ଫୁଲ ନୁହେଁ, ମନୋସ୍କାମନା ପୂରଣ ପାଇଁ ଭକ୍ତ ଲେଖେ ଭଗବାନଙ୍କୁ ଚିଠି…

ପାହାଡ଼, ବଣ ଓ ଜଙ୍ଗଲ ଭରା ଉତ୍ତରାଖଣ୍ଡ। ପ୍ରକୃତିର କୋଲରେ ରହିଛି ପ୍ରସିଦ୍ଧ ଚିତାଇ ଗୋଲୁ ଦେବତା ମନ୍ଦିର। ପାହାଡ଼ର ଶାନ୍ତ ପରିବେଶ ମଧ୍ୟରେ ଥିବା ଏହି ମନ୍ଦିରରେ ଆଖି ଯେତେଦୂର ଯାଏ ଯାଇଥାଏ, ସେତେଦୂର ଦେଖାଯାଏ ଅସଂଖ୍ୟ ଘଣ୍ଟି

ହରିଦ୍ୱାର: ଆସ୍ଥା, ବିଶ୍ୱାସ ଓ ଭରସାକୁ ନେଇ ବଞ୍ଚିଛି ମଣିଷ। ସେଥିପାଇଁ ଯେତେବଡ଼ ବିପଦରେ ପଡ଼ିଥିଲେ ମଧ୍ୟ ଧାଇଁ ଯାଇଥିଏ ମନ୍ଦିର। ଦୀପଟିଏ ଜାଳେ, ଫୁଲ ଓ ବିଲ୍ୱ ବା ତୁଳସୀପତ୍ର ଅର୍ପଣ କରିଥାଏ। ଆଉ ପ୍ରଭୁଙ୍କ ଆଗରେ ଧ୍ୟାନମଗ୍ନ ହୋଇ ବସିପଡ଼େ। ମନୋସ୍କାମନା ପୂରଣ ପାଇଁ ପ୍ରାର୍ଥନା କରିଥାଏ। ହେଲେ ଆପଣ ଜାଣିଛନ୍ତି କି ଏ ବ୍ରହ୍ମାଣ୍ଡରେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ମନୋସ୍କାମନା ପୂରଣ ଫୁଲ ବଦଳରେ ଲେଖାଯାଏ ଚିଠି। ଆଉ ତ’ପରେ ମାନସିକ ପୂରଣ ହୋଇଥାଏ। ସେଥିପାଇଁ ଏହି ଠାକୁରଙ୍କୁ ‘ନ୍ୟାୟର ଦେବତା’ ବୋଲି କୁହାଯାଏ। ତାହାହେଲେ ଆସୁନ୍ତୁ ଯିବା ନ୍ୟାୟଦେବତାଙ୍କ ପାଖକୁ।

ପାହାଡ଼, ବଣ ଓ ଜଙ୍ଗଲ ଭରା ଉତ୍ତରାଖଣ୍ଡ। ପ୍ରକୃତିର କୋଲରେ ରହିଛି ପ୍ରସିଦ୍ଧ ଚିତାଇ ଗୋଲୁ ଦେବତା ମନ୍ଦିର। ପାହାଡ଼ର ଶାନ୍ତ ପରିବେଶ ମଧ୍ୟରେ ଥିବା ଏହି ମନ୍ଦିରରେ ଆଖି ଯେତେଦୂର ଯାଏ ଯାଇଥାଏ, ସେତେଦୂର ଦେଖାଯାଏ ଅସଂଖ୍ୟ ଘଣ୍ଟି। ପବନ ବହିଲେ ଏହି ଘଣ୍ଟିଗୁଡ଼ିକର ସାମୂହିକ ଧ୍ୱନି ସତେ ଯେମିତି ହଜାର ହଜାର ପ୍ରାର୍ଥନାର ସ୍ୱର ହୋଇ ଆକାଶରେ ମିଶିଯାଉଛି।

