୫ କୋଟି ଟଙ୍କା ଦାଦାବଟି! ସୁନ୍ଦରୀ ୟୁଟ୍ୟୁବର୍‌ଙ୍କ ସମେତ ୫ ଜଣଙ୍କ ନାଁରେ ମାମଲା

ଶିବାଙ୍ଗୀ ଯାଦବ ଓ ତାଙ୍କ ଗ୍ୟାଙ୍ଗଙ୍କ ଧମକରେ ଶିକାର ହୋଇଥିଲେ ଆଶୁତୋଷ ଓରଫ୍ ଟୋନୁ ଯାଦବ। ତାଙ୍କ ଅଭିଯୋଗ ଅନୁସାରେ, ଶିବାଙ୍ଗୀ ଯାଦବ ଓ ତାଙ୍କ ଗ୍ୟାଙ୍ଗ ଦାଦାବଟି ମାଗିଥିଲେ

ଇଟାୱା: ୫ କୋଟି ଟଙ୍କା ଦିଅ! ନହେଲେ ତୁମର ବ୍ୟକ୍ତିଗତ ଓ ଆପତ୍ତିଜନକ ଫଟୋ ପତ୍ନୀଙ୍କ ପାଖକୁ ପଠାଇ ଦେବୁ…। ଦରକାର ପଡ଼ିଲେ ସୋସିଆଲ ମିଡିଆରେ ଛାଡ଼ିଦେବୁ। ଏପରି ଧମକ ଦେଉଥିଲେ ଉତ୍ତରପ୍ରଦେଶର ଲୋକପ୍ରିୟ ୟୁଟ୍ୟୁବର୍ ଅଶ୍ୱୀ ଯାଦବ ଓରଫ୍ ଶିବାଙ୍ଗୀ ଯାଦବ ଓ ତାଙ୍କ ଗ୍ୟାଙ୍ଗ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ପୋଲିସ ଶିବାଙ୍ଗୀଙ୍କ ସମେତ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଶିବାଙ୍ଗୀ ଯାଦବ ଓ ତାଙ୍କ ଗ୍ୟାଙ୍ଗଙ୍କ ଧମକରେ ଶିକାର ହୋଇଥିଲେ ଆଶୁତୋଷ ଓରଫ୍ ଟୋନୁ ଯାଦବ। ତାଙ୍କ ଅଭିଯୋଗ ଅନୁସାରେ, ଶିବାଙ୍ଗୀ ଯାଦବ ଓ ତାଙ୍କ ଗ୍ୟାଙ୍ଗ ଦାଦାବଟି ମାଗିଥିଲେ। ହେଲେ ସେ ଦାଦାବଟି ଦେବେନାହିଁ ବୋଲି କହିଥିଲେ। ଏହା ପରେ ମିଳିଥିଲା ଧମକ। ବ୍ୟକ୍ତିଗତ ଓ ଆପତ୍ତିଜନକ ଫଟୋ ପତ୍ନୀଙ୍କ ପାଖକୁ ପଠାଇ ଦେବାର ମିଳିଥିଲା ଧମକ। ଯେଉଁଥିପାଇଁ ଆଶୁତୋଷ ୨୦୨୪ ଏପ୍ରିଲ ୩ରୁ ୨୦୨୬ ମେ ୪ ମଧ୍ୟରେ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ, ଘରୋଇ ଫାର୍ମର ଆକାଉଣ୍ଟ ଏବଂ ନଗଦ ଆକାରରେ ପ୍ରାୟ ୧ କୋଟି ୭୫ ଲକ୍ଷ ଟଙ୍କା ଦେଇଥିଲେ।

