ବ୍ରଶ କରନ୍ତିନି ଜଙ୍ଗଲୀ ପଶୁ, ତେବେ କେମିତି ରୁହେ ସେମାନଙ୍କ ଦାନ୍ତ ମଜବୁତ? ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ

ବ୍ରଶ କରନ୍ତିନି ଜଙ୍ଗଲୀ ପଶୁ, ତେବେ କେମିତି ରୁହେ ସେମାନଙ୍କ ଦାନ୍ତ ମଜବୁତ?

Animal Teeth: ଅଧିକାଂଶ ଲୋକ କାଭିଟି (ଦାନ୍ତ ପୋକ)ରୁ ରକ୍ଷା ପାଇବା, ଦାନ୍ତର ଦାଗ ହଟାଇବା ଏବଂ ପାଟିର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଦିନକୁ ଦୁଇଥର ବ୍ରଶ୍ କରିଥାନ୍ତି। କିନ୍ତୁ ଜଙ୍ଗଲୀ ପଶୁମାନେ କେବେ ମଧ୍ୟ ଟୁଥ୍‌ବ୍ରଶ୍, ଟୁଥ୍‌ପେଷ୍ଟ କିମ୍ବା ମାଉଥ୍‌ୱାଶ୍ ବ୍ୟହହାର କରନ୍ତି ନାହିଁ, ତଥାପି ସେମାନଙ୍କ ଦାନ୍ତ ଜୀବନସାରା ମଜବୁତ ଏବଂ ସୁସ୍ଥ ରହିଥାଏ। ଆସନ୍ତୁ ଜାଣିବା ଏହା ପଛର ପ୍ରକୃତ କାରଣ କଣ।

ପ୍ରାକୃତିକ ଖାଦ୍ୟପେୟ କରେ ଦାନ୍ତର ସୁରକ୍ଷା

ପଶୁମାନଙ୍କ ଦାନ୍ତ ସୁସ୍ଥ ରହିବାର ସବୁଠାରୁ ବଡ଼ କାରଣ ହେଉଛି ସେମାନଙ୍କର ପ୍ରାକୃତିକ ଖାଦ୍ୟପେୟ। ଜଙ୍ଗଲୀ ପଶୁମାନେ ରିଫାଇଣ୍ଡ ଚିନି, ଚକୋଲେଟ୍, ସଫ୍ଟ ଡ୍ରିଙ୍କ୍, କ୍ୟାଣ୍ଡି କିମ୍ବା ପ୍ରୋସେସ୍‌ଡ ଫୁଡ୍ ଖାଆନ୍ତି ନାହିଁ। ଏହି ସବୁ ଜିନିଷ ମଣିଷମାନଙ୍କ ଦାନ୍ତ ଖରାପ ହେବାର ସବୁଠାରୁ ବଡ଼ କାରଣ ସାଜିଥାଏ।

ପଶୁମାନଙ୍କ ଖାଦ୍ୟରେ ଚିନିର ମାତ୍ରା ପ୍ରାୟ ନାହିଁ ବୋଲି କହିଲେ ଚଳେ, ଏହି କାରଣରୁ ଚିନି ସାହାଯ୍ୟରେ ବଢ଼ୁଥିବା ଏବଂ ଦାନ୍ତର ଇନାମେଲ୍‌କୁ କ୍ଷତି ପହଞ୍ଚାଉଥିବା ଏସିଡ୍ ପ୍ରସ୍ତୁତକାରୀ କ୍ଷତିକାରକ ବ୍ୟାକ୍ଟେରିଆ ସେମାନଙ୍କ ପାଟିରେ ବଂଶବୃଦ୍ଧି କରିପାରନ୍ତି ନାହିଁ।

ପ୍ରାକୃତିକ ଟୁଥ୍‌ବ୍ରଶ୍

ପଶୁମାନେ ଅଜାଣତରେ ହିଁ ଦୈନନ୍ଦିନ ନିଜର ଦାନ୍ତ ସଫା କରିଥାନ୍ତି। ସେମାନଙ୍କର ଖାଇବା ଶୈଳୀ ପ୍ରାକୃତିକ ଉପାୟରେ ଦାନ୍ତ ପୃଷ୍ଠରୁ ପ୍ଲାକ୍ (ପ୍ଲେକ୍) ଏବଂ ଖାଦ୍ୟ କଣିକାକୁ ହଟାଇବାରେ ସାହାଯ୍ୟ କରେ। ଗାଈ, ଘୋଡ଼ା ଏବଂ ଛେଳି ଭଳି ଶାକାହାରୀ ପଶୁମାନେ ଘଣ୍ଟା ଘଣ୍ଟା ଧରି ଘାସ, ପତ୍ର ଏବଂ ରସାଳ ଉଦ୍ଭିଦ ଚବାଇଥାନ୍ତି।

