fbpx

ଦୁନିଆର ସବୁଠାରୁ ଦାମୀ ଲୁଣ, ଦାମ୍ ୨୯୦୦୦

 ଓଡ଼ିଶା ଭାସ୍କର ବ୍ୟୁରୋ: ସାଧାରଣତଃ ଆମେ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ଲୁଣର ବ୍ୟବହାର କରିଥାଉ । ହେଲେ କଣ ଆପଣ ମାନେ ମାତ୍ର ୨୫୦ ଗ୍ରାମ ଲୁଣ ପାଇଁ ୭ହଜାର ୩୪୮ ଖର୍ଚ୍ଚ କରିପାରିବେ କି ? ତେବେ ଏହା ଆପଣ ମାନଙ୍କୁ ମଜାକ୍ ଲାଗୁଥିଲେ ବି ସତ । ଏହି ଲୁଣ ହେଉଛି ଦୁନିଆର ସବୁଠାରୁ ଦାମୀ ଲୁଣ । ଏହାର ନାମ ହେଉଛି କୋରିଆନ ବାମ୍ବୋ ସଲ୍ଟ । ଏହାକୁ ବାଇଗଣୀ ଲୁଣ ବା ପର୍ପଲ୍ ସଲ୍ଟ ବୋଲି ମଧ୍ୟ କୁହାଯାଏ । ତେବେ କୋରିଆନ ସଲ୍ଟ ବୋଲି କହିବାର ତାତ୍ପର୍ୟ୍ୟ ହେଲା ଏହି ଲୁଣକୁ କୋରିଆନ ମାନେ ଅଧିକ ମାତ୍ରାରେ ବ୍ୟବହାର କରନ୍ତି । ହେଲେ ଏଥିରେ ଏପରି କଣ ରହିଛି ଯେଉଁଥିପାଇଁ ଏହାର ଦାମ୍ ଏତେ ଅଧିକ ? ତେବେ ଚାଲନ୍ତୁ ଜାଣିବା ଏହି ଲୁଣ ସମ୍ପର୍କରେ ।

ଯୁଗ ଯୁଗରୁ, ବାଉଁଶ ଲୁଣ କୋରିଆ ରନ୍ଧନ ସଂସ୍କୃତିର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଆସଛି । ଏଥିରେ ଔଷଧୀୟ ଗୁଣ ରହିଥିବା ଯୋଗୁଁ ପାରମ୍ପରିକ କୋରିଆ ଔଷଧରେ ଏହାକୁ ବ୍ୟବହୃତ କରାଯାଉଥିଲା । କିନ୍ତୁ ଏହି ଲୁଣ ଖୁବ୍ ମହଙ୍ଗା ଏବଂ ବିଶ୍ୱର ଅନ୍ୟ ଲୁଣ ପ୍ରକାରଠାରୁ ଏହା ସବୁଠାରୁ ଭିନ୍ନ । ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ ଯେ ବମ୍ବୋ ଲୁଣ କିଲୋ ପିଛା ପାଖାପାଖି ୨୯ ହଜାର ଟଙ୍କା ।

କିପରି ପ୍ରସ୍ତୁତ ହୁଏ

ବାଉଁଶ ଲୁଣକୁ ତିଆରି କରିବା ପାଇଁ ପ୍ରଥମେ ବାଉଁଶ କେସ୍ ବା ଗୋଲ ଆକୃତିର କଟାଯାଇଥିବା ବ୍ୟାରେଲ୍ ଭିତରେ ସମୁଦ୍ର ଲୁଣ ଭରାଯାଏ ଏବଂ ତାକୁ ଉଚ୍ଚ ତାପମାତ୍ରାରେ ଭଜା ଯାଇ ପ୍ରସ୍ତୁତ କରାଯାଏ । ବାଉଁଶ କେସ୍ ରେ ଲୁଣ ରଖି ଭାଜିବା ଦ୍ଵାରା ବାଉଁଶରେ ରହିଥିବା ଖଣିଜ ପଦାର୍ଥ ଲୁଣ ସହିତ ମିଶିଯାଏ । ଯଦ୍ୱାରା ଏହି ଲୁଣ ଖଣିଜ ପଦାର୍ଥଯୁକ୍ତ ଲୁଣରେ ପରିଣତ ହୋଇଯାଏ । ତେବେ ବାଉଁଶ ଏବଂ ଲୁଣର ଏହି ଇନଫ୍ୟୁଜନ୍ ରେ ଅନେକ ଥର ଭଜା ହେବା ଦ୍ୱାରା ଲୁଣର ରଙ୍ଗ ପରିବର୍ତ୍ତନ ହୁଏ । ଏହାପରେ ଏହି ଲୁଣ ଏକ ଦୃଢ଼ ପଥର ଆକୃତିକୁ ଚାଲିଆସେ । ଯାହାକୁ ଭାଙ୍ଗି ଗୁଣ୍ଡ କରି ବ୍ୟବହାର ମଧ୍ୟ କରାଯାଏ ।

