ଝଡ଼ବର୍ଷାରେ ଗାଡ଼ି ଉପରେ ଗଛ ପଡ଼ିଗଲେ କରିପାରିବେ କି ଇନ୍ସୁରାନ୍ସ କ୍ଲେମ୍? ସାରା ଟଙ୍କା କମ୍ପାନୀ ଦେବ ନା ନିଜ ପକେଟରୁ ଯିବ
ଝଡ଼ବର୍ଷାରେ ଗାଡ଼ି ଉପରେ ଗଛ ପଡ଼ିଗଲେ କରିପାରିବେ କି ଇନ୍ସୁରାନ୍ସ କ୍ଲେମ୍?
Car Insurance Claim: ଦିନରେ ପ୍ରବଳ ଖରା ଏବଂ ସଞ୍ଜ ହେଲେ ହଠାତ୍ କାଳବୈଶାଖୀ ଝଡ଼ତୋଫାନ । ବଦଳୁଥିବା ପାଣିପାଗର ପ୍ରକୋପ ସବୁଆଡ଼େ ଦେଖିବାକୁ ମିଳୁଛି। ଏମିତି ପରିସ୍ଥିତିରେ ଟିକେ ଭାବନ୍ତୁ, ଆପଣ କାର୍ ନେଇ ବାହାରକୁ ଯାଇଛନ୍ତି ଏବଂ ପାଗ ପୂରା ସଫା ଅଛି, କିନ୍ତୁ ହଠାତ୍ ଜୋର୍ରେ ଝଡ-ତୋଫାନ ଆରମ୍ଭ ହୋଇଗଲା। ଏହି ସମୟରେ ପାର୍କିଂରେ ଠିଆ ହୋଇଥିବା ଆପଣଙ୍କ କାର୍ ଉପରେ ଏକ ବଡ଼ ଗଛ ଭାଙ୍ଗି ପଡ଼ିଲା।
ଏଭଳି ଏକ ଚିନ୍ତାଜନକ ଦୃଶ୍ୟ ଦେଖିବା ପରେ ମନକୁ ମାତ୍ର ଗୋଟିଏ ପ୍ରଶ୍ନ ଆସେ ଯେ, କଣ ଇନ୍ସୁରାନ୍ସ କମ୍ପାନୀ ଏହି ସମସ୍ତ କ୍ଷତିର ଭରଣା କରିବ, ନା ସବୁ ଖର୍ଚ୍ଚ ଆପଣଙ୍କୁ ନିଜ ପକେଟରୁ ଦେବାକୁ ପଡ଼ିବ? ଆସନ୍ତୁ ଜାଣିବା ଏନେଇ ଆପଣଙ୍କ କାର୍ ଇନ୍ସୁରାନ୍ସ ପଲିସି କଣ କହୁଛି।
କେଉଁ ଇନ୍ସୁରାନ୍ସରେ ମିଳିବ କ୍ଲେମ୍?
ଗାଡ଼ି ଉପରେ ଗଛ ପଡ଼ିବା ଯୋଗୁଁ ଯେଉଁ କ୍ଷତି ହୋଇଛି, ତାର ପଇସା ମିଳିବ କି ନାହିଁ, ତାହା ସମ୍ପୂର୍ଣ୍ଣ ଭାବେ ଆପଣ କରିଥିବା ଇନ୍ସୁରାନ୍ସ ପଲିସିର ପ୍ରକାର ଉପରେ ନିର୍ଭର କରେ। ତେବେ ଜଣାଇ ରଖୁଛୁ ଯେ, ଯଦି ଆପଣ କେବଳ ପଇସା ବଞ୍ଚାଇବା ପାଇଁ ‘ଥାର୍ଡ ପାର୍ଟି’ ବୀମା କରିଛନ୍ତି, ତେବେ ଏହି ସମୟରେ ଆପଣଙ୍କୁ ନିଜ ପକେଟରୁ ହିଁ ସମସ୍ତ ଖର୍ଚ୍ଚ ବହନ କରିବାକୁ ହେବ। କାରଣ ଏହି ପଲିସି କେବଳ ସେତେବେଳେ କାମରେ ଆସେ, ଯେତେବେଳେ ଆପଣଙ୍କ ଗାଡ଼ି ଦ୍ୱାରା ଅନ୍ୟ କୌଣସି ବ୍ୟକ୍ତି କିମ୍ବା ତାଙ୍କ ସମ୍ପତ୍ତିର କ୍ଷତି ହୋଇଥାଏ। ଏଥିରେ ଆପଣଙ୍କ ନିଜ କାର୍ର କ୍ଷତିପୂରଣ ସାମିଲ ନଥାଏ।
