fbpx

କାହିଁକି ଜଳନ୍ତା ଗ୍ୟାସ୍ ଚୁଲାକୁ ଛାଡି ଭିଡିଓ ତିଆରି କରୁଛନ୍ତି ରୁଷବାସୀ, କଣ ରହିଛି ଏହା ପଛର କାରଣ ?

ନୂଆଦିଲ୍ଲୀ: ସମଗ୍ର ଦୁନିଆରେ ସଂପ୍ରତି ରୁଷ ଅଲଗା କାରଣରୁ ଚର୍ଚ୍ଚାର ବିଷୟ ପାଲଟିଛି। କେବେ ୟୁକ୍ରେନ ସହ ଯୁଦ୍ଧକୁ ନେଇ ତ ଆଉ କେବେ ସେନାରେ ନିଯୁକ୍ତି ଘୋଷଣାକୁ ନେଇ। ବର୍ତ୍ତମାନ ନିଜ ଦେଶବାସୀଙ୍କ ଅଜବ ବ୍ୟବହାର କାରଣରୁ ରୁଷ ସାମାଜିକ ଗଣମାଧ୍ୟମରେ ଛାଇ ରହିଛି। ସେଠାକାର ଲୋକେ ଜଳୁଥିବା ଗ୍ୟାସ୍ ଚୁଲାର ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଲାଇଭ ଷ୍ଟ୍ରିମିଂ କରୁଛନ୍ତି।

ଶୁଣିବାକୁ ଅଜବ ଲାଗୁଥିବ ଯେ, କାହିଁକି ରୁଷବାସୀ ଏମିତି କାମ କରି ଗ୍ୟାସ୍ ବରବାଦ କରୁଛନ୍ତି। ପୁଣି ସେହି ସମୟରେ ଯେତେବେଳେ ଦେଶରେ ଗ୍ୟାସ୍ ଦର ଆକାଶଛୁଆଁ ରହିଛି। ଯେଉଁଠି ସାଧାରଣ ଲୋକଟିଏ ଗ୍ୟାସ୍ ବଞ୍ଚାଇବାକୁ ଚେଷ୍ଟା କରୁଛି ସେଠି ରୁଷରେ ଅନେକ ଲୋକ ଗ୍ୟାସ୍ ଚୁଲା ଜାଳି ଛାଡି ଦେଉଛନ୍ତି ଏବଂ ଏହାର ଲାଇଭ ଷ୍ଟ୍ରିମିଂ କରୁଛନ୍ତି। ତେବେ ରୁଷବାସୀ ଏମିତି ଅଜବ ବ୍ୟବହାର କରିବା ପଛରେ କାରଣ କଣ। ଚାଲନ୍ତୁ ଜାଣିବା।

ସେପ୍ଟେମ୍ବର ୧୧ରେ ଏହି ଧରଣର ଟ୍ରେଣ୍ଡ ଆରମ୍ଭ ହୋଇଥିଲା। ଏକ ନୂତନ Twitch ଚ୍ୟାନେଲକୁ ବିଶେଷ କରି ଏହି ଧରଣର କଣ୍ଟେଣ୍ଟର ସିଧା ପ୍ରସାରଣ ପାଇଁ ତିଆରି କରାଯାଇଛି। ଚ୍ୟାନେଲର ନାମ “russiangas1” ରଖାଯାଇଛି। ଏଥିରେ ୪ ବର୍ଣ୍ଣରର ଗ୍ୟାସ୍ ଚୁଲା ଜଳୁଥିବାର ଲାଇଭ ଷ୍ଟ୍ରିମିଂ କରାଯାଇଛି। ଏହାକୁ ୨୪/୭ ସିଧା ପ୍ରସାରଣ କରାଯାଉଛି। ଏହା ପଛର କାରଣ ରୁଷବାସୀ ଏହା ଦେଖାଇବାକୁ ଚାହୁଁଛନ୍ତି ଯେ, ତାଙ୍କ ଦେଶରେ ଗ୍ୟାସ୍ ଦାମ କେତେ ଶସ୍ତା ରହିଛି। ସେମାନେ ପ୍ରତି ମାସରେ ଗ୍ୟାସ୍ ପାଇଁ ପାଖାପାଖି ୧୧୦ ଟଙ୍କା ଅର୍ଥାତ ୧.୩୫ ଡଲାର ଖର୍ଚ୍ଚ କରୁଛନ୍ତି। ଅନ୍ୟପକ୍ଷେ ୟୁରୋପରେ ବର୍ତ୍ତମାନ ଗ୍ୟାସ୍ ଦାମ ଆକାଶଛୁଆଁ ରହିଛି।

ପ୍ରଥମ ତିନି ଦିନ କାହାରି ଧ୍ୟାନ ଏହି ଘଟଣା ଉପରେ ଯାଇନଥିଲା। ମାତ୍ର ସେପ୍ଟେମ୍ବର ୧୭ରେ ଲୋକଙ୍କ ଏହି ଅଜବ ବ୍ୟବହାର ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଥିଲା। ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ଗ୍ୟାସ୍ ଜଳି ଚାଲିଥିଲା ଏବଂ ଏହାର ଫ୍ଲେମ୍ କିଛିଟା ଧିମା ପଡି ଯାଇଥିଲା। ସେ ପର୍ଯ୍ୟନ୍ତ ଚ୍ୟାନେଲକୁ ଟୁଇଟରରେ ବ୍ୟାନ୍ କରାଯାଇଥିଲା। ଏତେ ଦିନରେ ଏହାର ଭିଡିଓକୁ ବହୁ ସଂଖ୍ୟାରେ ଲୋକେ ଦେଖି ସାରିଥିଲେ। ପୁଣି ଆଉ ଦୁଇ ଚ୍ୟାନେଲ ଏହି ଧରଣର ଭିଡିଓର ଲାଇଭ ଷ୍ଟ୍ରିମିଂ କରିବା ଆରମ୍ଭ କରି ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଦୁଇ ଚ୍ୟାନେଲକୁ ନିଷେଧ କରାଯାଇ ନାହିଁ।

Get real time updates directly on you device, subscribe now.