ଫୋନ କରି ପୁରୁଷଙ୍କୁ ଫସାଅ… ଅଶ୍ଲୀଳ ଭାଷାରେ କଥା ହୁଅ…

ଲଗାତାର ଫୋନ୍ କଲ୍ ଓ ଧମକ ଯୋଗୁଁ ପୀଡ଼ିତା ମାନସିକ ଭାଙ୍ଗି ପଡ଼ିଥିଲେ। ସ୍ଥିତି ଭୟଙ୍କର ହେବା ପରେ ସେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ପରିବାର ଲୋକେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ

ଲକ୍ଷ୍ନୌ: ମାତିଛନ୍ତି ମହିଳା ଗ୍ୟାଙ୍ଗ! ଫୋନ୍ କରି ବନ୍ଧୁତା କରୁଥିଲେ। ଧୀରେ ଧୀରେ ସମ୍ପର୍କ ବଢ଼ିବା ପରେ ପୁରୁଷଙ୍କୁ ଫୋନ୍ କରି ଖରାପ କଥା କହିବା ପାଇଁ ପ୍ରବର୍ତ୍ତାଉଥିଲେ। ଆଉ ଏଥିରେ ଯିଏ ରାଜି ହେଉନଥିଲେ ତାଙ୍କୁ ମିଳୁଥିଲା ଧମକ। ଏପରିକି ଆତ୍ମହତ୍ୟା ପାଇଁ କୁହାଯାଉଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶରେ ମାତିଛନ୍ତି ଏହି ଗ୍ୟାଙ୍ଗ। ଏନେଇ ଜଣେ ମହିଳା ଅଭିଯୋଗ କରିବା ପରେ ତତ୍ପର ହୋଇଛି ପୋଲିସ।

ଅଭିଯୋଗ ଅନୁସାରେ ପୀଡ଼ିତାଙ୍କ ସ୍ୱାମୀ ଦୀର୍ଘ ଦିନ ଧରି ରାଜ୍ୟ ବାହାରେ କାମ କରୁଛନ୍ତି। ମହିଳା ଜଣକ ଘରେ ପରିବାର ଲୋକଙ୍କ ସହ ରହୁଛନ୍ତି। ପୀଡ଼ିତାଙ୍କ କହିବା ଅନୁସାରେ ଥରେ ତାଙ୍କ ପାଖକୁ ଅମରୋହା ଜିଲ୍ଲାର ନୌଗାୱା ଥାନା ଅଞ୍ଚଳର ସାଲୋନୀ ନାମକ ଜଣେ ମହିଳା ଫୋନ୍ କରିଥିଲେ। ସେ ନିଜର ପରିଚୟ ଦେଇ ଫୋନ୍ କାଟି ଦେଇଥିଲେ। ପରବର୍ତ୍ତୀ ସମୟରେ ନିୟମିତ ଫୋନ୍ କରିଥିଲେ। ତା’ପରେ ଉଭୟଙ୍କ ଭିତରେ ନିୟମିତ କଥାବାର୍ତ୍ତା ହୋଇଥିଲା। ପରେ ସାଲୋନୀ ତାଙ୍କୁ ଅନ୍ୟ ପୁରୁଷଙ୍କ ସହ ଅଶ୍ଳୀଳ କଥାବାର୍ତ୍ତା କରିବା ଓ ଭୁଲ୍ କାମରେ ସାମିଲ ହେବା ପାଇଁ ଚାପ ପକାଇଥିଲେ। ହେଲେ ସେ ଏଥିରେ ରାଜି ନହେବାରୁ ତାଙ୍କୁ ଧମକ ଦିଆଯାଇଥିଲା। ଏପରିକି ଭିନ୍ନ ଭିନ୍ନ ମୋବାଇଲ ନମ୍ବରରୁ ଫୋନରୁ ବାରମ୍ବାର ଫୋନ୍ କରାଯାଇ ହଇରାଣ କରାଯାଉଥିଲା। ଏପରିକି ଆତ୍ମହତ୍ୟା ପାଇଁ ଉସ୍‌କାଉଥିବା ଅଭିଯୋଗ ହୋଇଛି।

ଏହି ଘଟଣାରେ ସାଲୋନୀଙ୍କ ସହ ଛବି, ଅମଲେଶ ଓ କମଲେଶ ନାମକ ଆଉ ୩ ଜଣ ମହିଳା ସାମିଲ ଥିବା ପୀଡ଼ିତା ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁସାରେ, ଏହି ମହିଳାମାନେ ମିଶି ଏକ ଗୋଷ୍ଠୀ ଗଠନ କରିଥିଲେ। ପୁରୁଷଙ୍କ ସହ ଅଶ୍ଳୀଳ କଥାବାର୍ତ୍ତା କରି ସେମାନଙ୍କୁ ଫସାଇ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି।

ଲଗାତାର ଫୋନ୍ କଲ୍ ଓ ଧମକ ଯୋଗୁଁ ପୀଡ଼ିତା ମାନସିକ ଭାଙ୍ଗି ପଡ଼ିଥିଲେ। ସ୍ଥିତି ଭୟଙ୍କର ହେବା ପରେ ସେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ପରିବାର ଲୋକେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ଆଧାର କରି ସାଲୋନୀଙ୍କ ସମେତ ୪ ଜଣ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ଅଧିକାରୀ ରାହୁଲ ସିଂହ କହିଛନ୍ତି।