ନାଇଟ୍ କ୍ଲବ୍ରେ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିଲେ, ଆଉ ତା’ପରେ ଘଟାଇଲେ ଜଘନ୍ୟ କାଣ୍ଡ, ମାମଲା ରୁଜୁ
ନାଇଟ୍କ୍ଲବ୍ରେ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିବା ଅଭିଯୋଗ, ପୁଲିସ ରୁଜୁ କଲା ମାମଲା
ଆସାମ୍: ଆସାମର ଗୁଆହାଟୀ ସ୍ଥିତ ଖାନାପାରା ଅଞ୍ଚଳର ଏକ ନାଇଟ୍କ୍ଲବ୍ରେ ଜଣେ ମହିଳାଙ୍କୁ ନଗ୍ନ କରି ମାର୍ପିଟ୍ କରାଯାଇଥିବା ଭଳି ଏକ ଅତ୍ୟନ୍ତ ଲୋମହର୍ଷକ ଘଟଣା ସାମ୍ନାକୁ ଆସିଛି। ଗତ ଗୁରୁବାର ବିଳମ୍ବିତ ରାତିରେ ଖାନାପାରା ସ୍ଥିତ ‘ଲୋକାଲ୍ସ’ କାଫେ ଭିତରେ ଏହି ଅଭାବନୀୟ କାଣ୍ଡ ଘଟିଛି। ସେଠାରେ ଉପସ୍ଥିତ ଥିବା ଲୋକଙ୍କ କହିବା ଅନୁଯାୟୀ, ଏହି ଘଟଣାରେ କ୍ଲବର ବାଉନ୍ସରମାନେ ମଧ୍ୟ ସାମିଲ ଥିଲେ।
ଭାଇରାଲ୍ ଭିଡିଓରେ ସାମ୍ନାକୁ ଆସିଲା ସତ୍ୟ: ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓରେ ଜଣେ ମହିଳା ବିନା ପୋଷାକରେ ତଳେ ପଡ଼ିରହିଥିବା ଏବଂ ଅନ୍ୟ ଦୁଇଜଣ ମହିଳା ତାଙ୍କୁ ଗୋଇଠା ମାରୁଥିବା ଦେଖିବାକୁ ମିଳିଛି। ସେମାନଙ୍କ ସହିତ କିଛି ପୁରୁଷ ମଧ୍ୟ ଉପସ୍ଥିତ ଥିବା ନଜର ଆସିଛନ୍ତି। ଅନ୍ୟ ଏକ ଭିଡିଓରେ ଜଣେ ମହିଳା ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି।
ସୂତ୍ରରୁ ପ୍ରକାଶ ଯେ, ସେହି ମହିଳାଙ୍କୁ ପ୍ରଥମେ ଠେଲି ତଳେ ପକାଇ ଦିଆଯାଇଥିଲା ଏବଂ ପରେ ତାଙ୍କୁ ନଗ୍ନ କରି କ୍ଲବ୍ ଭିତରେ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ପୁରୁଷ ଏବଂ ମହିଳା ଉଭୟ ବାଉନ୍ସର ସାମିଲ ଥିଲେ ବୋଲି ଅଭିଯୋଗ ହୋଇଛି। ପରେ ତାଙ୍କୁ କ୍ଲବର ଚତୁର୍ଥ ମହଲାରୁ ତଳକୁ ପାର୍କିଂ ଅଞ୍ଚଳକୁ ଅଣାଯାଇଥିଲା। ତେବେ ଏହି ବିବାଦ ଏବଂ ଆକ୍ରମଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ନାଇଟ୍ କ୍ଲବ୍ ବନ୍ଦ ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନ: ଯେତେବେଳେ ଗଣମାଧ୍ୟମ ପ୍ରତିନିଧିମାନେ ସେହି ନାଇଟ୍କ୍ଲବ୍ରେ ପହଞ୍ଚିଥିଲେ, ସେତେବେଳେ କ୍ଲବଟି ସମ୍ପୂର୍ଣ୍ଣ ବନ୍ଦ ଥିଲା ଏବଂ ଆଖପାଖରେ ଲାଇଟ୍ ମଧ୍ୟ ବନ୍ଦ କରାଯାଇଥିଲା। କ୍ଲବ୍ ପରିଚାଳନା କମିଟିରୁ କେହି ମଧ୍ୟ ବାହାରକୁ ଆସି ଏହା ଉପରେ କିଛି କହିବାକୁ ରାଜି ହୋଇନଥିଲେ।
ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ତେବେ କ୍ଲବର କୌଣସି କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି କି ନାହିଁ, ସେ ସମ୍ପର୍ଣ୍ଣ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

