ଆମେରିକାରେ EVMରେ ନୁହେଁ, ବାଲାଟ୍ ପେପରରେ କାହିଁକି ହୁଏ ନିର୍ବାଚନ, କେମିତି ହୁଏ ଭୋଟ୍ ଗଣତି, ଜାଣନ୍ତୁ ପ୍ରକ୍ରିୟା
ଭାରତରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ରେ ମତଦାନ ହେଉଥିବା ବେଳେ ଆମେରିକାରେ ଅଧିକାଂଶ ଭୋଟର୍ କାଗଜ ବାଲାଟ୍ କିମ୍ବା ପେପର ରେକର୍ଡ ଥିବା ବ୍ୟବସ୍ଥାରେ ଭୋଟ୍ ଦିଅନ୍ତି।
ନୂଆଦିଲ୍ଲୀ: ଆମେରିକାରେ ୨୦୨୬ ମିଡ୍ଟର୍ମ ନିର୍ବାଚନ ଶେଷ ହୋଇଛି। ଏଥର ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିକୁ ବଡ଼ ଝଟକା ଲାଗିଥିବା ବେଳେ ଡେମୋକ୍ରାଟ୍ସ ଉଭୟ ସଦନରେ ନିଜର ଦବଦବା ଜାହିର କରିଛନ୍ତି।
ତେବେ ଆମେରିକାର ନିର୍ବାଚନ ପ୍ରକ୍ରିୟା ଭାରତଠାରୁ ଅନେକ ଅଲଗା। ଏଠାରେ ଭାରତ ଭଳି EVMରେ ସିଧାସଳଖ ଭୋଟ୍ ଦେବା ପରିବର୍ତ୍ତେ ଅଧିକାଂଶ କ୍ଷେତ୍ରରେ କାଗଜ ବାଲାଟ୍ ଏବଂ ପେପର ରେକର୍ଡ ଥିବା ଭୋଟିଂ ବ୍ୟବସ୍ଥା ବ୍ୟବହାର କରାଯାଏ। ତେବେ କାହିଁକି ଆମେରିକାରେ ଏହି ବ୍ୟବସ୍ଥା ରହିଛି ଏବଂ କିପରି ହୁଏ ଭୋଟ୍ ଗଣତି?
କ’ଣ ଏହି ମିଡ୍ଟର୍ମ ନିର୍ବାଚନ: ଆମେରିକାର ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୪ ବର୍ଷ। ଏହାର ଠିକ୍ ଦୁଇ ବର୍ଷ ପରେ ଅର୍ଥାତ୍ କାର୍ଯ୍ୟକାଳର ମଧ୍ୟଭାଗରେ ହେଉଥିବା ନିର୍ବାଚନକୁ ମିଡ୍ଟର୍ମ ଇଲେକ୍ସନ କୁହାଯାଏ। ଏଥିରେ ରାଷ୍ଟ୍ରପତି ପଦ ପାଇଁ ଭୋଟ୍ ହୁଏ ନାହିଁ।
ଆମେରିକାର କଂଗ୍ରେସର ନିମ୍ନ ସଦନ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସର ସମସ୍ତ ୪୩୫ଟି ଆସନ ପାଇଁ ନିର୍ବାଚନ ହୁଏ। ଅନ୍ୟପଟେ ୬ ବର୍ଷ କାର୍ଯ୍ୟକାଳ ଥିବା ସିନେଟର ପ୍ରାୟ ଏକ-ତୃତୀୟାଂଶ ଆସନ ପାଇଁ ମଧ୍ୟ ଭୋଟ୍ ହୁଏ।