ଏହାଦ୍ୱାରା ସେମାନଙ୍କ ଦାନ୍ତ ଉପରେ ଏକ ପ୍ରାକୃତିକ ସ୍କ୍ରବର୍ ସବୁବେଳେ ଘଷି ହେବା ଭଳି କାମ କରିଥାଏ। ସେହିପରି ସିଂହ, ବାଘ ଏବଂ ଚିତାବାଘ ଭଳି ମାଂସାହାରୀ ପଶୁମାନେ କଞ୍ଚା ମାଂସ, ଚମଡ଼ା ଏବଂ ହାଡ଼ ଚବାଇଥାନ୍ତି। ଏହି ଚବାଇବା ପ୍ରକ୍ରିୟା ପ୍ରାକୃତିକ ଭାବେ ସେମାନଙ୍କ ଦାନ୍ତରେ ଜମିଥିବା ମଇଳାକୁ ସଫା କରିଦିଏ।

ଲାଳ ଯୋଗାଏ ସୁରକ୍ଷା

ଅନେକ ପଶୁଙ୍କ ପାଟିରୁ ବାହାରୁଥିବା ଲାଳ ସେମାନଙ୍କ ଦାନ୍ତ ସୁରକ୍ଷାରେ ଖୁବ୍ ପ୍ରଭାବଶାଳୀ ହୋଇଥାଏ। କୁକୁର ଭଳି ପ୍ରଜାତିଙ୍କ କ୍ଷେତ୍ରରେ ଲାଳର ପିଏଚ୍ ଲେଭଲ୍ (pH Level) ବହୁତ ଅଧିକ ଥାଏ। ଏହା ପାଟି ଭିତରେ ଥିବା ଏସିଡ୍‌ର ପ୍ରଭାବକୁ କମ୍ କରିବାରେ ସାହାଯ୍ୟ କରେ। ଏହି ପ୍ରାକୃତିକ ସୁରକ୍ଷା ପ୍ରଣାଳୀ ଦାନ୍ତର ଇନାମେଲ୍ ଅର୍ଥାତ୍ ଦାନ୍ତର ଶକ୍ତ ବାହ୍ୟ ସ୍ତରକୁ ଘଷି ହେବାରୁ ଏବଂ ନଷ୍ଟ ହେବାରୁ ରକ୍ଷା କରିଥାଏ।

ଦାନ୍ତରେ ଦାଗ ଲାଗୁଥିବା ଜିନିଷର ଅଭାବ

ମଣିଷ ନିୟମିତ ଭାବେ ଚା’, କଫି, ସଫ୍ଟ ଡ୍ରିଙ୍କ୍ ଏବଂ କୃତ୍ରିମ ରଙ୍ଗ ମିଶ୍ରିତ ଖାଦ୍ୟ ସାମଗ୍ରୀ ଗ୍ରହଣ କରିଥାଏ। ଏହାଦ୍ୱାରା ସମୟ କ୍ରମେ ଦାନ୍ତରେ କଳା ବା ହଳଦିଆ ଦାଗ ପଡ଼ିଯାଏ। ପଶୁମାନଙ୍କୁ ପ୍ରକୃତିରେ ଏଭଳି କୌଣସି ଜିନିଷ ମିଳିନଥାଏ। ଯେହେତୁ ସେମାନଙ୍କ ଖାଦ୍ୟରେ ଦାଗ ଲାଗିବା ଭଳି କିଛି ନଥାଏ, ତେଣୁ ସେମାନଙ୍କ ଦାନ୍ତ ହଳଦିଆ କିମ୍ବା ବାଦାମୀ ରଙ୍ଗର ହେବାର ସମ୍ଭାବନା ଖୁବ୍ କମ୍ ଥାଏ।

ଏହା ସହିତ, ଅଧିକାଂଶ ଜଙ୍ଗଲୀ ପଶୁ ମଣିଷ ତୁଳନାରେ ଖୁବ୍ କମ୍ ବର୍ଷ ବଞ୍ଚିଥାନ୍ତି। ଏହି କାରଣରୁ ସେମାନଙ୍କ ଦାନ୍ତକୁ ଦଶନ୍ଧି ଦଶନ୍ଧି ଧରି ଘଷି ହେବା, ଇନାମେଲ୍ ଖରାପ ହେବା କିମ୍ବା ଦାନ୍ତ ଜନିତ ପୁରୁଣା ସମସ୍ୟାର ସାମ୍ନା କରିବାକୁ ପଡ଼ିନଥାଏ।