fbpx

ଧୋନୀ ଖେଳିବେ IPL-୨୦୨୩? ଧୋନୀଙ୍କ ରିଟାୟାରମେଣ୍ଟକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ: ଚଳିତ IPL ସିଜନରେ ଦ୍ୱିତୀୟ ଦଳ ଭାବରେ ପ୍ଲେଅଫରୁ ବାଦ ପଡିଛି ଚେନ୍ନାଇ । ମୁମ୍ବାଇ ବିପକ୍ଷ ମ୍ୟାଚରେ ପରାଜୟର ସାମନା କରି ପ୍ଲେଅଫରୁ ବାହାର ହୋଇଛି ୟେଲୋ ଆର୍ମି । ତେବେ ପ୍ଲେଅଫରୁ ବାଦ ପଡିବା ପରେ ଏବେ IPLରୁ ଧୋନୀଙ୍କ ଅବସରକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଚଳିତ ସିଜନ ଅଧାରୁ ଅଧିନାୟକ ପଦ ଫେରି ପାଇଥିବା ବେଳେ ଆଗାମୀ ସିଜନରେ ସେ ଖେଳିବେ କି ନାହିଁ, ସେ ପ୍ରଶ୍ନ ଏବେ ପ୍ରାୟ ସବୁ କ୍ରିକେଟପ୍ରେମୀଙ୍କ ମନରେ ରହିଛି । ତେବେ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ଭାରତର ପୂର୍ବତନ ଖେଳାଳି ସୁନୀଲ ଗାଭାସ୍କର ।

ଏହି ସିଜନରେ ଧୋନୀଙ୍କୁ ପୁଣିଥରେ ପୁରୁଣା ରୂପରେ ଦେଖିବାକୁ ମିଳିଛି । ଫନିସିଂ ଷ୍ଟାଇଲ ସହ ସେହି ନେତୃତ୍ୱ ଏବଂ ଫୂର୍ତ୍ତି ଏବେ ବି ଧୋନୀଙ୍କ ନିକଟରେ ଭରପୂର ହୋଇ ରହିଛି । ତେଣୁ ସେ ଖେଳ ନ ଛାଡି ଆଗାମୀ ସିଜନ ମଧ୍ୟ ଖେଳିବେ ବୋଲି କହିଛନ୍ତି ଲିଟିଲ ମାଷ୍ଟର । ୪୦ ବର୍ଷୀୟ ଧୋନୀ ମୁମ୍ବାଇ ବିପକ୍ଷରେ ବହୁତ ସୁନ୍ଦର ଭାବରେ ଖେଳିଛନ୍ତି । ଗୋଟିଏ ପଟରୁ ୱିକେଟ ହରାଉଥିଲେ ମଧ୍ୟ ଏକାକୀ ଲଢି ଦଳକୁ ଆଗେଇ ନେବାକୁ ଚେଷ୍ଟା କରୁଥିଲେ ମାହି । ମ୍ୟାଚକୁ ନେଇ ସେ ଖୁବ ଉତ୍ସୁକ ରହିଛନ୍ତି । ଯାହା ଆମେ ନିୟମିତ ଭାବରେ ଦେଖି ଆସିଛୁ । ତେଣୁ ଧୋନୀଙ୍କ ରିଟାୟାରମେଣ୍ଟ କଥା ପଚରାଯାଏ ତ,ଉତ୍ତର ନିଶ୍ଚିତ ରୂପେ ନା ହିଁ ରହିବ । ସେ ଆଗାମୀ ସିଜନ ମଧ୍ୟ ଖେଳିବେ ବୋଲି କହିଛନ୍ତି ସୁନୀଲ ଗାଭାସ୍କର ।

ଗତ ୨୦୨୦ ସିଜନରେ ମଧ୍ୟ ଚେନ୍ନାଇ ସମାନ ସ୍ଥିତିରେ ରହିଥିଲା । ବିଭିନ୍ନ ସମସ୍ୟା କାରଣରୁ ପ୍ଲେଅଫରୁ ବାଦ ପଡିଥିଲା ସିଏସକେ । ତେବେ ସେହି ସମୟରେ ଗାଭାସ୍କର ଧୋନୀଙ୍କୁ ଅବସର କଥା ପଚାରିଥିଲେ । ତେବେ ଏହାର ଉତ୍ତରରେ ଧୋନୀ ଖୁବ ସୁନ୍ଦର ଉତ୍ତର ଦେଇଥିଲେ । ଯାହା ପରେ ଖୁବ ଭାଇରାଲ ହୋଇଥିଲା ଏବଂ ପ୍ରଶଂସକ ଏହାକୁ ଏକ ବ୍ରାଣ୍ଡ ଭାବରେ ଶ୍ୱୀକାର କରି ନେଇଥିଲେ । ଗାଭାସ୍କରଙ୍କ ଏହି ପ୍ରଶ୍ନରେ ଧୋନୀ ହସି ହସି ଉତ୍ତର ଦେଇଥିଲେ ଡେଫିନାଇଟଲି ନଟ ।

Get real time updates directly on you device, subscribe now.