ରାଜଧାନୀରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ! ପୋଲିସର ଛାନ୍‌ଭିନ୍‌

ନୟାପଲ୍ଲୀ ଥାନା ବେହେରା ସାହି ଅଞ୍ଚଳରେ ଏକ ଭଡ଼ା ଘରେ ଯୁବତୀ ଜଣକ ତାଙ୍କ ଭଉଣୀଙ୍କ ସହ ରହୁଥିଲେ। ଭଉଣୀଙ୍କ ଅନୁପସ୍ଥିତିରେ ଆଜି ଅଭିଯୁକ୍ତ ମୁହଁରେ ମାସ୍କ ପିନ୍ଧି ତାଙ୍କ ଘରକୁ ଆସିଥିଲେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଲଜ୍ଜା। ଗନ୍ ପଏଣ୍ଟରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ତା’ ପୁଣି ଘର ଭିତରେ। ଏନେଇ ଅଭିଯୋଗ ହେବା ପରେ ଭୁବନେଶ୍ୱର କମିଶନରେଟ୍ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଛି।

ନୟାପଲ୍ଲୀ ଥାନା ବେହେରା ସାହି ଅଞ୍ଚଳରେ ଏକ ଭଡ଼ା ଘରେ ଯୁବତୀ ଜଣକ ତାଙ୍କ ଭଉଣୀଙ୍କ ସହ ରହୁଥିଲେ। ଭଉଣୀଙ୍କ ଅନୁପସ୍ଥିତିରେ ଆଜି ଅଭିଯୁକ୍ତ ମୁହଁରେ ମାସ୍କ ପିନ୍ଧି ତାଙ୍କ ଘରକୁ ଆସିଥିଲେ। ଆଉ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ହେଲେ ଯୁବତୀ ଜଣକ ବିରୋଧ କରିବାରୁ ତାଙ୍କୁ ବନ୍ଧୁକ ଦେଖାଇଥିଲେ। ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଯେଉଁଥିପାଇଁ ଯୁବତୀ ଜଣକ ଭୟଭୀତ ହୋଇ ଯାଇଥିଲେ। ଏହା ପରେ ଅଭିଯୁକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ଅଭିଯୁକ୍ତ ଚମ୍ପଟ ମାରିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ତତ୍ପର ହୋଇଛି କମିଶନରେଟ୍ ପୋଲିସ।

ଭୁବନେଶ୍ୱର ଡିସିପି, ଜୋନ୍ ଏସିପି ଓ ନୟାପଲ୍ଲୀ ଆଇଆଇସି ଘଟଣା ସ୍ଥଳରେ ପହଞ୍ଚିଥିଲେ। ଘଟଣାର ଛାନ୍‌ଭିନ ଚଳାଇଛି। ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିବା ଜଣାପଡ଼ିଛି। ହେଲେ ଅଭିଯୁକ୍ତଙ୍କ ପତ୍ତା ପାଇନି। ତେବେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି। ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ମୋ ବସ୍‌ରେ ପଳାଇ ଯାଇଥିବା ଜଣାପଡ଼ିଛି।