fbpx

Like-Follow-Share କଲେ ଜେଲ୍: ଗିରଫ ହେଲେ ଅନେକ ବ୍ୟକ୍ତି, ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ହୋଇଯାଆନ୍ତୁ ସଚେତନ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଏକ ଦରକାରୀ ସାମଗ୍ରୀ ପାଲଟି ଯାଇଛି । ସମସ୍ତେ ସୋସିଆଲ ମିଡ଼ିଆ ନିଶାରେ ଏତେ ମସଗୁଲ ହୋଇଯାଇଛନ୍ତି ଯେ, କିଛି ମିନିଟ୍ ବା କିଛି ଘଣ୍ଟା ପାଇଁ ଇଣ୍ଟରନେଟ କଟିଗଲେ ସମସ୍ତେ ହତାଶ ହୋଇ ପଡ଼ୁଛନ୍ତି । ତେବେ ଗୋଟିଏ ପଟେ ସୋସିଆଲ ମିଡ଼ିଆ ସମାଜକୁ ସ୍ମାର୍ଟ ବନାଉଥିବା ବେଳେ ଅନ୍ୟପଟେ ଏହାର କୁପ୍ରଭାବ ମଧ୍ୟ ବଢ଼ିବାରେ ଲାଗିଛି ।

ଯଦି ଆପଣମାନେ ସୋସିଆଲ ମିଡ଼ିଆ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର । ସୋସିଆଲ ମିଡ଼ିଆରେ କୌଣସି ପୋଷ୍ଟକୁ ଲାଇକ୍ ବା ଶେୟାର କରିବା ଆପଣଙ୍କ ପାଇଁ ମହଙ୍ଗା ପଡ଼ିବ । ଏଥିପାଇଁ ଆପଣ ଜେଲ ମଧ୍ୟ ଯାଇ ପାରନ୍ତି । ଏପରି ଏକ ମାମଲାରେ ପୋଲିସ କିଛି ବ୍ୟକ୍ତିଙ୍କୁ ଗିରଫ କରିଛି । ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁ ଅସାମାଜିକ କାର୍ଯ୍ୟ ଚାଲୁଛି । କିଛି ଗ୍ୟାଙ୍ଗ ଅନ୍ୟ ଗ୍ୟାଙ୍ଗର ସଦସ୍ୟଙ୍କୁ ଧମକ ଦେଉଥିବାର ମଧ୍ୟ ଦେଖାଯାଉଛି ।

ସୂଚନା ମୁତାବକ, ସୋସିଆଲ ମିଡ଼ିଆରେ ଗ୍ୟାଙ୍ଗଷ୍ଟରଙ୍କ ପୋଷ୍ଟକୁ ଲାଇକ୍, ଫଲୋ ଓ ଶେୟାର କରିବା କିଛି ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି । ଏହି ମାମଲାରେ ରାଜସ୍ଥାନ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୨୬ ଜଣଙ୍କୁ ଗିରଫ କରିଛି । ବର୍ତ୍ତମାନ ସମୟରେ ଅସାମାଜିକ ବ୍ୟକ୍ତିମାନେ ସୋସିଆଲ ମିଡ଼ିଆରେ ଅନେକ କୁକାର୍ଯ୍ୟରେ ଲିପ୍ତ ରହୁଛନ୍ତି । ଗ୍ୟାଙ୍ଗଷ୍ଟରଙ୍କ ପୋଷ୍ଟକୁ ଲାଇକ୍ ଓ ଶେୟାର କରୁଥିବା ଏଭଳି ବ୍ୟକ୍ତିଙ୍କୁ ବିଭିନ୍ନ ଅଞ୍ଚଳରୁ ଜୟପୁର ପୋଲିସ ଚିହ୍ନଟ କରି ଗିରଫ କରିଛି । ଏମାନଙ୍କୁ ଶାନ୍ତିଭଙ୍ଗ ଅଭିଯୋଗରେ ଗିରଫ କରାଯାଇଛି । କିଛି ଲୋକ ଜାଣିଶୁଣି ଏହି ଭୁଲ୍ କରୁଥିବା ବେଳେ ଆଉ କିଛି ଅଜାଣତରେ କରିଥାନ୍ତି । ତେଣୁ ଏନେଇ ଆପଣଙ୍କ ପରି ସାଧାରଣ ନାଗରିକମାନେ ଆଗୁଆ ସଚେତନ ହେବାର ସମୟ ଆସିଯାଇଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ମଧ୍ୟ ସୋସିଆଲ ମିଡ଼ିଆର ମନମାନୀ ଉପରେ ଲଗାମ ଲଗାଇବା ନେଇ ନିକଟରେ ନିୟମ ଲାଗୁ କରିଥିଲେ । ଅନେକ ସମୟରେ ସୋସିଆଲ ମିଡ଼ିଆ କମ୍ପାନୀମାନେ ୟୁଜର୍ସଙ୍କ ଅଭିଯୋଗର ସଠିକ୍ ସମାଧାନ କରିନଥାନ୍ତି । ତେଣୁ ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଇଲେକ୍ଟ୍ରୋନିକ ଓ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଅଭିଯୋଗ ଅପିଲୀୟ ସମିତି (ଜିଏସି) ଗଠନ କରାଯାଇଛି ।