ଅନ୍ୟପଟେ, ଯଦି ଆପଣଙ୍କ ପାଖରେ କମ୍ପ୍ରିହେନ୍ସିଭ୍ ଅର୍ଥାତ୍ ‘ଜିରୋ ଡେପ୍’ ବା ବମ୍ପର-ଟୁ-ବମ୍ପର ଇନ୍ସୁରାନ୍ସ ଅଛି, ତେବେ ଆପଣଙ୍କୁ ଆଦୌ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ଏହି ପଲିସିରେ ପ୍ରାକୃତିକ ବିପର୍ଯ୍ୟୟ ଯେପରିକି ଝଡ-ତୋଫାନ, ବନ୍ୟା, ଭୂକମ୍ପ ଏବଂ ଗଛ ପଡ଼ିବା ଦ୍ୱାରା ହେଉଥିବା କ୍ଷତିକୁ ସ୍ପଷ୍ଟ ଭାବେ କଭର କରାଯାଇଥାଏ। ଏଭଳି ସ୍ଥିତିରେ କମ୍ପାନୀ ଆପଣଙ୍କ କ୍ଷତିର ଭରଣା କରିବାକୁ ବାଧ୍ୟ।
ଗଛ ପଡ଼ିବା ମାତ୍ରେ ସବୁଠାରୁ ପ୍ରଥମେ କଣ କରିବେ?
ଯଦି ଆପଣଙ୍କ କାର୍ ଉପରେ ଗଛ ପଡ଼ିଯାଏ, ତେବେ ତରତର ହୋଇ ଗାଡ଼ି ହଟାଇବାକୁ ଚେଷ୍ଟା କରନ୍ତୁ ନାହିଁ। ସବୁଠାରୁ ପ୍ରଥମେ ସେହି ଘଟଣାର ଫଟୋ ଏବଂ ଭିଡିଓ ଭିନ୍ନ ଭିନ୍ନ ଆଙ୍ଗେଲ୍ରୁ ନେଇ ରଖନ୍ତୁ। କ୍ଲେମ୍ ପାଇଁ ଏହା ସବୁଠାରୁ ବଡ଼ ପ୍ରମାଣ ହେବ ଯେ ଗାଡ଼ିର କ୍ଷତି ଝଡ଼ତୋଫାନ ଏବଂ ଗଛ ପଡ଼ିବା ଯୋଗୁଁ ହିଁ ହୋଇଛି।
ଏହାପରେ ତୁରନ୍ତ ଆପଣଙ୍କ ଇନ୍ସୁରାନ୍ସ କମ୍ପାନୀକୁ ସୂଚନା ଦିଅନ୍ତୁ। ଯେପର୍ଯ୍ୟନ୍ତ ବୀମା କମ୍ପାନୀର ସର୍ଭେୟର ଆସି କାର୍ର ଯାଞ୍ଚ କରିନାହାନ୍ତି, ସେପର୍ଯ୍ୟନ୍ତ କାର୍ ଉପରୁ ଗଛ କିମ୍ବା ଡାଳଗୁଡ଼ିକୁ ହଟାନ୍ତୁ ନାହିଁ। ଇନ୍ସୁରାନ୍ସ କମ୍ପାନୀ ସାଧାରଣତଃ କାର୍ ଯାଞ୍ଚ ପାଇଁ ଜଣେ ସର୍ଭେୟର ପଠାଇଥାଏ, ଯାହାଙ୍କ ରିପୋର୍ଟ ପରେ ହିଁ କ୍ଲେମ୍ ପ୍ରକ୍ରିୟା ଆଗକୁ ବଢ଼େ।
ଏହି ସମୟ ମଧ୍ୟରେ ଗାଡ଼ିର ଆରସି, ଡ୍ରାଇଭିଂ ଲାଇସେନ୍ସ, ଇନ୍ସୁରାନ୍ସ ପଲିସି କାଗଜପତ୍ର ଏବଂ ଅନ୍ୟାନ୍ୟ ଜରୁରୀ ଦସ୍ତାବେଜ ପ୍ରସ୍ତୁତ କରି ରଖନ୍ତୁ। ସଠିକ୍ ତଥ୍ୟ ପ୍ରଦାନ କଲେ କ୍ଲେମ୍ ଖୁବ୍ ଶୀଘ୍ର ମଞ୍ଜୁର ହେବାର ସମ୍ଭାବନା ବଢ଼ିଯାଏ।

