fbpx

ଲକଡାଉନ୍ କାରଣରୁ କ୍ରେଡିଟ୍ କାର୍ଡର ବିଲ୍ ଦେଇପାରିଲେନି: ରିକଭରି ଏଜେଣ୍ଟ ଶାରୀରିକ ସମ୍ପର୍କ ପାଇଁ ପକାଇଲେ ଚାପ, ହସ୍ପିଟାଲରେ ଭର୍ତ୍ତିହେଲେ ମହିଳା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଔରଙ୍ଗାବାଦରୁ ଏକ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି । ଜଣେ ମହିଳା କ୍ରେଡିଟ୍ କାର୍ଡର ବିଲ୍ ଦେଇ ନପାରିବାରୁ ରିକଭରି ଏଜେଣ୍ଟ ତାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବାକୁ ଚାପ ପକାଉଥିଲେ । ଏଥିସହ ମହିଳାଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିବା ଭଳି ସଙ୍ଗୀନ୍ ଅଭିଯୋଗ ଆସିଛି । ତେବେ ମହିଳାଙ୍କ ଅଭିଯୋଗ ଦାଖଲ ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଜଣେ ମହିଳା କ୍ରେଡିଟ୍ କାର୍ଡରେ ୪୬ ହଜାର ଟଙ୍କାର ସାମଗ୍ରୀ କିଣିଥିଲେ । କିଛଦିନ ପରେ ମହିଳା ୨୫ ହଜାର ଟଙ୍କା ଭରଣା କରିଥିଲେ ହେଁ ଲକଡାଉନ ପାଇଁ ଅବଶିଷ୍ଟ ଅର୍ଥ ଜମା କରିପାରିନଥିଲେ । ଏହାପରେ ରିକଭରି ଏଜେଣ୍ଟ ମହିଳାଙ୍କୁ ଫୋନ୍ କରି ବକେୟା ୨୧ ହଜାର ଟଙ୍କା ପରିଶୋଧ କରିବା ପାଇଁ କହିବା ସହ ଅଶାଳୀନ ବ୍ୟବହାର କରିଥିଲା । ଏହି ଘଟଣାକୁ ନେଇ ମହିଳା ଜଣକ ମାନସିକ ଚାପରେ ରହିବା ସହ କିଛିଦିନ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏଜେଣ୍ଟ ଜଣଙ୍କ ମହିଳାଙ୍କ ସମ୍ପର୍କୀୟଙ୍କୁ ଫୋନରେ ଅପଶବ୍ଦ ପ୍ରୟୋଗ ଗରିବା ସହ ମହିଳାଙ୍କ ବିଷୟରେ ଖରାପ କଥା ଲେଖି ଫେସବୁକରେ ପୋଷ୍ଟ କରିଦେଇଥିଲା । ଏହାପରେ ମହିଳାଙ୍କ ସଂପର୍କୀୟମାନେ ଔରଙ୍ଗାବାଦର ଏମଆଇଡିସି ଥାନାରେ ପହଞ୍ଚି ମାମଲା ଦାୟର କରିଥିଲେ । ତେବେ କିଛି ପୋଲିସ କର୍ମୀ ଦିଲ୍ଲୀରୁ ବୈଷ୍ଣୋ ଦେବୀ ତୀର୍ଥ ସ୍ଥାନ ଭ୍ରମଣର ଟିକେଟ ଭରଣା ପାଇଁ ଦାବି କରିଥିବା ମହିଳା ଅଭିଯୋଗ କରିଛନ୍ତି । ତେବେ ବର୍ତ୍ତମାନ ଏହି ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଯଦି କୌଣସି ପୋଲିସ କର୍ମୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସିପି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.