ଏକାଠି ଗଲେ, ଗଛରେ ଝୁଲିଲେ! ବିବାହର ୪ ମାସ ପରେ ଯୁବକଙ୍କ ଏମିତି ମୃତ୍ୟୁ, ନାବାଳିକାଙ୍କ ସହ…

ରାତିରେ ଘରେ ଖାଇପିଇ ଶୋଇଥିଲେ ବିବାହିତ ଯୁବକ, ସକାଳୁ ନିଖୋଜ; ନାବାଳିକା ମଧ୍ୟ ଥିଲେ ନିଖୋଜ, ଗଛରୁ ମିଳିଲା ଉଭୟଙ୍କ ମୃତଦେହ।

ନବରଙ୍ଗପୁର: ରାତିରେ ସବୁ କିଛି ଥିଲା ସ୍ୱାଭାବିକ। ଘରେ ଖାଇପିଇ ଶୋଇଥିଲେ ଯୁବକ। ହେଲେ ସକାଳୁ ଉଠିବା ବେଳକୁ ଘରେ ନଥିଲେ। ଏପଟେ ଜଣେ ନାବାଳିକା ମଧ୍ୟ ନିଜ ଘରୁ ନିଖୋଜ ଥିଲେ। ପରିବାର ଲୋକେ ଖୋଜାଖୋଜି କରୁଥିବା ବେଳେ ଯାହା ଦେଖିଲେ, ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଲା। ଗଛରେ ଝୁଲୁଥିଲା ଦୁଇ ଜଣଙ୍କ ମୃତଦେହ।

ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍‌ ମୋକିଆ ପଞ୍ଚାୟତରେ ଘଟିଛି ଏଭଳି ଏକ ହୃଦୟବିଦାରକ ଘଟଣା। ମୃତକଙ୍କ ମଧ୍ୟରେ ଅଛନ୍ତି ୨୦ ବର୍ଷୀୟ ପବିତ୍ର ଭତ୍ରା ଏବଂ ଜଣେ ନାବାଳିକା। ନାବାଳିକା ଜଣକ ପବିତ୍ରଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି।

ବିବାହକୁ ୪ ମାସ, ଶ୍ୱଶୁର ଘରେ ସ୍ତ୍ରୀ: ପରିବାର ସୂଚନା ଅନୁସାରେ, ପବିତ୍ରଙ୍କର ପ୍ରାୟ ୪ ମାସ ତଳେ ବିବାହ ହୋଇଥିଲା। ନୁଆଁଖାଇ ପାଇଁ ସେ ନିଜ ସ୍ତ୍ରୀଙ୍କୁ ତାଙ୍କ ବାପଘରେ ଛାଡ଼ିଥିଲେ। ବୁଧବାର ରାତିରେ ପବିତ୍ର ଘରକୁ ଫେରି ଖାଇପିଇ ଶୋଇଥିଲେ।

କିନ୍ତୁ ଗୁରୁବାର ସକାଳୁ ତାଙ୍କୁ ଘରେ ଦେଖିବାକୁ ମିଳିନଥିଲା। ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ସେହି ସମୟରେ ନାବାଳିକା ଜଣକ ମଧ୍ୟ ଘରୁ ନିଖୋଜ ଥିବା ଜଣାପଡ଼ିଥିଲା। ଉଭୟ ପରିବାର ନିଜ ନିଜ ଆଡୁ ଖୋଜାଖୋଜି କରିଥିଲେ।

ଗଛରି ଝୁଲୁଥିଲା ୨ ମୃତଦେହ: ଖୋଜାଖୋଜି ବେଳେ ଗାଁ ନିକଟରେ ଏକ ଗଛରେ ଉଭୟଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ ଗ୍ରାମବାସୀ। ଏହାପରେ ପରିବାର ଲୋକ ଓ ପୋଲିସକୁ ଖବର ଦିଆଯାଇଥିଲା।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୃତଦେହକୁ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି। ପ୍ରାଥମିକ ଭାବେ ଏହା ଆତ୍ମହତ୍ୟା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଥିଲେ ମଧ୍ୟ ପୋଲିସ ଘଟଣାର ସମସ୍ତ ଦିଗରୁ ତଦନ୍ତ କରୁଛି।

ତେବେ ଦୁଇ ଜଣ ଏକାଠି କାହିଁକି ଘରୁ ବାହାରିଥିଲେ? ଏହି ଘଟଣା ପଛରେ ପ୍ରକୃତ କାରଣ କ’ଣ? ଏସବୁ ପ୍ରଶ୍ନର ଉତ୍ତର ଏବେ ପୋଲିସ ତଦନ୍ତ ଓ ପୋଷ୍ଟମର୍ଟମ ରିପୋର୍ଟ ପରେ ହିଁ ସ୍ପଷ୍ଟ ହେବ।