ନିଜ ଦୁଇ ସନ୍ତାନଙ୍କୁ ବିଷ ଦେଇ ହତ୍ୟା କଲା ମା’
ଓଡ଼ିଶାର ପୁରୀ ସହରରେ ନିଜର ଦୁଇ ନାବାଳକ ପିଲାଙ୍କୁ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗରେ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳା ଜଣକ ହେଲେ ପୁରୀର ପେଣ୍ଠକଟା ଅଞ୍ଚଳର ଲକ୍ଷ୍ମୀପ୍ରିୟା ପ୍ରଧାନ।
ଭୁବନେଶ୍ୱର: ପୁରୀରେ ଦୁଇ ଜଣ ନାବାଳକ ଶିଶୁଙ୍କୁ ତାଙ୍କ ମା’ ବିଷ ଦେଇ ହତ୍ୟା କରିଥିବାର ଏକ ସଙ୍ଗୀନ ଅଭିଯୋଗ ବର୍ତମାନ ସାମ୍ନାକୁ ଆସିଛି । ଏହି ଘଟଣାରେ ପୋଲିସ ଉକ୍ତ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳା ହେଲେ ପବିତ୍ର ସହର ପୁରୀର ପେଣ୍ଠକଟା ଅଞ୍ଚଳର ଲକ୍ଷ୍ମୀପ୍ରିୟା ପ୍ରଧାନ।
ସୂଚନା ଅନୁସାରେ, ଅଗଷ୍ଟ ୧୬ ତାରିଖରେ ଲକ୍ଷ୍ମୀପ୍ରିୟା ତାଙ୍କ ଦୁଇ ଶିଶୁଙ୍କୁ କୋଲ୍ଡ ଡ୍ରିଙ୍କସରେ କୀଟନାଶକ ମିଶା ପିଇବାକୁ ଦେଇଥିବା ଅଭିଯୋଗ ହୋଇଛି। ଦୁଇ ଶିଶୁଙ୍କ ମଧ୍ୟରୁ ଜଣଙ୍କ ବୟସ ପ୍ରାୟ ୬ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ପ୍ରାୟ ଦେଢ଼ ବର୍ଷ। ଏହା ପରେ ଲକ୍ଷ୍ମୀପ୍ରିୟା ମଧ୍ୟ ସେହି କୋଲ୍ଡ ଡ୍ରିଙ୍କସ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା କୁହାଯାଇଛି।
ବିଷାକ୍ତ କୋଲ୍ଡ ଡ୍ରିଙ୍କସ ପିଇବା ପରେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ତେବେ ଲକ୍ଷ୍ମୀପ୍ରିୟାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଏହି ଘଟଣାକୁ ନେଇ ଲକ୍ଷ୍ମୀପ୍ରିୟାଙ୍କ ସ୍ୱାମୀ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଲକ୍ଷ୍ମୀପ୍ରିୟାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।
ଜଣେ ପୁଲିସ ଅଧିକାରୀ କହିଛନ୍ତି, “ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଆମେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛୁ। ପରେ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଛି।”