ଏହା ସହ ପ୍ରାୟ ୩୬ଟି ରାଜ୍ୟରେ ଗଭର୍ଣ୍ଣର ଏବଂ ସ୍ଥାନୀୟ ନିର୍ବାଚନ ମଧ୍ୟ ହୋଇଥାଏ। ଏହାକୁ ରାଷ୍ଟ୍ରପତିଙ୍କ ଦୁଇ ବର୍ଷର ଶାସନର ରିପୋର୍ଟ କାର୍ଡ ଭାବେ ଦେଖାଯାଏ।
EVM ବଦଳରେ କାହିଁକି ବାଲାଟ୍ ପେପର: ଆମେରିକାରେ ଭୋଟ୍ ଦେବା ପାଇଁ ଅଧିକାଂଶ ସ୍ଥାନରେ କାଗଜ ମତପତ୍ର ବ୍ୟବହାର କରାଯାଏ। ଭୋଟର୍ ପସନ୍ଦର ପ୍ରାର୍ଥୀଙ୍କ ନାଁ ଆଗରେ ଚିହ୍ନ ଦେଇଥାନ୍ତି।
ପରେ ଏହି ବାଲାଟ୍କୁ ଇଲେକ୍ଟ୍ରୋନିକ୍ ସ୍କାନର୍ ମେସିନ୍ରେ ପକାଯାଏ। ମେସିନ୍ ଚିହ୍ନକୁ ପଢ଼ି ଭୋଟ୍ ଗଣନା କରେ। କିଛି ସ୍ଥାନରେ ହାତରେ ମଧ୍ୟ ଗଣତି ହୋଇଥାଏ।
ଆମେରିକାର ନିର୍ବାଚନ ସହାୟତା ଆୟୋଗ (EAC)ର ୨୦୨୪ ରିପୋର୍ଟ ଅନୁସାରେ, ୯୮ ପ୍ରତିଶତରୁ ଅଧିକ ନିର୍ବାଚନୀ କ୍ଷେତ୍ରରେ କାଗଜ ବାଲାଟ୍ କିମ୍ବା ଯାଞ୍ଚ କରିହେଉଥିବା ପେପର ରେକର୍ଡ ଥିବା ଭୋଟିଂ ବ୍ୟବସ୍ଥା ରହିଛି।
କେମିତି ହୁଏ ଭୋଟ୍ ଗଣତି: ଆମେରିକାରେ ସମସ୍ତ ଭୋଟ୍ ଗୋଟିଏ କେନ୍ଦ୍ରରେ ଗଣତି ହୁଏ ନାହିଁ। ସ୍ଥାନୀୟ ପ୍ରଶାସନ ଅର୍ଥାତ୍ କାଉଣ୍ଟି ଏବଂ ସହର ସ୍ତରରେ ନିର୍ବାଚନ ପରିଚାଳନା କରାଯାଏ।
- ଭୋଟର୍ମାନେ ଭୋଟ୍ ଦେବା ପରେ ବାଲାଟ୍କୁ ସ୍କାନର୍ ମେସିନ୍ରେ ପକାନ୍ତି।
- ଡାକ ମାଧ୍ୟମରେ ଆସିଥିବା ଭୋଟ୍ର ଯାଞ୍ଚ ଓ ଦସ୍ତଖତ ମିଳାଇବା ପରେ ଗଣତି ହୁଏ।
- ଆଗୁଆ ଭୋଟ୍ ଏବଂ ନିର୍ବାଚନ ଦିନରେ ପଡ଼ିଥିବା ଭୋଟ୍ର ଗଣତି ହୁଏ।
- କୌଣସି ଭୋଟର୍ଙ୍କ ଯୋଗ୍ୟତା ଉପରେ ସନ୍ଦେହ ଥିଲେ ତାଙ୍କ ଭୋଟ୍କୁ ଯାଞ୍ଚ ପାଇଁ ଅଲଗା ରଖାଯାଏ।
- ମତଗଣନା ସମୟରେ ରାଜନୈତିକ ଦଳର ପର୍ଯ୍ୟବେକ୍ଷକମାନେ ଉପସ୍ଥିତ ରହିପାରନ୍ତି।
ଭୋଟ୍ ଗଣତିରେ ବ୍ୟବହୃତ ମେସିନ୍ଗୁଡ଼ିକୁ ସାଧାରଣତଃ ଇଣ୍ଟରନେଟ୍ରୁ ଅଲଗା ରଖାଯାଏ। ଏହା ସହ ସୁରକ୍ଷା ସିଲ୍ ଏବଂ ଅନ୍ୟାନ୍ୟ ଯାଞ୍ଚ ବ୍ୟବସ୍ଥା ରହିଥାଏ। ମୂଳ ବାଲାଟ୍ଗୁଡ଼ିକୁ ମଧ୍ୟ ସଂରକ୍ଷିତ ରଖାଯାଏ, ଯାହା ଦ୍ୱାରା ଆବଶ୍ୟକ ପଡ଼ିଲେ ପୁନଃ ଗଣତି କରାଯାଇପାରିବ।
