ଆପଣ ଜାଣନ୍ତି କି କେମିତି ହେଲା ‘ସ୍ୟାଲାରୀ’ ଶବ୍ଦର ସୃଷ୍ଟି? ଟଙ୍କା ପଇସା ନୁହେଁ, ଏହି ଜିନିଷରୁ ଆସିଛି ଆପଣଙ୍କ ଦରମାର ନାଁ!

ଆପଣ ଜାଣନ୍ତି କି କେମିତି ହେଲା ‘ସ୍ୟାଲାରୀ’ ଶବ୍ଦର ସୃଷ୍ଟି

Salary Name: ପ୍ରତି ମାସ ଶେଷରେ ଆକାଉଣ୍ଟକୁ ଦରମା ବା ‘ସାଲାରୀ’ ଆସିବାକୁ ପ୍ରତ୍ୟେକ ଚାକିରିଆ ବ୍ୟକ୍ତି ଚାହିଁ ରହିଥାନ୍ତି । ଏହି ସାଲାରୀ ହିଁ ଘରର ବଜେଟ୍ ଚଳାଏ, ଜରୁରୀ ଖର୍ଚ୍ଚ ପୂରଣ କରେ ଏବଂ ଭବିଷ୍ୟତ ପାଇଁ ଆର୍ଥିକ ସୁରକ୍ଷା ଦେଇଥାଏ । ମାତ୍ର ଆପଣ କେବେ ଚିନ୍ତା କରିଛନ୍ତି କି, ଆମେ ପ୍ରତିଦିନ କହୁଥିବା ଏହି ‘ସାଲାରୀ’ ଶବ୍ଦର ଆରମ୍ଭ କେଉଁଠୁ ହେଲା?

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ଶବ୍ଦର ସିଧାସଳଖ ସମ୍ପର୍କ ଟଙ୍କା ପଇସା ସହ ନୁହେଁ, ବରଂ ଆମ ରୋଷେଇ ଘରେ ବ୍ୟବହାର ହେଉଥିବା ‘ଲୁଣ’ ସହ ଜଡ଼ିତ । ପୁରାତନ କାଳରେ ଲୁଣ ଏତେ ମୂଲ୍ୟବାନ ଥିଲା ଯେ ଅନେକ ସ୍ଥାନରେ ଏହାକୁ ମୁଦ୍ରା ବା ଟଙ୍କା ଭାବେ ବ୍ୟବହାର କରାଯାଉଥିଲା । ଏହି ପରମ୍ପରାରୁ ହିଁ ଆଗକୁ ଯାଇ ସାଲାରୀ ଶବ୍ଦର ସୃଷ୍ଟି ହୋଇଛି ।

ଟଙ୍କା ବଦଳରେ ଦରମାରେ ମିଳୁଥିଲା ‘ଲୁଣ’

ଆଜି ପ୍ରତିଟି ରୋଷେଇ ଘରେ ଲୁଣ ସହଜରେ ଏବଂ ଶସ୍ତାରେ ମିଳିଯାଉଛି, ମାତ୍ର ପୂର୍ବ ସମୟରେ ଏହାର ମୂଲ୍ୟ ବହୁତ ଅଧିକ ଥିଲା । ସେହି ସମୟରେ ଲୁଣ କେବଳ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ନୁହେଁ, ବରଂ ଖାଦ୍ୟ ପଦାର୍ଥକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ରଖିବା ଏବଂ ଶରୀର ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱ ଯୋଗାଇବା ପାଇଁ ଅତ୍ୟନ୍ତ ଜରୁରୀ ଥିଲା । ଲୁଣ ସହଜରେ ମିଳୁ ନଥିବାରୁ ଏହାକୁ ଦୂରଦୂରାନ୍ତରୁ ଅଣାଯାଉଥିଲା ଏବଂ ଏହି କାରଣରୁ ଏହାର ଦାମ ବହୁତ ଅଧିକ ଥିଲା । ତେଣୁ ଅନେକ ସ୍ଥାନରେ କାମ ବଦଳରେ ପରିଶ୍ରମିକ ଭାବେ ଲୁଣ ଦିଆଯାଉଥିଲା ।

କେମିତି ହେଲା ସାଲାରୀ ଶବ୍ଦର ଆରମ୍ଭ?