କୁମାଓଁ ଅଞ୍ଚଳର ଲୋକଙ୍କ ମଧ୍ୟରେ ଗୋଲୁ ଦେବତାଙ୍କୁ ‘ନ୍ୟାୟର ଦେବତା’ ଭାବେ ଗଭୀର ଶ୍ରଦ୍ଧା କରାଯାଏ। ଲୋକଙ୍କ ବିଶ୍ୱାସ, ଦେବତାଙ୍କ ନିକଟରେ ନିଜ ସମସ୍ୟା ରଖିଲେ ନ୍ୟାୟ ମିଳିବ। ସେଥିପାଇଁ କାହିଁ କେତେ ଦୂରରୁ ଏଠାକୁ ଭକ୍ତମାନେ ଧାଇଁ ଆସନ୍ତି। ଆଉ ଭଗବାନଙ୍କ ଉଦ୍ଦେଶ୍ୟ ଚିଠି ଲେଖି ଅର୍ପଣ କରନ୍ତି। ପାରିବାରିକ ବିବାଦ ହେଉ କି ଆଇନଗତ ସମସ୍ୟା, ନ୍ୟାୟ ପାଇଁ ଲଢ଼େଇ ହେଉ କି ଜୀବନର କୌଣସି ଅସୁବିଧା; ଭକ୍ତମାନେ ନିଜ ସମସ୍ୟାକୁ କାଗଜରେ ଲେଖି ଗୋଲୁ ଦେବତାଙ୍କ ପାଖରେ ଅର୍ପଣ କରନ୍ତି। ଏହି ଚିଠି ଗୁଡ଼ିକ ଭକ୍ତଙ୍କ ପାଇଁ କେବଳ କାଗଜ ନୁହେଁ; ଏହା ହେଉଛି ତାଙ୍କ ଆଶା ଓ ବିଶ୍ୱାସର ଏକ ମାଧ୍ୟମ।

ଲୋକ କଥା ଅନୁସାରେ, ଗୋଲୁ ଦେବତା ରାଜା ଝାଲ ରାଇ ଓ ରାଣୀ କାଳିଙ୍କାଙ୍କ ପୁତ୍ର ଥିଲେ। କୁମାଓଁ ଅଞ୍ଚଳର ଲୋକପରମ୍ପରାରେ ତାଙ୍କୁ ଜଣେ ସାହସୀ ଓ ପ୍ରଜାବତ୍ସଳ ଶାସକ ଭାବେ ବର୍ଣ୍ଣନା କରାଯାଏ। କେତେକ ପରମ୍ପରାରେ ତାଙ୍କୁ କାତ୍ୟୁରୀ ବଂଶ ସହ ମଧ୍ୟ ଯୋଡ଼ା ଯାଇଥାଏ। ଲୋକବିଶ୍ୱାସ ଅନୁସାରେ, ସେ ଧଳା ଘୋଡ଼ାରେ ଚଢ଼ି ନିଜ ରାଜ୍ୟରେ ବୁଲୁଥିଲେ। ସାଧାରଣ ଲୋକଙ୍କ ଅଭିଯୋଗ ଶୁଣି ନ୍ୟାୟ ଦେଉଥିଲେ। ଏହି ପରମ୍ପରାକୁ ‘ଗୋଲୁ ଦରବାର’ ବୋଲି କୁହାଯାଉଥିଲା। ଆଜି ମଧ୍ୟ ଏହା ଏକ ଆଧ୍ୟାତ୍ମିକ ନ୍ୟାୟାଳୟର ପ୍ରତୀକ ଭାବେ ଲୋକଙ୍କ ବିଶ୍ୱାସରେ ବଞ୍ଚିଛି।

ମନ୍ଦିରରେ ଝୁଲୁଥିବା ହଜାର ହଜାର ଘଣ୍ଟି ପଛରେ ମଧ୍ୟ ରହିଛି ଏକ ବିଶ୍ୱାସର କାହାଣୀ। ଭକ୍ତଙ୍କ ମନୋସ୍କାମନା ପୂରଣ ହେଲେ ସେମାନେ ଗୋଲୁ ଦେବତାଙ୍କୁ ଧନ୍ୟବାଦ ଦେବା ପାଇଁ ମନ୍ଦିରରେ ଘଣ୍ଟି ବାନ୍ଧନ୍ତି। ବର୍ଷ ପରେ ବର୍ଷ ଏହି ପରମ୍ପରା ଚାଲି ଆସିବାରୁ ଆଜି ମନ୍ଦିର ପରିସରରେ ଅସଂଖ୍ୟ ଘଣ୍ଟି ଝୁଲୁଛି।