କେମିତି ଆସେ ଫଳାଫଳ: ସ୍ଥାନୀୟ ଅଧିକାରୀମାନେ ଗଣତି ଶେଷ କରିବା ପରେ ଭୋଟ୍ର ଯାଞ୍ଚ କରନ୍ତି। ଏହାପରେ ରାଜ୍ୟର ନିର୍ବାଚନ ଅଧିକାରୀମାନେ ଫଳାଫଳକୁ ଆଧିକାରିକ ଭାବେ ପ୍ରମାଣିତ କରନ୍ତି। ଏହି ପ୍ରକ୍ରିୟା ପାଇଁ କିଛି ଦିନରୁ ଆରମ୍ଭ କରି ସପ୍ତାହେ ପର୍ଯ୍ୟନ୍ତ ସମୟ ଲାଗିପାରେ।
କାହିଁକି ବାଲାଟ୍ ପେପରକୁ ଗୁରୁତ୍ୱ: ୨୦୦୦ ମସିହାର ବୁଶ୍ ବନାମ ଗୋର୍ ନିର୍ବାଚନ ବିବାଦ ପରେ ଆମେରିକାରେ ଭୋଟ୍ ଯାଞ୍ଚ ଏବଂ ପୁନଃଗଣତି ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ୨୦୦୨ରେ ହେଲ୍ପ ଆମେରିକା ଭୋଟ୍ ଆକ୍ଟ ଲାଗୁ ହେବା ପରେ ନିର୍ବାଚନୀ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆସିଥିଲା।
କାଗଜ ବାଲାଟ୍ର ସବୁଠାରୁ ବଡ଼ ସୁବିଧା ହେଉଛି ଏହାକୁ ପରେ ହାତରେ ଯାଞ୍ଚ କିମ୍ବା ପୁନଃଗଣତି କରାଯାଇପାରେ। ଇଲେକ୍ଟ୍ରୋନିକ୍ ସିଷ୍ଟମ୍ରେ ସାଇବର ଆକ୍ରମଣ କିମ୍ବା ସଫ୍ଟୱେର୍ ତ୍ରୁଟିର ଆଶଙ୍କାକୁ ମଧ୍ୟ ଏହା ହ୍ରାସ କରିବାରେ ସହାୟକ ହୁଏ। ତେବେ କାଗଜ ବାଲାଟ୍ ମଧ୍ୟ ସମ୍ପୂର୍ଣ୍ଣ ତ୍ରୁଟିମୁକ୍ତ ନୁହେଁ। ଏଥିପାଇଁ ଅଡିଟ୍ ଓ ପୁନଃଗଣତି ବ୍ୟବସ୍ଥା ରହିଛି।
ଆଉ ଏକ ବଡ଼ କାରଣ ହେଉଛି ଆମେରିକାରେ ଭୋଟ୍ ଗ୍ରହଣ ଓ ନିର୍ବାଚନ ପରିଚାଳନା ସ୍ଥାନୀୟ ପ୍ରଶାସନ ହାତରେ ରହିଛି। ଦେଶବ୍ୟାପୀ ଗୋଟିଏ ପ୍ରକାରର ମେସିନ୍ ବ୍ୟବହାର କରିବା ପରିବର୍ତ୍ତେ ରାଜ୍ୟ ଓ ସ୍ଥାନୀୟ ଅଞ୍ଚଳ ନିଜ ଆବଶ୍ୟକତା ଅନୁସାରେ ବ୍ୟବସ୍ଥା ଚୟନ କରନ୍ତି।
ତେଣୁ ଆମେରିକାର ନିର୍ବାଚନ ବ୍ୟବସ୍ଥା ମୁଖ୍ୟତଃ କାଗଜ ବାଲାଟ୍ ଏବଂ ଇଲେକ୍ଟ୍ରୋନିକ୍ ସ୍କାନିଂର ମିଶ୍ରଣ ଉପରେ ଆଧାରିତ। ଅର୍ଥାତ୍ ଭୋଟ୍ର ପ୍ରମାଣ କାଗଜରେ ରହେ ଏବଂ ଗଣତିରେ ଟେକ୍ନୋଲୋଜିର ସହାୟତା ନିଆଯାଏ।


