fbpx

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି #Marriage Strike: ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଳୀ: ବୁଧବାର ସୋସିଆଲ ମିଡିଆରେ ମ୍ୟାରେଜ ଷ୍ଟ୍ରାଇକ୍ ଟ୍ରେଣ୍ଡ କରିଥିଲା । ମହିଳା ସଶକ୍ତୀକରଣର ଦ୍ୱାହି ଦେଇ ନାରୀ ସୁରକ୍ଷାରେ ବିଭିନ୍ନ ନୂଆ ନୂଆ ଆଇନ ଲାଗୁ କରାଯାଉଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ମହିଳା । ନିର୍ଯାତିତ ହେଉଥିବା ପୁରୁଷ ମାନେ ଏହାର ପ୍ରତିବାଦରେ ଏକ କ୍ୟାମ୍ପେନ ଚଳାଇଛନ୍ତି ଯାହାର ନାମ ମ୍ୟାରେଜ ଷ୍ଟ୍ରାଇକ୍ ରଖାଯାଇଛି । ଏହି କ୍ୟାମ୍ପେନଟି ବୁଧବାର ଟ୍ୱିଟ୍ଟର ଟ୍ରେଣ୍ଡିଂରେ ନମ୍ବର-୨ରେ ରହିଥିଲା ।

ନିକଟରେ ଚମକାଇ ଦେଲା ଭଳି ଏକ ଖବର ସାମ୍ନାକୁ ଆସିଥିଲା । ଏପ୍ରିଲ ୨୦୧୪ରୁ ଜୁଲାଇ ୨୦୧୫ ମଧ୍ୟରେ ଦାୟର ହୋଇଥିବା ଦୁଷ୍କର୍ମ ମାମଲାରେ ଅଧାରୁ ଅଧିକ ମାମଲା ମିଛ ଥିଲା । ସ୍ୱୟଂ ମହିଳା କମିଶନ ଏହି ରିପୋର୍ଟ ପ୍ରକାଶ କରିଛନ୍ତି । ସମୁଦାୟ ୫୪.୩ ପ୍ରତିଶତ ମାମଲା ମିଥ୍ୟା ରହିଛି । ସେହିପରି ଏନସିଆରବିର ଚଳିତ ବର୍ଷର ରିପୋର୍ଟ ଅନୁଯାୟୀ ୩୮ ହଜାର ୯୪୭ ଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଥିବା ବେଳେ ଏହାର ଏକ ଚତୁର୍ଥାଂଶ ବା ୧୦୦୬୮ଟି ମାମଲା ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କ ସ୍ଥାପନର ଥିଲା ।

