ମୃତ୍ୟୁ ପରେ ବି ଶବକୁ କାହିଁକି ଏକାକୀ ଛଡ଼ାଯାଏ ନାହିଁ, ଜାଣନ୍ତୁ ଏନେଇ କ’ଣ କହୁଛି ଗରୁଡ଼ ପୁରାଣ

ମୃତ୍ୟୁ ପରେ ବି ଶବକୁ କାହିଁକି ଏକାକୀ ଛଡ଼ାଯାଏ ନାହିଁ

Garud Puran: ଏ ଦୁନିଆରେ ଯଦି କିଛି ସତ୍ୟ ଥାଏ ତେବେ ସେଇଟା ହେଉଛି ମୃତ୍ୟୁ । ମୃତ୍ୟୁ ହିଁ ଗୋଟିଏ ସତ ଆଉ ସବୁ ମିଛ । ଯାହାକୁ ମଣିଷ ଚାହିଁଲେ ବି ରୋକି ପାରିବ ନାହିଁ । ଚିତ୍ରଗୁପ୍ତଙ୍କର ଖାତାରେ ତୁମ ନାଁ ଲେଖା ଅଛି ମାନେ ତୁମର ମୃତ୍ୟୁ ସୁନିଶ୍ଚିତ । ସ୍ୱୟଂ ଭଗବାନ ବି ଚାହିଁଲେ କାହାର ମୃତ୍ୟୁକୁ ରୋକି ପାରିବେ ନାହିଁ ।

ଆପଣମାନେ ଦେଖିଥିବେ ହୁନ୍ଦୁ ଧର୍ମରେ ମଣିଷର ମୃତ୍ୟୁ ପରେ ଶବକୁ ଅନ୍ତିମ ସଂସ୍କାର କରାଯାଏ, ଅର୍ଥାତ କାଠରେ ରୀତିନୀତି ଅନୁଯାୟୀ ଶବକୁ ଜଳାଯାଏ । ଶାସ୍ତ୍ର ଅନୁଯାୟୀ, ମୃତ୍ୟୁ ପରେ ଶରୀରରୁ ଆତ୍ମା ବାହାରି ଯାଇଥିଲେ ମଧ୍ୟ ଶବକୁ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ କେବେବି ଏକାକୀ ଛଡ଼ାଯାଏ ନାହିଁ। ତେବେ ଏହି ପରମ୍ପରା ପଛରେ ଗରୁଡ଼ ପୁରାଣରେ ଅନେକ ଗୁପ୍ତ ଏବଂ ଆଧ୍ୟାତ୍ମିକ ରହସ୍ୟ ରହିଛି । ଆସନ୍ତୁ ଜାଣିବା ସେ ବିଷୟରେ…

ଶବକୁ ଏକାକୀ ନଛାଡ଼ିବାର ପ୍ରମୁଖ କାରଣ:

ଶରୀରର ସୁରକ୍ଷା: ବ୍ୟାବହାରିକ ଦୃଷ୍ଟିକୋଣରୁ ଦେଖିଲେ, ମୃତ ଶରୀରକୁ ଏକାକୀ ଛାଡ଼ିଦେଲେ ପିମ୍ପୁଡ଼ି, ପୋକ କିମ୍ବା ଅନ୍ୟ କୌଣସି ଜୀବଜନ୍ତୁ ଶରୀରକୁ କ୍ଷତି ପହଞ୍ଚାଇବାର ଭୟ ଥାଏ। ତେଣୁ ଶବର ସୁରକ୍ଷା ପାଇଁ କେହି ନା କେହି ପାଖରେ ରହିବା ଅତ୍ୟନ୍ତ ଜରୁରୀ।

