ପୁରୁଣା ବଙ୍ଗଳାର କାହାଣୀ ଏବଂ ଦୃଶ୍ୟ ଦେଖି କାହିଁକି ଟାଙ୍କୁରି ଉଠେ ଲୋମ? ଭୂତ-ପ୍ରେତ ନୁହେଁ ବରଂ ରହିଛି ବୈଜ୍ଞାନିକ କାରଣ

ପୁରୁଣା ବଙ୍ଗଳାର କାହାଣୀ ଏବଂ ଦୃଶ୍ୟ ଦେଖି କାହିଁକି ଟାଙ୍କୁରି ଉଠେ ଲୋମ?

Haunted Places Science: ପ୍ରାୟତଃ ଫିଲ୍ମ କିମ୍ବା ଗପରେ ଦେଖାଯାଏ ଯେ, କୌଣସି ପୁରୁଣା ବଙ୍ଗଳା, ବନ୍ଦ ହେଇ ପଡ଼ିଥିବା ମହଲ କିମ୍ବା ନିଛାଟିଆ ଭଙ୍ଗା ଘର ମଧ୍ୟକୁ ପାଦ ବଢ଼ାଇବା କ୍ଷଣି ଲୋକଙ୍କ ଲୋମ ଟାଙ୍କୁରି ଉଠେ। ପବନରେ ଏକ ଅଜବ ସୁ ସୁ ଶବ୍ଦ, ହଠାତ୍ ହୃଦସ୍ପନ୍ଦନ ବଢ଼ିଯିବା ଏବଂ କୌଣସି ଅଦୃଶ୍ୟ ଛାଇ ଆଖପାଖରେ ଥିବାର ଅନୁଭୂତି ଲୋକଙ୍କୁ ଭୟଭୀତ କରିଦିଏ।

ଶତାବ୍ଦୀ ଶତାବ୍ଦୀ ଧରି ଲୋକେ ଏହି ଅନୁଭୂତିକୁ ଭୂତ-ପ୍ରେତ, ଆତ୍ମା ବା ଅଲୌକିକ ଶକ୍ତିର ପ୍ରକୋପ ବୋଲି ବିଶ୍ୱାସ କରିଆସୁଛନ୍ତି। କିନ୍ତୁ ଆଧୁନିକ ବିଜ୍ଞାନ ଏବଂ ବୈଜ୍ଞାନିକମାନଙ୍କ ସମ୍ପ୍ରତି ଗବେଷଣା ଏହି ପୁରୁଣା ରହସ୍ୟ ଉପରୁ ପରଦା ହଟାଇଛି। ବିଜ୍ଞାନ ଅନୁସାରେ, ଏହି ଭୂତିଆ ଅନୁଭୂତି ପଛରେ କୌଣସି ଆତ୍ମା ନାହିଁ, ବରଂ ଏକ ସ୍ୱତନ୍ତ୍ର ପ୍ରକାରର ଅଦୃଶ୍ୟ ଶବ୍ଦ ଦାୟୀ ଅଟେ।

କଣ ଏହି ‘ଇନଫ୍ରାସାଉଣ୍ଡ’?

ବୈଜ୍ଞାନିକମାନେ ବିଭିନ୍ନ ଭୟାନକ ଏବଂ ନିଛାଟିଆ ସ୍ଥାନକୁ ଯାଇ ଗଭୀର ଅଧ୍ୟୟନ କରିଛନ୍ତି। ସେମାନେ ଜାଣିବାକୁ ପାଇଛନ୍ତି ଯେ, ପୁରୁଣା କୋଠାବାଡ଼ିରେ ଥିବା ‘ଇନଫ୍ରାସାଉଣ୍ଡ’ ହିଁ ଲୋକଙ୍କ ମନରେ ଭୟ ସୃଷ୍ଟି କରିଥାଏ। ଇନଫ୍ରାସାଉଣ୍ଡ ପ୍ରକୃତରେ ଅତି କମ୍ ଆବୃତ୍ତି ବିଶିଷ୍ଟ ଶବ୍ଦ ତରଙ୍ଗ, ଯାହା ପ୍ରାୟ ୨୦ ହର୍ଟଜ୍ (Hz) ରୁ ମଧ୍ୟ କମ୍ ସ୍ତରରେ କାର୍ଯ୍ୟ କରିଥାଏ।

