fbpx

ଗୁରୁତର ଶିଶୁପୁତ୍ର SCBରେ, ମା’କୁ ତଣ୍ଟିକାଟି ହତ୍ୟା କରିଦେଲେ ଦୁର୍ବୃତ୍ତ; ଜାଣନ୍ତୁ ପୂରା ଘଟଣା…

କଟକ(ଓଡ଼ିଶା ଭାସ୍କର): ତଣ୍ଟି କାଟି ମହିଳାଙ୍କୁ ହତ୍ୟା କରିଦେଲେ ଦୁର୍ବୃତ୍ତ। ଆଉ ୩ ବର୍ଷର ନିଷ୍ପାପ ଶିଶୁପୁତ୍ରର ମୁଣ୍ଡକୁ ପଥରରେ ଛେଚି ଫିଙ୍ଗିଦେଲେ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ରେ ଘଟିଥିବା ଏଭଳି ଲୋମ ଟାଙ୍କୁରା ଘଟଣାରେ ଗୁରୁତର ଆହତ ଶିଶୁପୁତ୍ରକୁ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଶିଶୁପୁତ୍ରର ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି।

ଘଟଣା ଅନୁସାରେ, ମହାକାଳକପଡ଼ା ବ୍ଳକ୍‌ ଅନ୍ତର୍ଗତ ଜମ୍ବୁ-କଣ୍ଡରାପାଟିଆ  ଘେରିବନ୍ଧ ରାସ୍ତାକଡ଼ରୁ ଶନିବାର ସକାଳୁ ଜଣେ ମହିଳାଙ୍କ ମୃତଦେହ ଠାବ କରାଯାଇଥିଲା। ଦୁର୍ବୃତ୍ତ ଗଳାକାଟି ହତ୍ୟା କରିଥିବା ଜଣାପଡ଼ିଥିବାବେଳେ କିଛିଦୂର ନିକଟରୁ ୩ବର୍ଷର ଶିଶୁପୁତ୍ରକୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାର ମୁଣ୍ଡକୁ ପଥରରେ ପିଟି ହତ୍ୟା ଉଦ୍ୟମ କରାଯାଇଥିବା ଜଣାପଡୁଛି। ଖବର ପ୍ରଘଟ ହେବା ପରେ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ମହିଳା ଜଣଙ୍କ ହଳଦିଆ ରଙ୍ଗର ଶାଢ଼ି ପିନ୍ଧିଥିବାବେଳେ ସେ ସମ୍ପୃକ୍ତ ଅଞ୍ଚଳର ନୁହନ୍ତି ବୋଲି କୁହଯାଉଛି। ସେପଟେ ଏକ ରକ୍ତଲଗା ଛୁରି ମଧ୍ୟ ନିକଟ ରାସ୍ତାକଡ଼ରୁ ଜବତ ହୋଇଛି। ଏଥିସହ ଘଟଣାସ୍ଥଳରୁ ମଦ ବୋତଲ, ପାଣି ବୋତଲ, ସିଗାରେଟ୍‌ ଖୋଳ, ପ୍ଲାଷ୍ଟିକ୍‌ ଗ୍ଳାସ୍‌, ହ୍ୟାଣ୍ଡ୍‌ ଗ୍ଲୋଭ୍‌ସ, ହାପ୍‌ ପ୍ୟାଣ୍ଟ୍‌ ଆଦି ଜବତ କରିଛି ପୁଲିସ୍‌।

କେନ୍ଦ୍ରାପଡ଼ା ଏସପି ଏମ୍‌ ସନ୍ଦୀପ ସମ୍ପଦ, ଏଏସ୍‌ପି କୃତ୍ତିବାସ ଜେନା, ଏସଡିପିଓ ରାଜୀବ ଲୋଚନ ପଣ୍ଡାଙ୍କ ସମେତ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାର ଛାନଭିନ୍‌ କରିଥିବାବେଳେ ହତ୍ୟାକାଣ୍ଡ ସ୍ଥଳରୁ ପ୍ରାୟ ୭ କିମି ଦୂର ବେଣାକନ୍ଧା ବଜାରଠାରେ ଲାଗିଥିବା ଏକ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରି ପୋଲିସ୍‌ କିଛି ବିଶେଷ ଦୃଶ୍ୟ ଦେଖିବାକୁ ପାଇଛି। ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୧ଟାରେ ଗୋଟିଏ ବାଇକ୍‌ରେ ୨ ଜଣ ପୁରୁଷ, ଶିଶୁପୁତ୍ର ଓ ହଳଦିଆ ଶାଢ଼ି ପିନ୍ଧିଥିବା ମହିଳା ଉକ୍ତ ରାସ୍ତା ଅତିକ୍ରମ କରିଥିବା ସିସିଟିଭିରେ କଏଦ ହୋଇଛି। ଏନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ୍‌।

ଅନ୍ୟପକ୍ଷରେ ପ୍ରଥମେ କେନ୍ଦ୍ରାପଡ଼ା ମେଡିକାଲ ଓ ପରେ କଟକ ବଡ଼ ମେଡିକାଲକୁ ଅଣାଯାଇଥିବା ଆହତ ଶିଶୁପୁତ୍ରର ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି। ଏସସିବିରେ କାର୍ଯ୍ୟ କରୁଥିବା ସ୍ଵେଚ୍ଛାସେବୀ ସଂଗଠନ ’ସହାୟ’ର କର୍ମୀମାନେ ପିଲାଟିର ସେବାଯତ୍ନ କରୁଥିବାବେଳେ ଡାକ୍ତରମାନେ ଉପଯୁକ୍ତ ଚିକିତ୍ସା ପ୍ରତି ଗୁରୁତ୍ଵ ଦେଉଛନ୍ତି। ସେଠାରେ କେନ୍ଦ୍ରାପଡ଼ା ସିଡବ୍ଲୁସି ଟିମ୍‌ ଓ ପୋଲିସ୍‌ ଉପସ୍ଥିତ ରହିଛନ୍ତି।

Get real time updates directly on you device, subscribe now.