ମେଡିକାଲ ବେଡ଼୍‌ରେ ବଞ୍ଚିବା ପାଇଁ ଜୀବନ ସହ ସଂଘର୍ଷ କରୁଛନ୍ତି ବୋହୂ

ଗରମ ତେଲ ଯୋଗୁଁ ସ୍ୱିଟିଙ୍କ ଶରୀରର ଏକାଧିକ ସ୍ଥାନ ପୋଡ଼ି ଯାଇଥିଲା। ଯନ୍ତ୍ରଣାରେ ଛଟପଟ ହେଉଥିବା ସ୍ୱିଟିଙ୍କୁ ତୁରନ୍ତ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ଭୁବନେଶ୍ୱର: ସାମାନ୍ୟ କଥାକୁ ନେଇ ଆରମ୍ଭ ହୋଇଥିଲା କଳି। ଯାହା ପରବର୍ତ୍ତୀ ସମୟରେ ନେଇଥିଲା ହିଂସାର ରୂପ। ଯେଉଁଥିରେ ରାଗିଯାଇ ଶାଶୂ ନିଜ ବୋହୂ ଉପରକୁ ଗରମ ତେଲ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ବଞ୍ଚିବା ପାଇଁ ମେଡ଼ିକାଲ ବେଡ଼୍‌ରେ ଜୀବନ ସହ ସଂଘର୍ଷ କରୁଛନ୍ତି ବୋହୂ। ଏପରି ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ଖଇରା ଥାନା ମଠ ନୂଆଗାଁରେ ଘଟିଛି।

ଶୁକ୍ରବାର ଘରେ କେହିନଥିଲେ। ଘରେ ଥିଲେ କେବଳ ସାବିତ୍ରୀ ଓ ତାଙ୍କ ବୋହୂ ସ୍ୱିଟି। ସବୁ ଠିକ୍‌ଠାକ୍ ଥିଲା। ତେବେ କୌଣସି କଥାକୁ ନେଇ ଶାଶୂ ଓ ବୋହୂଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରବର୍ତ୍ତୀ ସମୟରେ ସେହି ଯୁକ୍ତିତର୍କ ଉଗ୍ରରୂପ ଧାରଣ କରିଥିଲା। ଆଉ ରାଗରେ ଜର୍ଜରୀତ ହୋଇ ଶାଶୂ, ବୋହୂ ସ୍ୱିଟିଙ୍କ ଉପରକୁ ଗରମ ତେଲ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ଗରମ ତେଲ ଯୋଗୁଁ ସ୍ୱିଟିଙ୍କ ଶରୀରର ଏକାଧିକ ସ୍ଥାନ ପୋଡ଼ି ଯାଇଥିଲା। ଯନ୍ତ୍ରଣାରେ ଛଟପଟ ହେଉଥିବା ସ୍ୱିଟିଙ୍କୁ ତୁରନ୍ତ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଘଟଣାକୁ ନେଇ ଖଇରା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ଓ ଏହା ପଛରେ ପ୍ରକୃତ କାରଣ କ’ଣ, ସେନେଇ ପୋଲିସ ଖୋଳତାଡ଼ କରୁଛି। ସାମାନ୍ୟ ପାରିବାରିକ ବିବାଦରୁ ଘଟିଥିବା ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।