ହେଲେ ଏତିକିରେ ସେମାନେ ମନ ପୂରିନଥିଲା। ୨୦୨୫ ନଭେମ୍ବରରେ ପୁଣି ୫୮ ଲକ୍ଷ ଟଙ୍କା ମାଗିଥିଲେ। ଏଥିପାଇଁ ଧମକ ଚରମକ ଦିଆଯାଇଥିଲା। ଏହାପରେ ଆଶୁତୋଷ ବିଭିନ୍ନ ତାରିଖରେ ୩୦ ଲକ୍ଷ, ୧୮ ଲକ୍ଷ ଓ ୧୦ ଲକ୍ଷ ଟଙ୍କା ଦେଇଥିବା ନିଜ ଆବେଦନରେ ଉଲ୍ଲେଖ କରିଛନ୍ତି। ତଥାପି ଟଙ୍କା ଦାବି ବନ୍ଦ ହୋଇନଥିଲା। ପରେ ସିଧାସଳଖ ଆଉ ୫ କୋଟି ଟଙ୍କା ମଗାଯାଇଥିବା ସେ ଅଭିଯୋଗ କରିଛନ୍ତି।

ମାମଲାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାର ମଧ୍ୟ ଉଲ୍ଲେଖ ରହିଛି। ଆଶୁତୋଷଙ୍କ ଅଭିଯୋଗ ଅନୁଯାୟୀ, ୨୦୨୬ ସେପ୍ଟେମ୍ବର ୩ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ୩୦ରେ ସେ ନିଜ କାର୍‌ରେ ଜିଞ୍ଝୁଆସ୍ଥିତ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ। ଜିଞ୍ଝୁଆ ପୋଲ ନିକଟରେ ନମ୍ବର ପ୍ଲେଟ୍ ନଥିବା ଏକ ବାଇକ୍‌ରେ ଆସିଥିବା ଦୁଇ ଅଜଣା ବ୍ୟକ୍ତି ତାଙ୍କ କାର୍‌କୁ ଅଟକାଇଥିଲେ। ସେମାନେ ୫ କୋଟି ଟଙ୍କା ଦାବି କରିଥିଲେ। ଟଙ୍କା ନଦେଲେ ଦୁଷ୍କର୍ମ ମାମଲାରେ ଫସାଇଦେବାକୁ ଧମକ ଦେଇଥିବା ଆଶୁତୋଷ ଅଭିଯୋଗ କରିଛନ୍ତି। ସେ ୧୧୨ ନମ୍ବରକୁ ଫୋନ୍ କରିବାକୁ ଉଦ୍ୟମ କରିବାରୁ ଅଭିଯୁକ୍ତ ଦୁଇ ଜଣ ସେଠାରୁ ଚାଲି ଯାଇଥିବା ଆବେଦନରେ ଦର୍ଶା ଯାଇଛି।

ଆଶୁତୋଷ ଏନେଇ ଭରଥନା ଥାନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୋଲିସ କୌଣସି ପଦକ୍ଷେପ ନେଲା ନାହିଁ। ଏହାପରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ମାମଲା ରୁଜୁ କରିଛି। ଅଶ୍ୱୀ ଯାଦବ ଓରଫ୍ ଶିବାଙ୍ଗୀ ଯାଦବ, ନୀତୁ ସିଂହ ଯାଦବ, ଶିବମ ଯାଦବ, ଗୀତାଞ୍ଜଳି ଜାଦୌନ ଓ ଅଭିଷେକ ଯାଦବଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଛି।

ଭରଥନା ଥାନା ପୋଲିସ କହିଛି; କୋର୍ଟଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ ହୋଇଛି। ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଓ ଟଙ୍କା କାରବାର ସମ୍ପର୍କିତ ପ୍ରମାଣର ଯାଞ୍ଚ କରାଯାଉଛି। ତେବେ ମାମଲାର ତଦନ୍ତ ଚାଲିଥିବାରୁ ଅଭିଯୋଗ ଗୁଡ଼ିକର ସତ୍ୟତା ଏବେ ପୋଲିସ ତଦନ୍ତ ଓ ଆଇନଗତ ପ୍ରକ୍ରିୟା ପରେ ସ୍ପଷ୍ଟ ହେବ।