fbpx

କରୋନା ପାଇଁ ଆପଣଙ୍କର ବାହାଘର ହଠାତ୍ ବନ୍ଦ ହୋଇଗଲା କି, ଆପଣ ଆଡଭାନ୍ସ ଦେଇଥିବା ସମସ୍ତ ଟଙ୍କା ଫେରିପାଇବେ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: କୋଭିଡ୍ ପାଇଁ ମଣିଷ ଆଜି ଅନେକ ସମସ୍ୟା ଦେଇ ଗତି କରୁଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଲକଡାଉନ, ସଟଡାଉନ ଭଳି କଟକଣା ଲାଗୁ କରାଯାଉଛି । ଅନେକ ଲୋକଙ୍କର ବାହାଘର ପୂର୍ବରୁ ସ୍ଥିରୀକୃତ ହୋଇ ସାରିଥାଏ । ମାତ୍ର ଏହି ସମୟରେ ହଠାତ୍ ସରକାରଙ୍କ ପକ୍ଷରୁ କଟକଣା ଲାଗୁ ହେଲେ କ୍ଷତି ସହିବା ଛଡ଼ା ଆଉ ଅନ୍ୟ ବାଟ ନଥାଏ । ବିବାହ ପାଇଁ ଉଭୟ ବରପକ୍ଷ ଓ କନ୍ୟା ପକ୍ଷ ବିଭିନ୍ନ ସାମଗ୍ରୀ କିଣାକିଣି କରିବା ସହ ଉତ୍ସବ ଆୟୋଜନ ପାଇଁ ଆଡଭାନ୍ସ ଦେଇ ସାରିଥାନ୍ତି । ତେଣୁ ହଠାତ୍ ବିବାହ ନେଇ କଟକଣା ଲାଗୁ ହେବା ପରେ ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ପାଣିରେ ବୁଡ଼ିବା ସାର ହୋଇଥାଏ । ତେବେ ଆପଣମାନେ ହୁଏତ ଏକଥା ଜାଣି ନଥିବେ ଯେ, ଆପଣ ଏ ବାବଦରେ ଲକ୍ଷ ଲକ୍ଷ ଟଙ୍କା ଫେରି ପାଇବାର ବିକଳ୍ପ ରହିଛି ।

ତେବେ ଯଦି ଆପଣ ନିଜର ବିବାହ ପାଇଁ କିଛି ଟଙ୍କା ଆଡଭାନ୍ସ ଦେଇ ସାରିଛନ୍ତି, ଏଥିପାଇଁ ଚିନ୍ତା କରିବାର ଆବଶ୍ୟକ ନାହିଁ । ଯଦି କୋଭିଡ୍ ବା ଅନ୍ୟ କାରଣରୁ ଆପଣଙ୍କର ବାହାଘର ଭାଙ୍ଗିଯାଏ ବା ସ୍ଥଗିତ ରଖିବାକୁ ପଡ଼େ ତେବେ ଆପଣ ନିଜର ଅର୍ଥ ଫେରି ପାଇବେ । ଜଣାପଡ଼ିଛି ଯେ, ଏହି ଅର୍ଥ ଲୋକଙ୍କୁ କିପରି ପ୍ରଦାନ କରାଯିବ ସେଥିପାଇଁ କିଛି ବ୍ୟାଙ୍କ ଓ ବୀମା କମ୍ପାନୀ ସ୍ୱତନ୍ତ୍ର ଯୋଜନା କରିଛନ୍ତି । ଆଇସିଆଇସିଆ ଲୋମ୍ବାର୍ଡ, ଫ୍ୟୁଚର ଜେନେରାଲ, ବଜାଜ ଆଲିଆନ୍ସ ପକ୍ଷରୁ କରାଯାଇଥିବା ମ୍ୟାରେଜ ଇନ୍ସ୍ୟୁରାନ୍ସ ମାଧ୍ୟମରେ ଆପଣଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ମିଳିବ । କିନ୍ତୁ ଏଥିପାଇଁ ଆପଣଙ୍କୁ ପୂର୍ବରୁ ମାସକୁ ୭ ହଜାର ଟଙ୍କାର ପ୍ରିମିୟମ ଦେବାକୁ ପଡ଼ିବ । ବିବାହ ସାଜ୍ଜସଜା, ଖାଇବା ପାଇଁ ଅଗ୍ରୀମ ଟଙ୍କା, ହୋଟେଲ ବୁକିଂ, ଟ୍ରାଭେଲ ବୁକିଂ ପାଇଁ ଦିଆଯାଇଥିବା ଆଡଭାନ୍ସ ଟଙ୍କା ଆପଣ ଏହି ଇନ୍ସ୍ୟୁରାନ୍ସ ମାଧ୍ୟମରେ ଫେରିପାଇବେ । କୋଭିଡ୍ ସମୟରେ ଆପଣ କେଉଁ କାର୍ଯ୍ୟରେ ଅର୍ଥ ଲଗାଇଛନ୍ତି ତାହାର ରିପୋର୍ଟ, ପ୍ରମାଣପତ୍ର ବୀମା କମ୍ପାନୀକୁ ଦେବାକୁ ପଡ଼ିବ । ତେବେ କମ୍ପାନୀ ଟଙ୍କା ଦେବାରେ ଅନିଚ୍ଛା ପ୍ରକାଶ କଲେ ଆପଣ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇପାରିବେ ।

Get real time updates directly on you device, subscribe now.