“ତୁ ଅଧିକ ଚିକେନ୍ ପିସ୍ କାହିଁକି ନେଲୁ”… ପାର୍ଟିରେ ଦୁଇ ସାଙ୍ଗଙ୍କ ଭିତରେ ମାଂସ ପାଇଁ ରକ୍ତପାତ, ଛୁରୀ ଭୁସି ହତ୍ୟା
ପାର୍ଟିରେ ଚିକେନ୍ କିଏ ଅଧିକ ଖାଇଲା, ତାକୁ ନେଇ ହୋଇଥିଲା ଝଗଡ଼ା। ସାମାନ୍ୟ ବଚସା ପରେ ଛୁରୀ ଭୁସି ହତ୍ୟା।
କର୍ଣ୍ଣାଟକ: ହସ ଖୁସିରେ ଚାଲିଥିଲା ଚିକେନ୍ ପାର୍ଟି। ଦୁଇ ସାଙ୍ଗ ମିଶି ବେଶ୍ ମଜା କରୁଥିଲେ। ଆଉ ମଦ ମାଂସର ଆସର ଜମିଥିଲା। ଏତିକି ବେଳେ ଜଣେ ସାଙ୍ଗ ଗୋଟେ ପିସ୍ ଚିକେନ୍ ଅଧିକ ନେଇଗଲା। ଆଉ ଏଇଠୁ ଆରମ୍ଭ ହେଲା ମହାଭାରତ। ଶେଷରେ ଗୋଟିଏ ପିସ୍ ଚିକେନ୍ ପାଇଁ ସାଙ୍ଗର ଜୀବନ ନେଇଗଲା ସାଙ୍ଗ।
ହଁ ଆଜ୍ଞା ଚିକେନ୍ର କିଛି ପିସ୍ କୁ ନେଇ ଆରମ୍ଭ ହୋଇଥିଲା ସାମାନ୍ୟ ଝଗଡ଼ା। କିନ୍ତୁ କିଛି ସମୟ ଭିତରେ ଏହି ଝଗଡ଼ା ଏତେ ଭୟଙ୍କର ରୂପ ନେଲା ଯେ, ଜଣେ ସାଙ୍ଗ ଆଉ ଜଣେ ସାଙ୍ଗର ଜୀବନ ନେଇଗଲା। ଏହାପରେ ନିଜ ଅପରାଧ ଲୁଚାଇବା ପାଇଁ ଯେଉଁ କାହାଣୀ ରଚିଥିଲା ଅଭିଯୁକ୍ତ, ତାହା ମଧ୍ୟ ପୋଲିସକୁ ଚକିତ କରିଦେଇଛି।
ଏଭଳି ଏକ ଚାଞ୍ଚଲ୍ୟକର ଘଟଣା କର୍ଣ୍ଣାଟକର ବେଳଗାଭି ଜିଲ୍ଲାର ମୁଦଲଗି ତାଲୁକ ଅନ୍ତର୍ଗତ ହୁନାଶ୍ୟାଲ ପିଜି ଗାଁରେ ଘଟିଛି। ମୃତକ ହେଉଛନ୍ତି ଉତ୍ତରପ୍ରଦେଶର ପିଲିଭିତ ଜିଲ୍ଲା କବୀରଗଞ୍ଜ ଅଞ୍ଚଳର ସୀତାରାମ। ସେ ଅଭିଯୁକ୍ତ ଅରୁଣ କୁମାରଙ୍କ ସହ ପ୍ରିୟା ଷ୍ଟିଲ୍ କମ୍ପାନୀରେ କାମ କରୁଥିଲେ।
ପୋଲିସ ସୂଚନା ଅନୁସାରେ, ଘଟଣା ଦିନ ଦୁହେଁ ଏକାଠି ବସି ମଦ ପିଇବା ସହ ଚିକେନ୍ ଖାଉଥିଲେ। ତେବେ କିଏ ଅଧିକ ଚିକେନ୍ ଖାଇଲା, ତାକୁ ନେଇ ଦୁହିଁଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। କିନ୍ତୁ କଥା ଧୀରେ ଧୀରେ ବଢ଼ିଯାଇଥିଲା।
