fbpx

ମାଗଣାରେ ଭ୍ରମଣ କରନ୍ତୁ ହଂକଂ: ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ବଡ଼ ଅଫର୍, ଫ୍ରି’ରେ ବଣ୍ଟାଯାଉଛି ୫ ଲକ୍ଷ ବିମାନ ଟିକେଟ୍

ନୂଆଦିଲ୍ଲୀ: ବିଦେଶ ଭ୍ରମଣ କରିବାକୁ କାହାକୁ ବା ଭଲ ନ ଲାଗେ । ତେବେ ମନ ଥିଲେ ମଧ୍ୟ ଅର୍ଥ ସାଜିଥାଏ ମୁଖ୍ୟ ବାଧକ । ନିକଟରେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏକ ବଡ଼ ଘୋଷଣା କରାଯାଇଛି । ଆପଣମାନେ ମାଗଣାରେ ହଂକଂ ସହର ବୁଲିବାକୁ ଯାଇପାରିବେ । ନିଜର ରିବ୍ରାଣ୍ଡିଂ ପ୍ରଚାର ଅଭିଯାନ ‘ହ୍ୟାଲୋ ହଂକଂ’ ଅବସରରେ ଏହି ଘୋଷଣା କରାଯାଇଛି । ତେବେ ବିଦେଶୀଙ୍କୁ ପାଞ୍ଚ ଲକ୍ଷ ବିମାନ ଟିକେଟ ମାଗଣାରେ ବଣ୍ଟନ କରାଯିବ ବୋଲି ଅଫିସିଆଲ ଭାବେ କୁହାଯାଇଛି ।

ହଂକଂ ଦୁନିଆର କୋଣ ଅନୁକୋଣର ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ରହିଛି । କୋଭିଡ୍ ମହାମାରୀ କାରଣରୁ ହଂକଂର ପର୍ଯ୍ୟଟନ ଓ ଅର୍ଥବ୍ୟବସ୍ଥାରେ ପ୍ରବଳ କ୍ଷତି ଘଟିଥିଲା । ତାହାକୁ ପୂରଣ କରିବା ପାଇଁ ସହର ପକ୍ଷରୁ ଏହି ବଡ଼ ଘୋଷଣା କରାଯାଇଛି । ହଂକଂ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଗତ ୨ ତାରିଖଠାରୁ ପ୍ରଚାର ଅଭିଯାନ ଆରମ୍ଭ କରିଦେଇଛି ।

ଏହି ଅଭିଯାନ ମାଧ୍ୟମରେ ବିଦେଶୀଙ୍କୁ ହଂକଂ ଆସିବାର ଫ୍ଲାଇଟ୍ ଭଡ଼ା ଦେବାକୁ ପଡ଼ିବ ନାହିଁ । ହଂକଂ ପକ୍ଷରୁ ପାଞ୍ଚ ଲକ୍ଷ ବିମାନ ଟିକେଟ ମାଗଣାରେ ବଣ୍ଟନ କରାଯିବ । ତେବେ ଏହି ମାଗଣା ଟିକେଟ ବଣ୍ଟନର ଶୁଭାରମ୍ଭ ଆସନ୍ତା ମାର୍ଚ୍ଚ ମାସରୁ ଆରମ୍ଭ ହେବ । ସହରର ନିବାସୀଙ୍କ ପାଇଁ ସରକାର ଅତିରିକ୍ତ ୮୦ ହଜାର ମାଗଣା ଏୟାର ଟିକେଟର ଘୋଷଣା କରିଛନ୍ତି । ଏହା ମାଧ୍ୟମରେ ପର୍ଯ୍ୟଟକ ଓ ନିବେଶକଙ୍କୁ ହଂକଂ ବିଷୟରେ ଉତ୍ତମ ତଥ୍ୟ ପ୍ରଦାନ କରାଯିବ । ଏଥିସହିତ ସେମାନଙ୍କୁ ହଂକଂ ପରିଭ୍ରମଣ କରାଯିବ । ତେବେ ମାର୍ଚ୍ଚ ମାସ ପହିଲାରୁ ଛଅ ମାସ ପର୍ଯ୍ୟନ୍ତ ଏହି ଟିକେଟ୍ ବଣ୍ଟନ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.