ନକାରାତ୍ମକ ଶକ୍ତିର ପ୍ରଭାବ: ଧାର୍ମିକ ମାନ୍ୟତା ଅନୁଯାୟୀ, ମୃତ୍ୟୁ ପରେ ଆଖପାଖରେ ନକାରାତ୍ମକ ଶକ୍ତି ବା ଖରାପ ଆତ୍ମାମାନେ ସକ୍ରିୟ ହୋଇଉଠନ୍ତି। ଶବକୁ ଏକାକୀ ପାଇଲେ କୌଣସି ଅଦୃଶ୍ୟ ଶକ୍ତି ସେହି ଶରୀରରେ ପ୍ରବେଶ କରିପାରେ ବୋଲି ବିଶ୍ୱାସ କରାଯାଏ। ଏହା ପରିବାର ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ।

ଆତ୍ମାର ଶରୀର ପ୍ରତି ମୋହ: ଗରୁଡ଼ ପୁରାଣ ଅନୁସାରେ, ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ଆତ୍ମାର ନିଜ ଶରୀର ଏବଂ ପରିବାର ପ୍ରତି ମୋହ ତୁଟିନଥାଏ। ଆତ୍ମା ନିଜ ଶରୀର ପାଖରେ ହିଁ ବୁଲୁଥାଏ। ଏଭଳି ପରିସ୍ଥିତିରେ ଯଦି ଶବକୁ ଏକାକୀ ଛଡ଼ାଯାଏ, ତେବେ ଆତ୍ମା କଷ୍ଟ ଅନୁଭବ କରେ। ସେଥିପାଇଁ ପରିବାର ଲୋକେ ମୃତକଙ୍କ ପାଖରେ ବସି ପ୍ରାର୍ଥନା ଏବଂ ସ୍ମରଣ କରନ୍ତି।

ଦୀପ ଏବଂ ଧୂପ ଜାଳିବାର ମହତ୍ତ୍ୱ

ପ୍ରାଚୀନ କାଳରୁ ଶବ ପାଖରେ ଅଖଣ୍ଡ ଦୀପ ଏବଂ ଧୂପ ଜାଳିବାର ପରମ୍ପରା ରହିଛି। ଧୂପ ଓ ଅଗରବତୀର ସୁଗନ୍ଧ ବାତାବରଣକୁ ଶୁଦ୍ଧ ରଖେ ଏବଂ ଶବରୁ ବାହାରୁଥିବା ଦୁର୍ଗନ୍ଧକୁ ଦୂରେଇ ଦିଏ। ଦୀପର ଆଲୋକ ନକାରାତ୍ମକତାକୁ ଦୂର କରିଥାଏ। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଆଲୋକ ଆତ୍ମାକୁ ପରଲୋକ ଯାତ୍ରା ପାଇଁ ପଥ ପ୍ରଦର୍ଶନ କରିଥାଏ।

ଅନ୍ତିମ ଗତି ଓ ମୋକ୍ଷ

ମନୁଷ୍ୟର କର୍ମ ଅନୁସାରେ ତାକୁ ପରବର୍ତ୍ତୀ ଜନ୍ମ ମିଳିଥାଏ। ତେଣୁ ଶବ ପାଖରେ ସଫା-ସୁତୁରା ଏବଂ ଆଧ୍ୟାତ୍ମିକ ପରିବେଶ ରଖାଯାଏ, ଯଦ୍ୱାରା ଆତ୍ମାର ଗତି ସୁଗମ ହେବ। ମହାଭାରତରେ ଭୀଷ୍ମ ପିତାମହ ଉତ୍ତରାୟଣ ପର୍ଯ୍ୟନ୍ତ ମୃତ୍ୟୁ ପାଇଁ ଅପେକ୍ଷା କରିବା ମଧ୍ୟ ଏହି ଆଧ୍ୟାତ୍ମିକ ମାନ୍ୟତାର ଏକ ବଡ଼ ଉଦାହରଣ। ସଂକ୍ଷେପରେ କହିଲେ, ଏହି ପରମ୍ପରା ମୃତ ଶରୀର ପ୍ରତି ସମ୍ମାନ ଏବଂ ଆତ୍ମାର ଶାନ୍ତି ପାଇଁ ଉଦ୍ଦିଷ୍ଟ।