ମଣିଷର କାନ ଏତେ କମ୍ ଆବୃତ୍ତିର ଶବ୍ଦକୁ ସିଧାସଳଖ ଶୁଣିବାରେ ସମ୍ପୂର୍ଣ୍ଣ ଅସମର୍ଥ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଆମ କାନ ଏହାକୁ ଶୁଣିପାରୁ ନଥିଲେ ମଧ୍ୟ ଆମ ଶରୀର ଏବଂ ମସ୍ତିଷ୍କ ଏହି ତରଙ୍ଗର ପ୍ରଭାବକୁ ଖୁବ୍ ଗଭୀର ଭାବେ ଅନୁଭବ କରିପାରନ୍ତି।

ପୁରୁଣା ଘରେ କାହିଁକି ସୃଷ୍ଟି ହୁଏ ଏହି ଅଦୃଶ୍ୟ କମ୍ପନ?

ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ପୁରୁଣା ଭଙ୍ଗାଦଦରା ଘର ଭିତରେ କଳଙ୍କିଲାଗି ଯାଇଥିବା ଲୁହା ପାଇପ୍, ପୁରୁଣା ଭେଣ୍ଟିଲେସନ୍ ସିଷ୍ଟମ୍, ବନ୍ଦ ପଡ଼ିଥିବା ବଏଲର୍ ଏବଂ ବହୁ ବର୍ଷର ପୁରୁଣା ମେସିନାରୀ ଜିନିଷଗୁଡ଼ିକ ମଧ୍ୟ ଦେଇ ଯେତେବେଳେ ପବନ ଚଳାଚଳ କରେ, ସେତେବେଳେ ବାୟୁର ଚାପ ଯୋଗୁଁ ଏକ ଅତି କମ୍ ଆବୃତ୍ତିର କମ୍ପନ ସୃଷ୍ଟି ହୁଏ।

ରାତିର ନିଶବ୍ଦ ପରିବେଶରେ ଯେତେବେଳେ ବାହାରର କୋଳାହଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ, ସେତେବେଳେ ପୁରୁଣା କୋଠାରୁ କ୍ରମାଗତ ଭାବେ ନିର୍ଗତ ହେଉଥିବା ଏହି ଅଦୃଶ୍ୟ କମ୍ପନ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମନୋଭାବ ଏବଂ ସମ୍ପୂର୍ଣ୍ଣ ସ୍ନାୟୁ ପ୍ରଣାଳୀ ଉପରେ ଖରାପ ପ୍ରଭାବ ପକାଇବା ଆରମ୍ଭ କରେ।

ପରୀକ୍ଷାଗାରରୁ ମିଳିଲା ବୈଜ୍ଞାନିକ ପ୍ରମାଣ

କାନାଡାର ମ୍ୟାକ୍‌ଇଓ୍ବାନ ୟୁନିଭର୍ସିଟିର ମନୋବିଜ୍ଞାନୀ ପ୍ରଫେସର ରଡନୀ ଶ୍ମାଲ୍‌ଟଜ୍‌ଙ୍କ ନେତୃତ୍ୱରେ ଏହି ବିଷୟ ଉପରେ ଏକ ଆକର୍ଷଣୀୟ ଅଧ୍ୟୟନ କରାଯାଇଥିଲା। ଏହି ବୈଜ୍ଞାନିକ ସତ୍ୟକୁ ପରଖିବା ପାଇଁ ଗବେଷକମାନେ ୩୬ ଜଣ ବ୍ୟକ୍ତିଙ୍କୁ ନେଇ ଏକ ସ୍ୱତନ୍ତ୍ର ଗବେଷଣା କରିଥିଲେ ।

