fbpx

ଟି-୨୦ ବିଶ୍ଵ କପରୁ ସସପେଣ୍ଡ ହୋଇପାରେ ତାଲିବାନ, ଏହି କାରଣରୁ କଡା ନିଷ୍ପତ୍ତି ନେଇପାରେ ଆଇସିସି

ନୂଆଦିଲ୍ଲୀ : ଆଫଗାନିସ୍ତାନ କ୍ରିକେଟ୍ ଟିମର ଆଇସିସି ଟି-୨୦ ବିଶ୍ କପ୍ ଖେଳିବା ନେଇ ସନ୍ଦେହ ଉପୁଜିଛି। ଯଦି ଆଫଗାନିସ୍ତାନ କ୍ରିକେଟ୍ ଦଳ ତାଲିବାନର ପତାକା ତଳେ ଖେଳେ ତେବେ ଅନ୍ତର୍ଜାତୀୟ  କ୍ରିକେଟ୍ ପରିଷଦ(ଆଇସିସି) ଆଫଗାନିସ୍ତାନକୁ ଆସନ୍ତା ମାସରେ ଆୟୋଜନ ହେବାକୁ ଥିବା  ଟି-୨୦  ବିଶ୍ଵ କପ୍ ଖେଳିବା ଉପରେ ରୋକ୍ ଲଗାଇପାରେ। ଟି-୨୦ ବିଶ୍ଵ କପ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର‌୍ୟ୍ୟନ୍ତ ୟୁଏଇ ଓ ଓମାନରେ ଖେଳାଯିବ। ଆଫଗାନିସ୍ତାନ ମଧ୍ୟ ନିଜର ୧୫ ଜଣିଆ ଦଳ ଘୋଷଣା କରି ସାରିଛି। ବର୍ତ୍ତମାନ ୟୁଏଇରେ ଆଇପିଏଲର ଦ୍ଵିତୀୟ ପର‌୍ୟ୍ୟାୟ ଖେଳା ଯାଉଛି। ଏହା ପରେ ଟି-୨୦ ବିଶ୍ଵ କପ୍ ଖେଳାଯିବ।

ତାଲିବାନ ଆଫଗାନିସ୍ତାନର କ୍ରିକେଟ୍ ବୋର୍ଡର ପ୍ରମୁଖ  ହାମିଦ ଶିନଓ୍ଵାରୀଙ୍କୁ ମଧ୍ୟ  ବରଖାସ୍ତ କରି ଦେଇଛି। ଏହା ପରେ ଏହାକୁ ନେଇ ଏହି ଆଶଙ୍କା ରହିଛି ଯେ, ଆଫଗାନିସ୍ତାନର ପୁରୁଷ କ୍ରିକେଟ୍ ଦଳ ତାଲିବାନୀ ପତାକା ତଳେ ଟି-୨୦ ବିଶ୍ଵ କପ୍ ଖେଳିପାରେ। ନିକଟ ଦିନରେ ଟି-୨୦ ବିଶ୍ଵ କପରେ ଅଂଶଗ୍ରହଣ କରୁଥିବା ଦଳଗୁଡିକୁ ନିଜର ଜାତୀୟ ପତାକା ଜମା କରିବାକୁ ପଡିବ। ଯଦି ତାଲିବାନର ପତାକା ତଳେ ଆଫଗାନିସ୍ତାନ ଖେଳେ ତେବେ ଆଇସିସି ଟି-୨୦ ବିଶ୍ଵ କପରେ ଆଫଗାନିସ୍ତାନ ଉପରେ ରୋକ୍  ଲଗାଇପାରେ।

ଦ ଟେଲିଗ୍ରାଫର ରିପୋର୍ଟ ଅନୁଯାୟୀ, ଆଇସିସି ଟି-୨୦ ବିଶ୍ଵ କପରେ ତାଲିବାନର ପତାକା ତଳେ ଆଫଗାନିସ୍ତାନ କ୍ରିକେଟ୍ ଖେଳିବା ପ୍ରସଙ୍ଗରେ ଏକ ଜରୁରୀକାଳୀନ ବୈଠକ ଡକାଇବ। ଏଥିରେ ବୋର୍ଡର ପଦାଧିକାରୀ ଆଫଗାନିସ୍ତାନକୁ ନିଲମ୍ବିତ କରିବା ନେଇ ଭୋଟିଂ କରାଇପାରେ। ହେଲେ ଆଇସିସି ଆଶା ରଖିଛି ଯେ, ଆଫଗାନିସ୍ତାନ କ୍ରିକେଟ୍ ଦଳ ନିଜ ଦେଶର ଜାତୀୟ ପତାକା ସହ କ୍ରିକେଟ୍ ଖେଳିବ।

ସୂଚନାଯୋଗ୍ୟ, ଷ୍ଟାଡିୟମରେ ମହିଳା ଦର୍ଶକଙ୍କ ଉପସ୍ଥିତିକୁ ନେଇ ତାଲିବାନ ନିଜ ଦେଶରେ ଇଣ୍ଡିଆନ ପ୍ରିମିୟର ଲିଗର ପ୍ରସାରଣ ଉପରେ ରୋକ୍ ଲଗାଇଛି। ଆଫଗାନିସ୍ତାନ ଟି-୨୦  ବିଶ୍ଵ କପରେ  ଭାରତ, ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ସହ ଗୋଟିଏ ଗ୍ରୁପରେ ରହିଛି।

Get real time updates directly on you device, subscribe now.