ଜିଏସି ଭର୍ଚୁଆଲ ମୋଡ଼ରେ ଏକ ଡିଜିଟାଲ ମଞ୍ଚ ଭାବେ କାର୍ଯ୍ୟ କରିବେ । ଏହା କେବଳ ଅନଲାଇନ୍ ଓ ଡିଜିଟାଲ ଭାବେ ସଞ୍ଚାଳିତ ହେବ । ଅପିଲ ଦାଖଲ ହେବା ଠାରୁ ଆମ୍ଭ କରି ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ଡିଜିଟାଲରେ ଚାଲିବ । ୟୁଜର୍ସ ଅପିଲ କରିବାର ୩୦ ଦିନ ମଧ୍ୟରେ ଏହି କମିଟି ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରିବ । ଆସନ୍ତା ମାର୍ଚ୍ଚ ମାସ ୧ ତାରିଖରୁ ଏହି କମିଟି କାର୍ଯ୍ୟ ଆରମ୍ଭ କରିବ । ଗତ ୨୦୨୧ରେ ଆଇଟି ନିୟମରେ କରାଯାଇଥିବା ସଂଶୋଧନ ଆଧାରରେ ଏହି କମିଟି ଗଠନ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ପ୍ରତି କମିଟିରେ ଜଣେ ଜଣେ ଅଧ୍ୟକ୍ଷ, ବିଭିନ୍ନ ସରକାରୀ ସଂସ୍ଥାର ଦୁଇ ଜଣ ଫୁଲଟାଇମ୍ ସଦସ୍ୟ ଓ ୩ ଉଦ୍ୟୋଗ କ୍ଷେତ୍ରରୁ ସେବା ନିବୃତ୍ତ ଅଧିକାରୀ ସାମିଲ ହୋଇଛନ୍ତି । ଏହି କମିଟି ମାଧ୍ୟମରେ କମ୍ପାନୀମାନଙ୍କର ନିଷ୍ପତ୍ତିକୁ ସମୀକ୍ଷା କରାଯାଇ ପାରିବ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ । ଏହାଦ୍ୱାରା କଣ୍ଟେଣ୍ଟକୁ ନେଇ ସମସ୍ତ ସୋସିଆଲ ମିଡ଼ିଆ ଉପରେ ନିୟନ୍ତ୍ରଣ ରଖାଯାଇ ପାରିବ । ଏହି କମିଟି ଗଠନ ବାବଦରେ ଗତବର୍ଷ ଡିସେମ୍ବର ମାସରେ କେନ୍ଦ୍ର ସରକାର ସୂଚନା ଦେଇଥିଲେ ।

Get real time updates directly on you device, subscribe now.