ଅଭିଯୋଗ ଅନୁସାରେ, ଝଗଡ଼ା ମଧ୍ୟରେ ଅରୁଣ ଏକ ଛୁରୀ ବାହାର କରି ସୀତାରାମଙ୍କ ଛାତିରେ ଆକ୍ରମଣ କରିଥିଲେ। ଛୁରୀ ମାଡ଼ରେ ସୀତାରାମ ଗୁରୁତର ଆହତ ହୋଇଥିଲେ।
କିନ୍ତୁ ଏହାପରେ ଆରମ୍ଭ ହୋଇଥିଲା ଅଭିଯୁକ୍ତଙ୍କ ଅପରାଧ ଲୁଚାଇବାର ଚେଷ୍ଟା। ଅରୁଣ ଆହତ ସୀତାରାମଙ୍କୁ ତୁରନ୍ତ ଗୋକାକ ସରକାରୀ ହସ୍ପିଟାଲକୁ ନେଇଯାଇଥିଲେ। ସେଠାରେ ସେ ଡାକ୍ତରଙ୍କୁ କହିଥିଲେ ଯେ, ସୀତାରାମ ଏକ ବିଲ୍ଡିଂରୁ ଖସି ପଡ଼ି ଆହତ ହୋଇଛନ୍ତି।
ହେଲେ ଡାକ୍ତରଙ୍କୁ ଏହି କାହାଣୀ ଉପରେ ସନ୍ଦେହ ହୋଇଥିଲା। ଆହତଙ୍କ ଶରୀରରେ ଥିବା ଆଘାତକୁ ଦେଖି ଘଟଣାଟି ସାଧାରଣ ଭାବେ ବିଲ୍ଡିଂରୁ ପଡ଼ିବା ଘଟଣା ନୁହେଁ ବୋଲି ସନ୍ଦେହ ହୋଇଥିଲା। ଏନେଇ ପୋଲିସକୁ ଖବର ଦିଆଯାଇଥିଲା।
ପୋଲିସ ତଦନ୍ତ ଆରମ୍ଭ କରି ଅରୁଣଙ୍କୁ ପଚରାଉଚରା କରିଥିଲା। ପଚରାଉଚରା ବେଳେ ଅରୁଣ ଶେଷରେ ସୀତାରାମଙ୍କୁ ଛୁରୀରେ ଆକ୍ରମଣ କରିଥିବା ସ୍ୱୀକାର କରିଥିବା ପୋଲିସ କହିଛି।
ଗୁରୁତର ଅବସ୍ଥାରେ ସୀତାରାମଙ୍କ ଚିକିତ୍ସା ଚାଲିଥିଲେ ମଧ୍ୟ ତାଙ୍କୁ ଡାକ୍ତର ବଞ୍ଚାଇବାରେ ଅସଫଳ ହେଲେ। ଶେଷରେ ସେ ଆଘାତରେ ପ୍ରାଣ ହରାଇଥିଲେ। ଏହି ଘଟଣାକୁ ନେଇ ପୋଲିସ ହତ୍ୟା ମାମଲା ରୁଜୁ କରିଛି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରହିଛି।
ସବୁଠାରୁ ଚକିତ କରିଦେବା କଥା ହେଉଛି- ଯେଉଁ ଝଗଡ଼ାର ଆରମ୍ଭ ହୋଇଥିଲା କେବଳ ଚିକେନ୍ର କିଛି ପିସ୍ କୁ ନେଇ, ତାହା ଶେଷରେ ଜଣେ ବ୍ୟକ୍ତିଙ୍କ ଜୀବନ ନେଇଗଲା। ସାମାନ୍ୟ କଥାକୁ ନେଇ ରାଗ କେତେ ଭୟଙ୍କର ରୂପ ନେଇପାରେ, ଏହି ଘଟଣା ତାହାର ଏକ ଚକିତ କରିଦେବା ଭଳି ଜ୍ୱଳନ୍ତ ଉଦାହରଣ।


