ଇରାନ ଉପରେ ପରମାଣୁ ଆକ୍ରମଣ କରିବେ ଟ୍ରମ୍ପ? କଂଗ୍ରେସୱୁମ୍ୟାନଙ୍କ ଦାବିକୁ ନେଇ ହଇଚଇ
ଗ୍ରୀନ୍ ଏକ୍ସ ପୋଷ୍ଟରେ ଦାବି କରିଛନ୍ତି ଯେ, ଏହି ଆଲୋଚନାଗୁଡ଼ିକ ବାସ୍ତବରେ ଚାଲିଛି।
ଓଡିଶାଭାସ୍କର: ଆମେରିକାର ପୂର୍ବତନ କଂଗ୍ରେସୱୁମ୍ୟାନ୍ ମାର୍ଜୋରି ଟେଲର ଗ୍ରୀନ୍ ଟ୍ରମ୍ପ ପ୍ରଶାସନ ଓ ଇରାନ ମଧ୍ୟରେ ଜାରି ଥିବା ଟଣାଓଟରାକୁ ନେଇ ଅନେକ ଦାବି କରିଛନ୍ତି।
ସେ ଦାବି କରିଛନ୍ତି ଯେ, ଇରାନ ବିରୋଧରେ ପରମାଣୁ ଅସ୍ତ୍ର ବ୍ୟବହାରର ସମ୍ଭାବନା ନେଇ ଟ୍ରମ୍ପ ପ୍ରଶାସନର ଅଧିକାରୀମାନେ ଆଲୋଚନା କରୁଛନ୍ତି।
ଗ୍ରୀନଙ୍କ ଦାବି ଅନୁସାରେ, ଓ୍ୱାଶିଂଟନ ଓ ତେହରାନ୍ ମଧ୍ୟରେ ଚାଲିଥିବା ତିକ୍ତତା ସମୟରେ ଉଚ୍ଚସ୍ତରୀୟ ରଣନୀତିକ ବୈଠକରେ ଏହି ପ୍ରସଙ୍ଗ ଉଠିଛି।
ଗ୍ରୀନ ତାଙ୍କ X ପୋଷ୍ଟରେ ଦାବି କରିଛନ୍ତି ଯେ, ଏଭଳି ଆଲୋଚନା ବାସ୍କବରେ ଚାଲିଛି। ଏଥିସହିତ ସେ ଟ୍ରମ୍ପ ପ୍ରଶାସନ ଉପରେ ପରମାଣୁ ଅସ୍ତ୍ର ବ୍ୟବହାର ପାଇଁ କମ୍ ଥ୍ରେଶହୋଲ୍ଡ ରଖିଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି। ତେବେ ତାଙ୍କ ଦାବି ସପକ୍ଷରେ ସେ କୌଣସି ପ୍ରମାଣ ଦେଇନାହାନ୍ତି।
ସେ ଆହୁରି କହିଛନ୍ତି ଯେ, ଆମେରିକୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକର ଆକଳନରୁ ଇରାନ ପରମାଣୁ ଅସ୍ତ୍ର ତିଆରି କରିବାର ନିକଟତର ହୋଇଥିବା ସୂଚନା ମିଳୁନାହିଁ।
ଏହା ସତ୍ତ୍ୱେ ଟ୍ରମ୍ପ ପ୍ରଶାସନ ଇସ୍ରାଏଲର ସତର୍କବାଣୀ ଉପରେ ଅଧିକ ନିର୍ଭର କରୁଥିବା ଗ୍ରୀନ୍ ଅଭିଯୋଗ କରିଛନ୍ତି। ତେବେ ଏହି ଦାବି ନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।
ଏପଟେ ଇରାନ ଓ ଆମେରିକା ମଧ୍ୟରେ ହର୍ମୁଜ୍ ପ୍ରଣାଳୀକୁ ନେଇ ଟଣାଟଣି ଜାରି ରହିଛି। ଫେବ୍ରୁଆରୀ ୨୮ରୁ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଓ ଉତ୍ତେଜନା ଚାଲିଆସୁଛି।
ଇରାନ ଉପରେ ଲଗାତାର ଚାପ ବଢ଼ାଉଛନ୍ତି ଡୋନାଲ୍ଡ ଟ୍ରମ୍ପ: ଟ୍ରମ୍ପ ତେହରାନ୍ ଉପରେ ଲଗାତାର ଚାପ ବଜାୟ ରଖିଛନ୍ତି ଏବଂ ଇରାନଠାରୁ ବିଭିନ୍ନ ରିଆୟତ ଦାବି କରୁଛନ୍ତି।
ଅଗଷ୍ଟ ୧୪ରେ ଟ୍ରମ୍ପ କହିଥିଲେ ଯେ, ସେ ଖୁବଶୀଘ୍ର ହର୍ମୁଜ୍ ପ୍ରଣାଳୀକୁ ଆମେରିକାର ଅଞ୍ଚଳ ଘୋଷଣା କରିବାକୁ ଯାଉଛନ୍ତି। ଇରାନକୁ ପରାସ୍ତ କରିବା ପରେ ଏଭଳି ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।