କାହିଁକି ଏହା ଦାମୀ

ତେବେ ଏହି ଲୁଣର ଦାମ୍ ଆକାଶଛୁଆଁ ହେବାର କାରଣ ହେଉଛି ଏହାକୁ ପ୍ରସ୍ତୁତ କରିବାରେ ହେଉଥିବା ପରିଶ୍ରମ । ଯାହା ଏହାକୁ ମହଙ୍ଗା କରୁଛି । ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ଅଧିକାଂଶ ଜିନିଷ ମାନୁଆଲରେ କରାଯାଇଥାଏ । ବାଉଁଶ କେସରେ ସମୁଦ୍ର ଲୁଣ ଭରିବା ଠାରୁ ଆରମ୍ଭ କରି କଠିନ ଲୁଣ ଭାଙ୍ଗିବା ଏବଂ ଗୁଣ୍ଡ କରିବା ପର୍ୟ୍ୟନ୍ତ ସବୁ କିଛି ହାତରେ ତିଆରି କରାଯାଏ । ବାସ୍ତବରେ, ପ୍ରିମିୟମ୍ ବାଇଗଣୀ ଲୁଣ(ପର୍ପଲ ସଲ୍ଟ) ଏହାକୁ ଉଚ୍ଚ ତାପମାତ୍ରାରେ ୯ଥର ଭଜାଯାଏ କରାଯାଏ । ଏହାକୁ ତିଆରି କରିବା ପାଇଁ ପ୍ରାୟ ୪୦ ରୁ ୫୦ ଦିନ ଲାଗିଥାଏ ।

ବାଉଁଶ ବ୍ୟାରେଲଗୁଡିକ ରାନ୍ଧିବା କିମ୍ବା ଭଜା କରିବା ପ୍ରକ୍ରିୟାକୁ ୮୦୦ ଡିଗ୍ରୀ ସେଲସିୟସରୁ ଅଧିକ ତାପମାତ୍ରାରେ କରାଯାଇଥାଏ ଏବଂ ଭଜା କରିବାର ଅନ୍ତିମ ପ୍ରକ୍ରିୟାକୁ ପ୍ରାୟ ୧୦୦୦ ଡିଗ୍ରୀ ସେଲସିୟସରେ କରାଯାଇଥାଏ । ଏକ ସ୍ୱତନ୍ତ୍ର ଚୁଲିରେ ଖୁବ୍ ଯତ୍ନର ସହିତ ତିଆରି କରାଯାଏ । ଯାହା ଲୁଣକୁ ଏକ ବଡ଼ ବଡ଼ କଠିନ ପଥରରେ ପରିଣତ କରେ । ଆଉ ପରେ ଏହାକୁ ଚୂର୍ଣ୍ଣକରି ପ୍ୟାକେଜ ପାଇଁ ପ୍ରସ୍ତୁତ କରାଯାଏ । ଏହି ପୂରା ପ୍ରକ୍ରିୟା ହିଁ ଲୁଣକୁ ଦାମୀ କରେ ।

ବିଶ୍ୱାସ କରାଯାଏ ଯେ ବାଉଁଶ ଲୁଣ ଖାଇବା ଦ୍ବାରା ଶରୀରରେ ହଜମ ପ୍ରକ୍ରିୟା, ଓରାଲ୍ ହେଲ୍ଥ, ଚର୍ମର ଯତ୍ନ ଏବଂ ଏହାର ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ କର୍କଟ ବିରୋଧରେ ପ୍ରଭାବଶାଳୀ ହୋଇଥାଏ । ଅଧ୍ୟୟନ ଅନୁଯାୟୀ, ବାଉଁଶ ଲୁଣରେ ମିନେରାଲ୍ ଭରପୁର ରହିଛି । ନିୟମିତ ସମୁଦ୍ର ଲୁଣ ତୁଳନାରେ ଏଥିରେ ଲୌହ, ପୋଟାସିୟମ୍ ଏବଂ କ୍ୟାଲସିୟମ୍ ଭରପୂର ରହିଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ । ତେଣୁ ଏଥିରେ ସ୍ୱାସ୍ଥ୍ୟ ଜନିତ ଉପଯୋଗ ଖୁବ୍ ଅଧିକ ରହିଥାଏ ।

Get real time updates directly on you device, subscribe now.