କଣ ଏହି ମ୍ୟାରେଜ ଷ୍ଟ୍ରାଇକ୍: ମ୍ୟାରେଜ ଷ୍ଟ୍ରାଇକ୍ ହେଉଛି ଏମିତି ଏକ କ୍ୟାମ୍ପେନ ଯେଉଁଥିରେ ଯୁବକ ମାନେ ଅବିବାହିତ ରହିବାକୁ ଘୋଷଣା କରନ୍ତି । ନିଜକୁ ଡିଭୋର୍ସ, ଅର୍ଥନୈତିକ କ୍ଷତି ଏବଂ ମିଥ୍ୟା ମାମଲାରୁ ବଞ୍ଚାଇବା ପାଇଁ ଏହି କ୍ୟାମ୍ପେନ ଲଞ୍ଚ କରାଯାଇଛି । ବିବାହ ବିଚ୍ଛେଦ ବା ଛାଡପତ୍ର ସମୟରେ ପୁରୁଷକୁ କପର୍ଦ୍ଦକ ଶୂନ୍ୟ ହେବାକୁ ପଡୁଥିବା ବେଳେ ମ୍ୟାରେଜ ଷ୍ଟ୍ରାଇକ୍ ଏଥିରେ ରୋକ ଲଗାଇ ପାରିବ ବୋଲି ଏହି କ୍ୟାମ୍ପେନର ପ୍ରଚାରରେ କୁହାଯାଇଛି । ଏହା ସହିତ ଏହି କ୍ୟାମ୍ପେନ ଦ୍ୱାରା ପୁରୁଷ ମାନଙ୍କର ମାନବାଧିକାର ମଧ୍ୟ ସୁରକ୍ଷିତ ରହିବ । ଏହାର ଢେର ସାରା ଉଦାହରଣ ମଧ୍ୟ ରହିଛି । ନିକଟରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ୫ ଜଣ ସାଙ୍ଗ ଗଣ ଦୁଷ୍କର୍ମ କରିଥିବାର ଖବର ଭାଇରାଲ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ମହିଳା ଜଣଙ୍କ ପଇସା ଆଶାରେ ଏମିତି କାମ କରିଥିବା ଜଣାପଡିଥିଲା । ପୂର୍ବରୁ ମହିଳା ଜଣଙ୍କ ସମାନ ଅଭିଯୋଗ କରି ୨.୫ ଲକ୍ଷ ଟଙ୍କା ହାସଲ କରିଥିଲେ । ସେହିପରି ଅନ୍ୟ ଏକ ଘଟଣାରେ ବିଷ୍ଣୁ ତିୱାରୀ ନାମକ ଜଣେ ବ୍ୟକ୍ତି ୨୦ ବର୍ଷ ଜେଲରେ ରହିଥିଲେ । ୨୦ ବର୍ଷ ତଳେ ଜଣେ ୫ ମାସର ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ବିଷ୍ଣୁଙ୍କୁ ଜେଲ ପଠାଯାଇଥିଲା । ମହିଳାଙ୍କ ସ୍ୱାମୀ ଓ ଶ୍ୱସୁର ମଧ୍ୟ ତାଙ୍କ ବିପକ୍ଷରେ ବୟାନ ଦେଇଥିଲେ । ତେବେ ଆହ୍ଲାବାଦ ହାଇକୋର୍ଟ ପ୍ରମାଣ ଅଭାବରୁ ତାଙ୍କୁ ଖଳାସ କରିଥିଲେ । ଏହାର ମାନେ ନୁହେଁ ଯେ ମହିଳା ନିର୍ଯାତିତ ହେଉ ନାହାନ୍ତି କିନ୍ତୁ କିଛି ଆଇନର ଅପବ୍ୟବହାର ଅଧିକ ପରିମାଣରେ ହେଉଛି । ଦୁଷ୍କର୍ମ ପାଇଁ ଦଣ୍ଡବିଧାନ ବ୍ୟବସ୍ଥା ତ୍ୱରିତ କରାଯାଇଥିବାରୁ ମିଥ୍ୟା ଦୁଷ୍କର୍ମ ମାମଲା ଅନେକ ପରିମାଣରେ ବଢିଛି ।

ଏହି କ୍ୟାମ୍ପେନକୁ ନେଇ ସୋସିଆଲ ମିଡିଆରେ ଢେର ସାରା ମିମ ଭାଇରାଲ ହୋଇଥିଲା । ଗୋଟିଏ ପଟେ କୋର୍ଟ ମହିଳାଙ୍କୁ ବାହାରେ ସେକ୍ସ କରିବାର ସୁଯୋଗ ଦେଉଛନ୍ତି ଏବଂ ଆଉ ଗୋଟିଏ ପଟେ ନିଜ ପତ୍ନୀ ସହିତ ସମ୍ପର୍କ ସ୍ଥାପନକୁ ଅପରାଧ ବିବେଚନା କରାଯାଉଛି । ଭାରତୀୟ ନ୍ୟାୟପାଳିକା ଜୋକରେ ପରିଣତ ହୋଇଛି ବୋଲି ଏକ ମିମରେ ଉଲ୍ଲେଖ କରାଯାଇଛି । ଏହା ସହିତ ବିବାହ ବିଚ୍ଛେଦରେ ସ୍ତ୍ରୀକୁ ମିଳୁଥିବା ଭରଣ ପୋଷଣକୁ ନେଇ ମଧ୍ୟ ମିମ କରାଯାଇଛି । ବିବାହ ବିଚ୍ଛେଦ ସମୟରେ ମହିଳାଙ୍କୁ ପୁରୁଷଙ୍କ ସମ୍ପତ୍ତିରୁ ଭାଗ ମିଳିବାକୁ ମଧ୍ୟ ସମାଲୋଚନା କରାଯାଇଛି । ଏକ ଫଟୋରେ ଜଣେ ପୁରୁଷ ଓ ମହିଳା ବସିଥିବାର ଦେଖିବାକୁ ମିଳିଛି । ଡିଭୋର୍ସ ପରେ ତୁମର ଅଧା ସମ୍ପତ୍ତି ମୋର । ୩ ମାସର ବିବାହ ପାଇଁ ମୋର ୩୦ ବର୍ଷର ପରିଶ୍ରମ ବୃଥାରେ ଚାଲିଗଲା ।

Get real time updates directly on you device, subscribe now.