କୁମାଓଁର ଅନେକ ଗାଁରେ ଗୋଲୁ ଦେବତାଙ୍କୁ ‘ଜାଗର’ ନାମକ ପାରମ୍ପରିକ ଧାର୍ମିକ ଅନୁଷ୍ଠାନରେ ମଧ୍ୟ ଆରାଧନା କରନ୍ତି। ଭକ୍ତିଗୀତ ଓ ଆଧ୍ୟାତ୍ମିକ ପରମ୍ପରା ମାଧ୍ୟମରେ ଦେବତାଙ୍କୁ ଆହ୍ୱାନ କରନ୍ତି। ଲୋକବିଶ୍ୱାସ ଅନୁସାରେ, ଏହି ସମୟରେ ଦେବତା ଜଣଙ୍କ ମାଧ୍ୟମରେ ଭକ୍ତଙ୍କ ସମସ୍ୟା ଶୁଣନ୍ତି।

ଗୋଲୁ ଦେବତାଙ୍କୁ ଉତ୍ତରାଖଣ୍ଡର ଅନେକ ସ୍ଥାନରେ ଆରାଧନା କରାଯାଏ। ଚିତାଇ ବ୍ୟତୀତ ଘୋରାଖାଲ ଓ ଚମ୍ପାୱତ ଅଞ୍ଚଳରେ ମଧ୍ୟ ତାଙ୍କର ମନ୍ଦିର ରହିଛି। କୁମାଓଁ ଓ ଗଡ଼ୱାଲର ଅନେକ ପରିବାର ତାଙ୍କୁ କୁଳଦେବତା ଭାବେ ମଧ୍ୟ ପୂଜା କରନ୍ତି। ଘିଅ, କ୍ଷୀର, ଦହି, ହାଲୱା, ପୁରୀ ଓ ପକୋଡ଼ି ଭଳି ନୈବେଦ୍ୟ ସହ ଧଳା ବସ୍ତ୍ର, ପଗଡ଼ି ଓ ଶାଲ ଅର୍ପଣ କରିବାର ପରମ୍ପରା ରହିଛି।

ତେବେ ଚିତାଇ ମନ୍ଦିରର ପରିଚୟ କେବଳ ଏହାର ହଜାର ହଜାର ଘଣ୍ଟି ନୁହେଁ। ଏହି ଘଣ୍ଟିଗୁଡ଼ିକ ହେଉଛି ହଜାର ହଜାର ମଣିଷଙ୍କ ଆଶା, ପ୍ରାର୍ଥନା ଓ କୃତଜ୍ଞତାର ପ୍ରତୀକ। କାହା ପାଇଁ ଏହା ନ୍ୟାୟର ଆଶା, କାହା ପାଇଁ ସମସ୍ୟାରୁ ମୁକ୍ତିର ବିଶ୍ୱାସ, ଆଉ କାହା ପାଇଁ ଭଗବାନଙ୍କ ଉପରେ ନିଜ ମନର କଥା ଛାଡ଼ି ଦେବାର ଏକ ଆଧ୍ୟାତ୍ମିକ ମୁହୂର୍ତ୍ତ।

ହିମାଳୟର ପବନରେ ଯେତେବେଳେ ଏହି ଘଣ୍ଟିଗୁଡ଼ିକ ଏକାସାଙ୍ଗରେ ବାଜିଉଠେ, ସେତେବେଳେ ଲାଗେ ଏଠାରେ କେବଳ ଧାତୁର ଘଣ୍ଟି ନୁହେଁ, ଅସଂଖ୍ୟ ମଣିଷର ଅଧୁରା କାହାଣୀ, ଆଶା ଓ ପ୍ରାର୍ଥନା ମଧ୍ୟ ପବନରେ ଝୁଲୁଛି।