଜାତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ସମସ୍ତ ଦଳମାନେ ଏନେଇ ବେଶି ତତ୍ପର ଅଛନ୍ତି । ପ୍ରତ୍ୟେକ ବିଧାନସଭା ମଣ୍ଡଳୀରେ ଜାତିକୁ ପାଥେୟ କରି ଉକ୍ତ ଜାତିର ଜଣେ ପ୍ରାର୍ଥୀଙ୍କୁ ଟିକେଟ ପ୍ରଦାନ କରାଯାଇଛି । ତେବେ ସମସ୍ତ ପାର୍ଟିମାନେ ଜାତି ଆଧାରରେ ପ୍ରାର୍ଥୀ ଚୟନ କରୁଥିବାରୁ ଜାତିର ଭୂମିକା କେତେ ତାହା ସ୍ପଷ୍ଟ ଅନୁମେୟ ହେଉଛି । ତେବେ କିଏ ୟୁପିର ଟ୍ରଫି ହାତେଇବ ତାହା ସମୟ କହିବ ।

Get real time updates directly on you device, subscribe now.