fbpx

ୟାସିନ ମଲିକକୁ ଆଜୀବନ କାରାଦଣ୍ଡ, ନିଷ୍ପତ୍ତି ଶୁଣାଇଲେ ସ୍ପେଶାଲ NIA କୋର୍ଟ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ଲିବରେଶନ ଫ୍ରଣ୍ଟ ମୁଖ୍ୟ ୟାସିନ ମଲିକକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ଜାତୀୟ ତଦନ୍ତକାରୀ ସଂସ୍ଥା (ନିଆ) ଏହି ନିଷ୍ପତ୍ତି ଶୁଣାଣି କରିଛନ୍ତି । ୟାସିନ ନାମରେ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଭଳି ଗୁରୁତର ଅଭିଯୋଗ ରହିଥିଲା । ଶୁଣାଣି ପାଇଁ ଆଜି କାରାଗାରରୁ ୟାସିନକୁ କୋର୍ଟ ରୁମରେ ହାଜର କରାଯାଇଥିଲା । ଆଜି ଅପରାହ୍ଣ ୩.୩୦ରେ ୟାସିନର ଶୁଣାଣି ହେବାର ଥିଲା, ମାତ୍ର ତାହା ୧ ଘଣ୍ଟା ବିଳମ୍ବ ହୋଇ ୪ଟାରେ କୋର୍ଟ ଶୁଣାଣି ହୋଇଥିଲା । ୟାସିନ ଉପରେ କୋର୍ଟ ଆଜୀବନ କାରାଦଣ୍ଡ ସହ ୧୦ ଲକ୍ଷର ଜରିମାନା ଲାଗୁ କରିଛନ୍ତି ।

ଆଜି ୟାସିନର ଶୁଣାଣି ଅବସରରେ କିଛି ଲୋକ କୋର୍ଟ ବାହାରେ ତ୍ରିରଙ୍ଗା ନେଇ ଜମା ହୋଇଥିଲେ । ଶ୍ରୀନଗରରେ ୟାସିନର ସମର୍ଥକ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ତେବେ ଲୋକମାନେ ପଥରମାଡ଼ କରିବା ପରେ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରାଯାଇଥିଲା । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୌସୁମାରେ ଥିବା ୟାସିନର ଘର ନିକଟରେ ସୁରକ୍ଷା ବଳଙ୍କୁ ନିୟୋଜିତ କରାଯାଇଥିଲା ।

ୟାସିନକୁ ମୃତ୍ୟୁଦଣ୍ଡ ଦେବା ପାଇଁ ନିଆ ପକ୍ଷରୁ ଆବେଦନ କରାଯାଇଥିଲା । ସଜ୍ଜାର ଘୋଷଣା ପୂର୍ବରୁ କୋର୍ଟ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିଲା । ସୁରକ୍ଷା କର୍ମୀଙ୍କ ବ୍ୟତୀତ ସାଧା କପଡ଼ାଧାରୀ କର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା । କୋର୍ଟ ରୁମରେ ଡଗ୍ ସ୍କ୍ୱାଡ ଦ୍ୱାରା ଯାଞ୍ଚ କରାଯାଇଥିଲା । ତେବେ ନିଆ ପକ୍ଷରୁ ଫାଶୀଦଣ୍ଡ ଦାବି ପରେ ୧୦ ମିନିଟ ପାଇଁ ୟାସିନ ନିରବ ରହିଥିଲା । ମୋତେ ଯେତେବେଳେ କୁହାଗଲା ମୁଁ ଆତ୍ମସମର୍ପଣ କରିଛି, ତେଣୁ ନିଷ୍ପତ୍ତି କୋର୍ଟଙ୍କ ହାତରେ ବୋଲି ୟାସିନ କହିଥିଲା ।

Get real time updates directly on you device, subscribe now.