fbpx

ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ;ବୋର୍ଡ ପରୀକ୍ଷାରେ କପି କଲେ ଲାଗୁ ହେବ ଏନ୍ଏସ୍ଏ

ଲକ୍ଷ୍ନୌ: ବୋର୍ଡ ପରୀକ୍ଷାରେ କପି ରୋକିବା ପାଇଁ ଉତ୍ତରପ୍ରଦେଶ ସରକାର ଏକ ବଡ଼ଧରଣର ପଦକ୍ଷେପ ଗ୍ରହଣ କରିଛନ୍ତି । ଯେଉଁମାନେ ବୋର୍ଡ ପରୀକ୍ଷାରେ କପି କରିବେ ସେମାନଙ୍କ ପାଇଁ ତାହା ମହଙ୍ଗା ସାବ୍ୟସ୍ତ ହେବ । ଏପରିକି ପରୀକ୍ଷାରେ କପି କରି ଧରାପଡ଼ିଲେ ସମ୍ପୃକ୍ତ ଛାତ୍ରଛାତ୍ରୀ ଏବଂ ନିରୀକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେମାନଙ୍କ ନାମରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରାଯିବ । ଏଭଳି ନିର୍ଦ୍ଦେଶ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶରେ ଆଗକୁ ହାଇସ୍କୁଲ ବୋର୍ଡ ପରୀକ୍ଷା ସହ ଯୁକ୍ତ ୨ ପରୀକ୍ଷା ହେବାକୁ ଯାଉଛି । ଏହି ପରୀକ୍ଷାରେ କପି କରି ଧରାପଡ଼ିଲେ ସେମାନଙ୍କ ବିରୋଧରେ ରାଷ୍ଟ୍ରୀୟ ସୁରକ୍ଷା ଅଧିନିୟମ ୧୯୮୦ ଅନୁଯାୟୀ ମାମଲା ରୁଜୁ କରାଯିବ ।

ସୂଚନାଯୋଗ୍ୟ ଯେ ଗତବର୍ଷ ପରୀକ୍ଷା ବେଳେ ବିଭିନ୍ନ ସ୍କୁଲରେ କପି ହୋଇଥିବା ନେଇ ଅଭିଯୋଗ ଉଠିଥିଲା । ଏନେଇ ଏସ୍ଟିଏଫ୍ ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲା । ତେବେ ଯେଉଁ ସ୍କୁଲ୍ ଗୁଡ଼ିକରେ କପି ହୋଇଥିଲା ଚଳିତ ବର୍ଷ ଏହି ସ୍କୁଲ ଗୁଡ଼ିକୁ ପରୀକ୍ଷା କେନ୍ଦ୍ରରୁ ବାଦ୍ ଦିଆଯାଇଛି । ଏଥିସହ ଚଳିତ ବର୍ଷ ପ୍ରଶ୍ନପତ୍ରଗୁଡ଼ିକୁ ଡବଲ ଲକରରେ ରଖାଯିବା ସହ ସ୍ୱତନ୍ତ୍ର ଷ୍ଟ୍ରଙ୍ଗରୁମ୍ର ବ୍ୟବସ୍ଥା କରାଯାଇଛି । ଷ୍ଟ୍ରଙ୍ଗ୍ରୁମ୍ ଗୁଡ଼ିକୁ ସିସିଟିଭି ବଳୟରେ ରଖାଯାଇଛି । ଉତ୍ତରପ୍ରଦେଶ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ପରୀକ୍ଷାରେ କପି ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ନିୟମର ଉଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି।

Get real time updates directly on you device, subscribe now.