fbpx

ଦୁଇ ଥର ପ୍ରଧାନମନ୍ତ୍ରୀ ହେଉ ହେଉ ରହିଗଲେ ମୁଲାୟମ ସିଂହ ଯାଦବ, ଏହି ନେତା ସାଜିଥିଲେ କଣ୍ଟା…

ନୂଆଦିଲ୍ଲୀ: ରାଜନୀତି ଅଖାଡାର ପହିଲମାନ ଥିଲେ ମୁଲାୟମ ସିଂହ ଯାଦବ। ବିରୋଧୀଙ୍କୁ ଚିତ୍ କରିବାର କୌଶଳ ତାଙ୍କୁ ବେଶ୍ ଭଲ ଭାବେ ଜଣାଥିଲା। ସେ ଉତ୍ତର ପ୍ରଦେଶର ତିନି ଥର ମୁଖ୍ୟମନ୍ତ୍ରୀ ଥିଲେ। ଦେଶର ପ୍ରତିରକ୍ଷା ମନ୍ତ୍ରୀ ପରି ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ବି ସମ୍ଭାଳିଥିଲେ। ହେଲେ ରାଜନୈତିକ ଜୀବନରେ ତାଙ୍କ ପାଇଁ ପ୍ରଧାନମନ୍ତ୍ରୀ ହେବାର ଦୁଇ ଥର ସୁଯୋଗ ଆସିଥିଲା, ହେଲେ ଅଳ୍ପକେରୁ ଏଥିରୁ ବଞ୍ଚିତ ହୋଇଥିଲେ। ଆସନ୍ତୁ ଜାଣିବା କେମିତି ମୁଲାୟମଙ୍କ ପ୍ରଧାନମନ୍ତ୍ରୀ ହେବାର ସ୍ଵପ୍ନ ପୂରଣ ହୋଇ ପାରିନଥିଲା।

ପ୍ରଥମ ସୁଯୋଗ ୧୯୯୬ରେ ଆସିଥିଲା। ଉକ୍ତ ଲୋକସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ଭୋଗିଥିଲା। କଂଗ୍ରେସ ଖାତାକୁ ୧୪୧ ସିଟ୍ ଆସିଥିବା ବେଳେ ବିଜେପି ହାତେଇଥିଲା ୧୬୧ ସିଟ୍। ଅଟଳ ବିହାରୀ ବାଜପେୟୀଙ୍କୁ ସରକାର ଗଠନ କରିବାକୁ ନିମନ୍ତ୍ରଣ ମିଳିଥିଲା। ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ, କିନ୍ତୁ ୧୩ ଦିନ ପରେ ସରକାର ଭାଙ୍ଗି ଯାଇଥିଲା। ଏବେ କଂଗ୍ରେସ ନିକଟରେ ସରକାର ଗଢିବାର ସୁଯୋଗ ଥିଲା। କିନ୍ତୁ କଂଗ୍ରେସ ବିଭିନ୍ନ ଦଳକୁ ନେଇ ସରକାର ଗଢିବା ମୁଡରେ ନଥିଲା। ଆଉ ଭିପି ସିଂହ ପ୍ରଧାନମନ୍ତ୍ରୀ ହେବାକୁ ମନା କରି ଦେଇଥିଲେ। ଆଉ ପ୍ରଧାନମନ୍ତ୍ରୀ ନାମ ହିସାବରେ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରି ଜ୍ୟୋତି ବସୁଙ୍କ ନାମ ପ୍ରସ୍ତାବ କରିଥିଲେ ହେଁ ତାହା ନାମଞ୍ଜୁର ହୋଇଥିଲା।

ପ୍ରଧାନମନ୍ତ୍ରୀ ଦୌଡରେ ମୁଲାୟମ ସିଂହ ଯାଦବ ଏବଂ ଲାଲୁ ପ୍ରସାଦ ଯାଦବଙ୍କ ନାମ ସର୍ବାଗ୍ରେ ଥିଲା। କିନ୍ତୁ ଗୋଖାଦ୍ୟ ଦୁର୍ନୀତି କାରଣରୁ ଲାଲୁ ଦୌଡରୁ ବାଦ୍ ପଡିଥିଲେ। ସମସ୍ତଙ୍କୁ ଏକଜୁଟ କରିବାର କାମ ବାମଦଳର ବଡ ନେତା ହର କିଶନ ସିଂହ ସୁରଜିତଙ୍କୁ ଦାୟିତ୍ଵ ଦିଆଯାଇଥିଲା। ସେ ମୁଲାୟମ ସିଂହଙ୍କୁ ପ୍ରଧାନମନ୍ତ୍ରୀ କରାଯାଉ ବୋଲି ପ୍ରସ୍ତାବ ଦେଇଥିଲେ। ଏପରିକି ତାଙ୍କର ଶପଥ ଗ୍ରହଣର ପ୍ରସ୍ତୁତି ବି କରାଯାଇଥିଲା। କିନ୍ତୁ ଲାଲୁ ଏବଂ ଶରଦ ଯାଦବ ଏଥିପାଇଁ ପ୍ରସ୍ତୁତ ନଥିଲେ। ଫଳରେ ମୁଲାୟମ ସିଂହ ଯାଦବ ପ୍ରଥମ ଥର ପ୍ରଧାନମନ୍ତ୍ରୀ ହେବାରୁ ବଞ୍ଚିତ ହୋଇଥିଲେ। ଏହା ପରେ ଏଚଡି ଦେବେଗୌଡାଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥିଲା।

ତେବେ ଏଚଡି ଦେବେଗୌଡାଙ୍କ ନେତୃତ୍ଵାଧୀନ ମିଳିତ ସରକାରର ଶୀଘ୍ର ପତନ ଘଟିଥିଲା। ୧୯୯୯ରେ ପୁଣି ଥରେ ନିର୍ବାଚନ ହୋଇଥିଲା। ମୁଲାୟମ ସିଂହ ସମ୍ଭଲ ଏବଂ କନ୍ନୌଜ ଉଭୟ ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ପ୍ରଧାନମନ୍ତ୍ରୀ ପଦ ପାଇଁ ପୁଣି ଥରେ ତାଙ୍କ ନାମ ସାମ୍ନାକୁ ଆସିଥିଲା। ଗତ ଥର ପରି ଏଥର ମଧ୍ୟ ଅନ୍ୟ ଯାଦବ ନେତା ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ। ଆଉ ଦ୍ଵିତୀୟ ସୁଯୋଗରେ ବି ମୁଲାୟମଙ୍କ ପ୍ରଧାନମନ୍ତ୍ରୀ ହେବା ସ୍ଵପ୍ନ ଚୂରମାର ହୋଇ ଯାଇଥିଲା। ପରେ ମୁଲାୟମ ଏକ ରାଲିରେ କହିଥିଲେ ଯେ, ଲାଲୁ ପ୍ରସାଦ ଯାଦବ, ଶରଦ ଯାଦବ, ଚନ୍ଦ୍ରବାବୁ ନାଇଡୁ ଏବଂ ଭିପି ସିଂହଙ୍କ କାରଣରୁ ସେ ପ୍ରଧାନମନ୍ତ୍ରୀ ହୋଇ ପାରିନଥିଲେ।

Get real time updates directly on you device, subscribe now.