ସମସ୍ତଙ୍କୁ ଏକ ବନ୍ଦ କୋଠରୀରେ ବସାଇ ସାଧାରଣ ସଙ୍ଗୀତ ଶୁଣାଯାଇଥିଲା। କିନ୍ତୁ ସେମାନଙ୍କ ଅଗୋଚରରେ ବ୍ୟାକଗ୍ରାଉଣ୍ଡରେ ୧୮ ହର୍ଟଜ୍ (Hz) ର ଇନଫ୍ରାସାଉଣ୍ଡ ମଧ୍ୟ ଚଲାଯାଇଥିଲା, ଯାହାକୁ ସେମାନେ କାନରେ ଶୁଣିପାରୁ ନଥିଲେ। ପରୀକ୍ଷା ଶେଷ ହେବା ପରେ ସମସ୍ତଙ୍କର ମାନସିକ ସ୍ଥିତି ଏବଂ ସେମାନଙ୍କ ଲାଳର ନମୁନା ଯାଞ୍ଚ କରାଯାଇଥିଲା।

ଚମକାଇଦେଲା ପରୀକ୍ଷାର ଫଳାଫଳ

ଯେଉଁମାନଙ୍କୁ ଇନଫ୍ରାସାଉଣ୍ଡ ସମ୍ପର୍କରେ ରଖାଯାଇଥିଲା, ସେମାନଙ୍କ ଶରୀରରେ ମାନସିକ ଚାପ ବଢ଼ାଉଥିବା ହରମୋନ ‘କର୍ଟିସୋଲ’ର ସ୍ତର ବହୁତ ଅଧିକ ମିଳିଥିଲା। ଏହି ବ୍ୟକ୍ତିମାନେ ପ୍ରୟୋଗ ସମୟରେ ବିନା କୌଣସି ବାହ୍ୟ କାରଣରେ ହଠାତ୍ ଅତ୍ୟଧିକ ବିରକ୍ତିଭାବ, ଛଟପଟ ହେବା, ଭୟ ଏବଂ ଅସହଜତା ଅନୁଭବ କରିଥିବା ସ୍ୱୀକାର କରିଥିଲେ।

ସବୁ ଖେଳ ହେଉଛି ଆମ ଅବଚେତନ ମନର

ବୈଜ୍ଞାନିକଙ୍କ ଅନୁସାରେ, ଏହା ଆମର ଅବଚେତନ ମନ ଏବଂ ପରିବେଶର ପାରସ୍ପରିକ ତାଳମେଳ ଯୋଗୁଁ ହୋଇଥାଏ। ଯଦି ଜଣେ ବ୍ୟକ୍ତି ପୂର୍ବରୁ ହିଁ ମନରେ ଏହି ଭାବନା ନେଇ କୌଣସି ପୁରୁଣା ଘରକୁ ଯାଏ ଯେ ସେହି ସ୍ଥାନଟି ଭୂତିଆ କିମ୍ବା ଅଭିଶପ୍ତ, ତେବେ ସେଠାରେ ଥିବା ଇନଫ୍ରାସାଉଣ୍ଡ ଯୋଗୁଁ ସୃଷ୍ଟି ହେଉଥିବା ଶାରୀରିକ ଅସହଜତାକୁ ତାର ମସ୍ତିଷ୍କ ତୁରନ୍ତ ଏକ ‘ଅଲୌକିକ ବା ଭୂତ ପ୍ରେତର ଅନୁଭୂତି’ ବୋଲି ଧରିନିଏ।

ଏହାର ଅର୍ଥ ହେଉଛି, ପରିତ୍ୟକ୍ତ କୋଠାବାଡ଼ିରେ ଅନୁଭୂତ ହେଉଥିବା ସେହି ଭୟାନକ ଡର ବାସ୍ତବରେ କୌଣସି ଭୂତର ଉପସ୍ଥିତି ଯୋଗୁଁ ନୁହେଁ, ବରଂ ପରିବେଶରେ ବ୍ୟାପିଥିବା ଅଦୃଶ୍ୟ କମ୍ପନ ପ୍ରତି ଆମ ଶରୀରର ଏକ ସ୍ୱାଭାବିକ ପ୍ରତିକ୍ରିୟା ମାତ୍ର।