ବିଭିନ୍ନ ଐତିହାସିକ ରିପୋର୍ଟ ଅନୁଯାୟୀ, ପ୍ରାଚୀନ ରୋମାନ୍ ସାମ୍ରାଜ୍ୟରେ ସୈନିକମାନଙ୍କୁ ସେମାନଙ୍କ ସେବା ବଦଳରେ ଯେଉଁ ପାରିଶ୍ରମିକ ଦିଆଯାଉଥିଲା, ତାହାକୁ ଲାଟିନ୍ ଭାଷାରେ ‘ସ୍ୟାଲେରିୟମ୍’ କୁହାଯାଉଥିଲା । ସେହି ସମୟରେ ସୈନିକମାନଙ୍କୁ ନଗଦ ଟଙ୍କା କିମ୍ବା ସୁନା-ରୂପା ବଦଳରେ ମେହନତାନା ଭାବେ ଲୁଣ ଦିଆଯାଉଥିଲା । ଏହି ‘ସ୍ୟାଲେରିୟମ୍’ ଶବ୍ଦରୁ ହିଁ ପରବର୍ତ୍ତୀ ସମୟରେ ଇଂରାଜୀର ‘ସାଲାରୀ’ ଶବ୍ଦ ସୃଷ୍ଟି ହୋଇଛି, ଯାହାକୁ ଆଜି ଆମେ ଦରମା ବା ବେତନ ଭାବେ ବ୍ୟବହାର କରୁଛୁ ।

ରୋମାନ୍ ଇତିହାସକାର ପ୍ଲିନି ଦି ଏଲ୍ଡର ନିଜ ପୁସ୍ତକ ‘Natural History’ ରେ ଲେଖିଛନ୍ତି ଯେ ପ୍ରାଚୀନ ରୋମ୍‌ରେ ସୈନିକମାନଙ୍କୁ କାମ ବଦଳରେ ଲୁଣ ଦେବାର ପରମ୍ପରା ଥିଲା । ଅନେକ ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଇଂରାଜୀ ଶବ୍ଦ ‘Soldier’ ମଧ୍ୟ ଲାଟିନ୍ ଭାଷାର ‘Sal Dare’ ଶବ୍ଦ ସହ ଜଡ଼ିତ, ଯାହାର ଅର୍ଥ ହେଉଛି ‘ଲୁଣ ଦେବା’ ।

କେବେଠାରୁ ଆରମ୍ଭ ହେଲା ଦରମା ଦେବା ପରମ୍ପରା?

କେତେକ ଫରାସୀ ଇତିହାସକାରଙ୍କ ମତରେ, କାମ ପାଇଁ ବେତନ ବା ଦରମା ଦେବାର ପରମ୍ପରା ଖ୍ରୀଷ୍ଟପୂର୍ବ ୧୦,୦୦୦ ରୁ ଖ୍ରୀଷ୍ଟପୂର୍ବ ୬,୦୦୦ ମଧ୍ୟରେ ଆରମ୍ଭ ହୋଇଥିଲା । ପ୍ରାଚୀନ ରୋମ୍‌ରେ ସୈନିକମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭତ୍ତା ବା ପାରିଶ୍ରମିକ ଭାବେ ଲୁଣ ଦିଆଯାଉଥିଲା । ସେହି ସମୟରେ ଲୁଣର ବ୍ୟାପାର ମଧ୍ୟ ବହୁତ ବଡ଼ ଧରଣର ହେଉଥିଲା ।

ମୁଦ୍ରାର ପ୍ରଚଳନ

ପରବର୍ତ୍ତୀ ସମୟରେ ଯେତେବେଳେ ବିଶ୍ୱରେ ମୁଦ୍ରା ବା ଟଙ୍କାର ପ୍ରଚଳନ ବଢ଼ିଲା, ସେତେବେଳେ ଲୁଣ ବଦଳରେ ପ୍ରଥମେ ସୁନା-ରୂପା ମୁଦ୍ରା ଏବଂ ପରେ ନଗଦ ଟଙ୍କା ଦେବା ଆରମ୍ଭ ହେଲା । ମାତ୍ର ଆଜି ବି ଚାକିରି ବଦଳରେ ମିଳୁଥିବା ଅର୍ଥକୁ ସେହି ପୁରୁଣା ଐତିହାସିକ ପରମ୍ପରା ଆଧାରରେ ‘ସ୍ୟାଲାରୀ’ ହିଁ କୁହାଯାଉଛି ।