ଭାରତୀୟ କ୍ରିକେଟର ଗୁରୁ ଦ୍ରୋଣାଚାର୍ଯ୍ୟ ଏହି ଖେଳାଳି, ଯୁବ ଖେଳାଳିଙ୍କୁ ନେଇ ଗଢ଼ୁଛନ୍ତି ନୂଆ ଟିମ୍

ଭାରତୀୟ କ୍ରିକେଟର ଗୁରୁ ଦ୍ରୋଣାଚାର୍ଯ୍ୟ ଏହି ଖେଳାଳି

Yuvraj Singh: କ୍ରିକେଟ କେବଳ କୌଶଳର ଖେଳ ନୁହେଁ, ଏଥିପାଇଁ ଦୃଢ଼ ମନୋବଳ ଓ ଠିକ୍ ମାର୍ଗଦର୍ଶନ ମଧ୍ୟ ଅତ୍ୟନ୍ତ ଦରକାର। ଭାରତୀୟ କ୍ରିକେଟର ପୂର୍ବତନ ଦିଗ୍ଗଜ ଅଲରାଉଣ୍ଡର ୟୁଭରାଜ୍ ସିଂ ସନ୍ନ୍ୟାସ ପରେ ଏବେ ନୂତନ ଭୂମିକାରେ ଦେଖା ଦେଉଛନ୍ତି। ସେ ଯୁବ ଖେଳାଳିମାନଙ୍କୁ ଟ୍ରେନିଂ ଦେଇ ତାଙ୍କ ଖେଳକୁ ଆହୁରି ଉନ୍ନତ କରିବାରେ ସହଯୋଗ କରୁଛନ୍ତି।

୨୦୧୧ ର ବିଶ୍ଵକପର ହିରୋ ଥିବା ଯୁବରାଜ ସିଂହ ଏବେ ଅନେକ ଯୁବ କ୍ରିକେଟରଙ୍କ ପାଇଁ ଗୁରୁ ସମାନ ହୋଇପାରିଛନ୍ତି। ସେ ସିଧାସଳଖ ଭାବେ ଟିମ୍‌ ଇଣ୍ଡିଆ ସହିତ ଜଡିତ ନଥିଲେ ମଧ୍ୟ ପରଦା ପଛରେ ରହି ଅନେକ ଖେଳାଳିଙ୍କୁ ପରାମର୍ଶ ଦେଉଛନ୍ତି। ଯୁବରାଜଙ୍କ ମାର୍ଗଦର୍ଶନରେ ଉନ୍ନତି କରିଥିବା ଖେଳାଳିମାନଙ୍କ ମଧ୍ୟରେ ଶୁଭମନ୍ ଗିଲ୍ ଓ ଅଭିଷେକ୍ ଶର୍ମା ଭଳି ନାମ ରହିଛି। ଏହି ଦୁଇଜଣ ଖେଳାଳି ଆଜି ଭାରତୀୟ କ୍ରିକେଟର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛନ୍ତି। ସେମାନଙ୍କ ସହିତ ପ୍ରଭସିମରନ୍ ସିଂ ଓ ପ୍ରିୟାଂଶ ଆୟର୍ ଭଳି ଯୁବ ଖେଳାଳିମାନେ ମଧ୍ୟ ତାଙ୍କଠାରୁ ଅନେକ କିଛି ଶିଖିଛନ୍ତି।

ସମ୍ପ୍ରତି ଏହି ତାଲିକାରେ ଆଉ ଗୋଟିଏ ନାମ ଯୋଡ଼ାଯାଇଛି । ସେ ହେଉଛନ୍ତି ଋଷଭ୍ ପନ୍ତ । କିଛି ସମୟ ଧରି ପନ୍ତ ଖରାପ ଫର୍ମ ମଧ୍ୟରେ ଅଛନ୍ତି ଏବଂ ତାଙ୍କର ଆତ୍ମବିଶ୍ୱାସ କମିଥିବା କଥା କୁହାଯାଉଛି। ଏହି ପରିସ୍ଥିତିରେ ସେ ଯୁବରାଜଙ୍କୁ ଗୁରୁ ଭାବେ ବାଛି ତାଙ୍କଠାରୁ ପରାମର୍ଶ ନେଉଛନ୍ତି।

ଯୁବରାଜ ସିଂହ ତାଙ୍କ କ୍ୟାରିୟରରେ ଭାରତ ପାଇଁ ଅନେକ ସ୍ମରଣୀୟ ପ୍ରଦର୍ଶନ କରିଥିଲେ। ୨୦୦୭ର ବିଶ୍ଵକପରେ ସେ ଇଂଲାଣ୍ଡର ବୋଲର ଷ୍ଟୁଆର୍ଟ ବୋର୍ଡ ଙ୍କ ଏକ ଓଭରରେ ୬ଟି ଛକା ମାରି ଇତିହାସ ଗଢ଼ିଥିଲେ। ସେ ୨୦୦୦ ରୁ ୨୦୧୭ ପର୍ଯ୍ୟନ୍ତ ଭାରତ ପାଇଁ ଆନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ ଏବଂ ଦଳକୁ ଅନେକ ଜିତ ଦେଇଥିଲେ। ଏବେ ସେ ନିଜ ଅନୁଭବକୁ ବ୍ୟବହାର କରି ନୂଆ ପିଢ଼ୀର ଖେଳାଳିମାନଙ୍କୁ ତିଆରି କରିବାରେ ଲାଗିପଡ଼ିଛନ୍ତି।